ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ପ୍ରସ୍ତୁତି ଚୂଡାନ୍ତ, ବାଦ ପଡ଼ିବେ ନାହିଁ ଜଣେ ମଧ୍ୟ ଯୋଗ୍ୟ ମତଦାତା : ଜିଲ୍ଲାପାଳ

9

କଟକ (ଉତ୍କଳ ନ୍ୟୁଜ ) ୨୯-୦୫-୨୦୨୬ : ଭାରତର ଗଣତନ୍ତ୍ରର ମୂଳ ଭିତ୍ତି ହେଉଛି ନିର୍ବାଚନ ପ୍ରକ୍ରିୟା ଏବଂ ଏକ ନିର୍ଭୁଲ ଓ ସଠିକ ଭୋଟର ତାଲିକା ଏହି ପ୍ରକ୍ରିୟାର ମୂଳ ଆଧାର । ଏହି ଉଦ୍ଦେଶ୍ୟରେ (ଏସ.ଆଇ.ଆର୍) ସ୍ବତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସଂଯୁକ୍ତ କରିବା ଏବଂ ଅନଧିକୃତ ପ୍ରବାସୀ କିମ୍ବା ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ତାଲିକାରୁ ବାଦ ଦେବା । ଏଥିସହ ମୃତ ବ୍ୟକ୍ତିଙ୍କ ନାମ ଏବଂ ନକଲି ନାମ ଗୁଡିକୁ ଚିହ୍ନଟ କରାଯାଇ ତାଲିକାରୁ ବାଦ ଦିଆଯିବ ଓ ସ୍ଥାନାନ୍ତରିତ ମତଦାତାଙ୍କ ନାମ ସଂଶୋଧନ କରାଯିବ । ୧.୦୭.୨୦୨୬ ସୁଦ୍ଧା ଯେଉଁମାନେ ୧୮ ବର୍ଷରେ ପଦାର୍ପଣ କରିଛନ୍ତି ସେମାନେ Electoral Rollରେ ନାମ ଦାଖଲ କରିପାରିବେ । ଆଜି ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏକ ଗଣମାଧ୍ୟମ ସମ୍ମିଳନୀ ମାଧ୍ୟମରେ ଜିଲ୍ଲାରେ ଏସ ଆଇ ଆର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଜଣେ ମଧ୍ୟ ଯୋଗ୍ୟ ଭୋଟର ଯେପରି ବାଦ ପଡ଼ିବେ ନାହିଁ ସେ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାର ସହ କାର୍ଯ୍ୟ କରାଯାଉଥିବା କହିଛନ୍ତି । ଜିଲ୍ଲାରେ ୩୦ ମେ ରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ବୁଥ ସ୍ତରୀୟ ଅଧିକାରୀ BLOମାନେ ଘରକୁ ଘର ଯାଇ ଭୋଟର ତଥ୍ୟ ସଂଗ୍ରହ ଓ ଯାଞ୍ଚ କରିବେ। ଏହି ସମୟରେ BLOମାନେ ପ୍ରତ୍ୟେକ ଭୋଟରଙ୍କୁ ପୂର୍ବରୁ ମୁଦ୍ରିତ ଗଣନା ଫର୍ମଗୁଡ଼ିକର ଡୁପ୍ଲିକେଟ ବା enumeration form ବଣ୍ଟନ କରିବେ। BLOମାନେ ପୁଣି ଠାରେ ପ୍ରତ୍ୟେକ ପରିବାରକୁ ଯାଇ ଭୋଟରଙ୍କଠାରୁ ଗଣନା ଫର୍ମର ପୂରଣ ହୋଇଥିବା କପି ସଂଗ୍ରହ କରିବେ। BLO ସଂଗୃହିତ ଫର୍ମଗୁଡ଼ିକୁ BLO ଆପ୍/ECINET ମୋବାଇଲ୍ ଆପ୍ଲିକେସନ୍ ମାଧ୍ୟମରେ ଅପଲୋଡ୍ କରିବେ। ଗଣନା ପର୍ଯ୍ୟାୟ ସମୟରେ ଭୋଟରଙ୍କଠାରୁ କୌଣସି ଡକ୍ୟୁମେଣ୍ଟ ସଂଗ୍ରହ କରାଯିବ ନାହିଁ। ପୂର୍ବରୁ ଭୋଟର ତାଲିକାରେ ନାମ ଥିବା ଭୋଟରମାନଙ୍କୁ ମୁଦ୍ରିତ ଗଣନା ଫର୍ମ ଡାଉନଲୋଡ୍ କରିବା ଏବଂ ଅନଲାଇନ୍ ମୋଡ୍ ମାଧ୍ୟମରେ ପୂରଣ ହୋଇଥିବା ଫର୍ମ ଏବଂ ଡକ୍ୟୁମେଣ୍ଟ ଅପଲୋଡ୍ କରିବାର ସୁବିଧା ମଧ୍ୟ ଯୋଗାଇ ଦିଆଯିବ। ୦୫ ଜୁଲାଇ ୨୦୨୬ରେ ଖସଡା ଭୋଟର ତାଲିକା Draft Electoral Roll ପ୍ରକାଶ ପାଇବ। ଯେଉଁ ଭୋଟରଙ୍କଠାରୁ ଗଣନା ଫର୍ମ ଗ୍ରହଣ କରାଯାଇଛି, ସେହି ସମସ୍ତ ଭୋଟରଙ୍କୁ ଅନ୍ତର୍ଭୁକ୍ତ କରି ERO ଡ୍ରାଫ୍ଟ ଭୋଟର ତାଲିକା ପ୍ରସ୍ତୁତ କରିବେ। ଯେଉଁ ଭୋଟରଙ୍କଠାରୁ ଗଣନା ଫର୍ମ ଗ୍ରହଣ କରାଯିବ ନାହିଁ, ସେମାନଙ୍କ ନାମ ଡ୍ରାଫ୍ଟ ତାଲିକାରେ ଅନ୍ତର୍ଭୁକ୍ତ କରାଯିବ ନାହିଁ। ଯଦି କୌଣସି ଭୋଟର ନିର୍ଦ୍ଧାରିତ ସମୟ ମଧ୍ୟରେ ସେମାନଙ୍କର ପୂରଣ ହୋଇଥିବା ଗଣନା ଫର୍ମ ଦାଖଲ କରିବାରେ ଅସମର୍ଥ ହୁଅନ୍ତି, ତେବେ ସେମାନେ ଦାବି ଏବଂ ଆପତ୍ତି ଅବଧି ମଧ୍ୟରେ ଅନ୍ତର୍ଭୁକ୍ତି ପାଇଁ ଘୋଷଣା ଫର୍ମ ସହିତ ଫର୍ମ ନମ୍ବର ୬ ଦାଖଲ କରିପାରିବେ। ୦୫ ଜୁଲାଇରୁ ୦୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ। ଦାବି ଓ ଆପତ୍ତିର ନିଷ୍ପତ୍ତି ୦୨ ସେପ୍ଟେମ୍ବର ସୁଦ୍ଧା କରାଯିବା ପରେ ୦୬ ସେପ୍ଟେମ୍ବର ୨୦୨୬ରେ ଅନ୍ତିମ ଭୋଟର ତାଲିକା ପ୍ରକାଶ ପାଇବ । ଭୋଟରମାନଙ୍କ ସୁବିଧା ପାଇଁ ଆମ ଜିଲ୍ଲାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ହେଲ୍ପ ଡ଼େସ୍କ ମାନ ଖୋଲାଯାଇଛି । ଯେପରି ଜଣେ ମଧ୍ୟ ଭୋଟର ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ ସେଥିପାଇଁ ହେଲ୍ପ ଲାଇନ ନମ୍ବର ରହିଛି । ଜନସାଧାରଣଙ୍କ ସହାୟତା ପାଇଁ ୧୯୫୦ ଟୋଲ ଫ୍ରି ନିର୍ବାଚନ ହେଲ୍ପ ଲାଇନ ନମ୍ବର ରହିଛି । ଏହି ନମ୍ବର ଜରିଆରେ ନାଗରିକମାନେ ଭୋଟର ତାଲିକା ସମ୍ବନ୍ଧୀୟ ସମସ୍ତ ସୂଚନା ପାଇପାରିବେ ଏବଂ ନିଜ ଅଞ୍ଚଳର ବୁଥ ସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିପାରିବେ । ଏହାସହ voters.eci.gov.in ପୋର୍ଟାଲ ଏବଂ “Voter Helpline App” ମାଧ୍ୟମରେ ମଧ୍ୟ ଭୋଟର ସମ୍ବନ୍ଧୀୟ ସମସ୍ତ ସୂଚନା ମିଳିପାରିବ । ଜିଲ୍ଲାର ୯ ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଏଲଓ ମାନଙ୍କୁ ଗଣନା ଫର୍ମଗୁଡ଼ିକ ଦିଆଯାଇସରିଛି । ଆସନ୍ତାକାଲି ବିଏଲଓମାନେ ଘରକୁ ଘର ଯାଇ ଫର୍ମଗୁଡିକ ଦେବେ । ଜିଲ୍ଲାର ସମସ୍ତ ମତଦାତା ବୁଥସ୍ତରୀୟ ଅଧିକାରୀମାନଙ୍କୁ ସଠିକ ତଥ୍ୟ ପ୍ରଦାନ କରି ଏହି ଗୁରୁତ୍ୱପୂର୍ଣ୍ଣ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସହଯୋଗ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଭୋଟର ମାନଙ୍କୁ ସଚେତନ କରିବା ପାଇଁ ଆଜି ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କମଲଜିତ ଦାସ, ଡେପୁଟି କଲେକ୍ଟର (ନିର୍ବାଚନ) ଶ୍ରୀମତୀ ଅମ୍ଳାନ ଅପରାଜିତା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ସ୍ଵାଗତିକା ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଆଜି ଗଣମାଧ୍ୟମ ପର୍ଯ୍ୟବେକ୍ଷଣ କେନ୍ଦ୍ର ମଧ୍ୟ ଉଦ୍ଘାଟିତ ହୋଇଯାଇଛି ।