ଚାରିତରଫ ମଣ୍ଡିରେ ପଡିରହିଛି ୮ ହଜାର କ୍ୱିଣ୍ଟାଲ ଧାନ , ମିଲରଙ୍କ ଅସହଯୋଗ ପ୍ରତିବାଦରେ ଉତ୍ୟକ୍ତ ଚାଷୀଙ୍କ ଭଦ୍ରକ-ଚାନ୍ଦବାଲି ରାସ୍ତା ଅବରୋଧ |
କଟକ ( ଉତ୍କଳ ନ୍ୟୁଜ ) ୨୦-୦୩-୨୦୨୬ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧିନ ଚାରିତରଫ ସେବା ସମିତି ମଣ୍ଡିରେ ୮ ହଜାର କ୍ୱିଣ୍ଟାଲରୁ ଉର୍ଦ୍ଧ ଧାନ ପଡି ରହିଛି । ଆସନ୍ନ କାଳବୈଶାଖି ଭୟରେ କାତର ହୋଇ ଗଲେଣି ମଣ୍ଡିର କର୍ମକର୍ତ୍ତା । ମିଲରମାନେ ଧାନ ଲିପ୍ଟିଂ କରୁ ନାହାଁନ୍ତି । ପଚାରିଲେ ଆଜିକାଲି କହି ଟାଳି ଚାଲୁଛନ୍ତି । ସେପଟରେ ମିଲର ଅଥବା ପ୍ରଶାସନ ପକ୍ଷରୁ ମିଳୁନି ସନ୍ତୋଷ ଜନକ ଉତ୍ତର । ପ୍ରଶାସନିକ ଅଧିକାରୀଙ୍କ ନିକଟକୁ ଦୌଡି ଦୌଡି ସମିତିର ସମ୍ପାଦକ ହାଲିଆ ହୋଇ ଗଲେଣି । ବାରମ୍ବାର ଅଭିଯୋଗ ସତ୍ୱେ କର୍ଣ୍ଣପାତ କରୁନଥିବାରୁ ଶେଷରେ ନିରୁପାୟ ହୋଇ ଶୁକ୍ରବାର ସକାଳେ ଭଦ୍ରକ-ଚାନ୍ଦବାଲି ରାଜପଥରେ ଧାନ ବସ୍ତା ଚାଷୀମାନେ ଆନ୍ଦୋଳନ କରିଛନ୍ତି । ମଣ୍ଡିରୁ ଧାନ ଲିପ୍ଟିଂ କରାନଯିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି ଚେତାବନି ଦେଇଛନ୍ତି । ମଣ୍ଡି ସମ୍ମୁଖରେ ରାସ୍ତା ଅବରୋଧ ହୋଇଥିବା ବେଳେ ଅନୁରୂପଭାବେ ଗଦିବଜାରରେ ତିନିଛକି ରାସ୍ତାକୁ ମଧ୍ୟ ଅବରୋଧ କରାଯାଇଥିଲା । ମିଳିଥିବା ସୂଚନା ଅନୁଯାଇ, ଏହି ସମିତିରେ ମୋଟ୍ ୭୦୬ ଜଣ ଚାଷୀ ଧାନ ବିକିବା ଲାଗି ପଞ୍ଜିକରଣ କରିଛନ୍ତି । ଏଯାବତ ମଣ୍ଡି ପକ୍ଷରୁ ୧୮, ୫୯୩ କ୍ୱିଣ୍ଟାଲ ଧାନ କିଣା ଯାଇଥିବା ବେଳେ ଲିପ୍ଟିଂ ହୋଇଛି ମାତ୍ର ୧୦, ୭୭୦ କ୍ୱିଣ୍ଟାଲ । ପିଏନ ଆଗ୍ରୋ ରାଇସ୍ ମିଲ ୯୧୦୯ କ୍ୱିଣ୍ଟାଲ ଧାନ ନେବାକୁ ଥିବାବେଳେ ନେଇଛି ମାତ୍ର ୫୬୦୫ କ୍ୱିଣ୍ଟାଲ । ଅଦିତି ରାଇସ୍ ମିଲ ୬୦୮୧ କ୍ୱିଣ୍ଟାଲ ଧାନ ନେବାକୁ ଥିବାବେଳେ ନେଇଛି ମାତ୍ର ୩୬୦୯ କ୍ୱିଣ୍ଟାଲ । ସେହିପରି ସମ୍ବଲପୁରର ଦୁଇଟି ମିଲ ୩୫୭୨ କ୍ୱିଣ୍ଟାଲ ଧାନ ନେବାକୁ ଥିବାବେଳେ ନେଇଛନ୍ତି ମାତ୍ର ୧୫୫୫ କ୍ୱିଣ୍ଟାଲ ଧାନ । ଦୀର୍ଘ ୪ ଘଣ୍ଟାକାଳ ରାଜପଥ ଅବରୋଧ ହୋଇଥିଲା । ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ଯାନବାହାନ ଚଳାଚଳ ବନ୍ଦ ରହିଥିଲା । ଯାତ୍ରୀମାନେ ନାହିଁନଥିବା ସମସ୍ୟାରେ ସମ୍ମୁଖିନ ହୋଇଥିଲେ । ଚାରିତରଫ ଗ୍ରାମ ନିକଟରୁ ଗଦିବଜାର ପର୍ଯର୍୍ୟନ୍ତ ଲୋକେ ଚାଲିଚାଲି ଯାଉଥିବାର ପରିଲକ୍ଷିତ ହୋଇଛି ।

ସମିତିର ସଭାପତି ବସନ୍ତ କୁମାର ନାୟକଙ୍କ ନେତୃତ୍ୱରେ ସୁଦର୍ଶନ ସ୍ୱାଇଁ, ସନ୍ଥଚରଣ ବିଶ୍ୱାଳ, ମୁକ୍ତିକାନ୍ତ ନାୟକ, ଚୈତନ୍ୟ ସେଠୀ, ବିଚିତ୍ର ବଳ, ପ୍ରହ୍ଲାଦ ମହାକୁଡ, ବଟକୃଷ୍ଣ ନାୟକ, ଭାଷ୍କର ମହାକୁଡ, ପ୍ରଫୁଲ ସ୍ୱାଇଁ, ସୁବାଶ ଚନ୍ଦ୍ର ସ୍ୱାଇଁ, ପ୍ରଭାତ ବିଶ୍ୱାଳ, ଆନନ୍ଦ ଚରଣ ପାଣିଗ୍ରାହୀ, ପ୍ରଶାନ୍ତ ବିଶ୍ୱାଳ, ମିଲନ କୁମାର ନାୟକ, ସନାତନ ବାରିକ, ଦେବେନ୍ଦ୍ର କୁମାର ଦାସ, ସୁଦର୍ଶନ ବିଶ୍ୱାଳ, ଶୁସାନ୍ତ କୁମାର ସ୍ୱାଇଁ ପ୍ରମୁଖ ଶତାଧିକ ଚାଷୀ ଉକ୍ତ ରାସ୍ତାରୋକରେ ସାମିଲ ହୋଇଥିଲେ । ପରେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ଘଟଣା ସ୍ଥଳରେ ପହଁଞ୍ôଚ ଉତ୍ୟକ୍ତ ଚାଷୀଙ୍କୁ ବୁଝାସୁଝା କରିଥିଲେ । ମିଲରମାନଙ୍କ ସହିତ କଥା ହେବାପରେ ପର୍ଯ୍ୟାୟକ୍ରମେ ଧାନ ଲିପ୍ଟିଂ କରାଯିବ ବୋଲି ପ୍ରତିଶୃତି ଦେବାପରେ ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |