
ଚୌଦ୍ୱାର ( ଉତ୍କଳ ନ୍ୟୁଜ ) ୧୧ -୦୩-୨୦୨୬ : ସୁରକ୍ଷା, କଲ୍ୟାଣ ଏବଂ ଶୂନ୍ୟ ଦୁର୍ଘଟଣା ଲକ୍ଷ୍ୟ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ଚୌଦ୍ୱାରସ୍ଥିତ ଇମ୍ଫା ପକ୍ଷରୁ ୫୫ତମ ଜାତୀୟ ସୁରକ୍ଷା ସପ୍ତାହର ଉଦଯାପନୀ ସମାରୋହ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କଟକ ଜୋନ୍-୧ କାରଖାନା ଏବଂ ବାଷ୍ପିତ୍ର ନିର୍ଦ୍ଦେଶାଳୟର ସହ ନିର୍ଦ୍ଦେଶକ ଇଂ ସୁଧାଂଶୁ ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଇମ୍ଫାର ପାୱାର ପ୍ଲାଣ୍ଟ ପରିଚାଳନା ମୁଖ୍ୟ ଶ୍ରୀ ଲଲାଟ କିଶୋର ମହାପାତ୍ର ବାର୍ଷିକ ସୁରକ୍ଷା ବିବରଣୀ ଉପସ୍ଥାପନ କରିବା ସହ ଉଚ୍ଚ ସୁରକ୍ଷା ମାନଦଣ୍ଡ ବଜାୟ ରଖିବା ଦିଗରେ କାରଖାନାର ନିରନ୍ତର ପ୍ରୟାସ ଉପରେ ଆଲୋକପାତ କରିଥିଲେ।

ସୁରକ୍ଷା ସଚେତନତା ନିମନ୍ତେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କର୍ମଚାରୀ, ଶ୍ରମିକ, ସ୍କୁଲ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ବର୍ଗଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ଏହା ସହିତ ଦୈନନ୍ଦିନ ଜୀବନରେ ସୁରକ୍ଷାର ଗୁରୁତ୍ୱକୁ ବୁଝାଇବା ପାଇଁ ଏକ କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା। ଶେଷରେ, ଇମ୍ଫାର ମାନବସମ୍ବଳ ପ୍ରବନ୍ଧକ ତଥା ଜାତୀୟ ସୁରକ୍ଷା ସପ୍ତାହ-୨୦୨୬ର ମୁଖ୍ୟ ସମନ୍ୱୟକାରୀ ଶ୍ରୀ ନିରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ କରିବା ସହ ଏକ ସୁଦୃଢ଼ ସୁରକ୍ଷା ସଂସ୍କୃତି ଗଠନରେ ସମସ୍ତଙ୍କ ସହଯୋଗ ଓ ନିଷ୍ଠାକୁ ସେ ପ୍ରଶଂସା କରିଥିଲେ।