"ଅବସର ପ୍ରତିଭା ଆମ ପାଇଁ ପ୍ରେରଣାର ଅମୂଲ୍ୟ ଉତ୍ସ", ବିଏନଏମଏ କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ସମ୍ବର୍ଦ୍ଧନାସଭା।

96

କଟକ (ଉତ୍କଳ ନ୍ୟୁଜ ) ୬-୦୨-୨୦୨୬ : ଅବସର ମାନେ କେବଳ ବୃତ୍ତିଜୀବନରୁ ବିଦାୟ ନୁହେଁ, ଏହା ଜୀବନର ଆଉ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ। ଦୀର୍ଘ ସେବା, ଅନୁଭବ ଓ ସ୍ମୃତିର ସଞ୍ଚୟ ସହ ଅବସରଗ୍ରହଣ କରୁଥିବା ଶିକ୍ଷାବିତମାନେ ସମାଜ ପାଇଁ ପ୍ରେରଣାର ସ୍ରୋତ ବୋଲି ପାଳିଆବିନ୍ଧା କଲେଜ ଅଧ୍ୟାପକ ଓ କର୍ମଚାରୀ ସଂଘ ପକ୍ଷରୁ ଆୟୋଜିତ ଅବସର ସମ୍ବର୍ଦ୍ଧନା ସଭାରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ସଂଘର ସମ୍ପାଦକ ଅଧ୍ୟାପକ ଗୋବିନ୍ଦଚନ୍ଦ୍ର ବାଗଙ୍କ ପୌରୋହିତ୍ୟରେ ମୁଖ୍ୟ ଅତିଥି ଭାବେ କଲେଜ ଅଧ୍ୟକ୍ଷ ପ୍ରାଧ୍ୟାପକ ଅମୂଲ୍ୟ କୁମାର ପରିଡ଼ା ଯୋଗଦେଇ ଅବସର ଗ୍ରହଣ କରୁଥିବା ପ୍ରତିଭାଙ୍କ ସେବାକୁ ସ୍ମରଣ କରି ସମାଜ ଓ ଶିକ୍ଷାଜଗତରେ ତାଙ୍କ ଅବଦାନ ଅମୂଲ୍ୟ ବୋଲି କହିଥିଲେ। ବରେଣ୍ୟ ଅତିଥି ଭାବେ ଅଧ୍ୟାପକ କର୍ମଚାରୀ ସଂଘର ସଭାପତି ପ୍ରାଧ୍ୟାପକ ମହମ୍ମଦ ଇସ୍ରାଏଲ ଉପସ୍ଥିତ ରହି ଅବସରକୁ ଜୀବନର ସୃଜନଶୀଳ ପର୍ଯ୍ୟାୟ ଭାବେ ଦେଖିବାକୁ ଆହ୍ୱାନ କରିଥିଲେ। ଏହି ଅବସରରେ ଗୃହବିଜ୍ଞାନ ବିଭାଗ ମୁଖ୍ୟା ଅଧ୍ୟାପିକା ହୀରକଲତା ଦାଶ, ସାଧାରଣ ପ୍ରଶାସନ ବିଭାଗ ମୁଖ୍ୟ ଅଧ୍ୟାପକ ମୃତ୍ୟୁଞ୍ଜୟ ନାରାୟଣ ଦାସ, ଶିକ୍ଷାବିଭାଗ ମୁଖ୍ୟ ଅଧ୍ୟାପକ ଅମିୟ ରଞ୍ଜନ ଦାସ, ମନସ୍ତତ୍ତ୍ବ ବିଭାଗ ପ୍ରଶିକ୍ଷକ ବୈଷ୍ଣବ ଚରଣ ମହାନ୍ତି ଓ ପ୍ରାଣୀବିଜ୍ଞାନ ବିଭାଗ ସହାୟକ ଅକ୍ଷୟ କୁମାର ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅଧ୍ୟାପିକା ଜ୍ୟୋତିର୍ମୟୀ ପ୍ରଧାନ, ସୁଦେଷ୍ଣା ବେହେରା, ପଦ୍ମାଳୟା ଖଟୁଆ, ସ୍ବପ୍ନା ରାୟ, ଡକ୍ଟର ରଜନୀଗନ୍ଧା ପତି ଓ ଗାୟତ୍ରୀ ବେହେରା ପ୍ରମୁଖ ମାନପତ୍ର ପାଠ କରିଥିଲେ। ଓଡ଼ିଆ ବିଭାଗ ମୁଖ୍ୟ ଡକ୍ଟର ବିଶ୍ବରଂଜନ ଦାସ ବିଦାୟୀ ପ୍ରତିଭାଙ୍କ ସ୍ମୃତିରେ କବିତା ପାଠ କରି ପରିସରକୁ ଭାବାବେଗପୂର୍ଣ୍ଣ କରିଥିଲେ। ଅଧ୍ୟାପକ ସରୋଜ କୁମାର ମହାପାତ୍ର, ପ୍ରଦୀପ କୁମାର ମିଶ୍ର, ଡକ୍ଟର ସାଣ୍ଡ୍ରା ରୋଜାରିଓ, ଡକ୍ଟର ରାଜେନ୍ଦ୍ର କୁମାର, ପ୍ରଦୀପ କୁମାର ରାଉତ, ଦାଶରଥୀ ସାହୁ, ରାମଚନ୍ଦ୍ର ବେହେରା, ସୁଧାଂଶୁ ଶେଖର ପଣ୍ଡା, ଚିତ୍ତରଞ୍ଜନ ନାୟକ ପ୍ରମୁଖ ସ୍ମୃତି ଓ ଶୁଭେଚ୍ଛା ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଭରତଚନ୍ଦ୍ର ପାତ୍ର, ବିଧୁଭୂଷଣ ମୁଦୁଲି ଓ ସୁବ୍ରତ କୁମାର ମଲ୍ଲିକ ପ୍ରମୁଖ ସଂଘର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କୋଷାଧ୍ୟକ୍ଷ ଅଧ୍ୟାପକ ମଞ୍ଜୁର ଅହମ୍ମଦ ଖାନ୍ ଧନ୍ୟବାଦ ଅର୍ପଣ କରିଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |