ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ, ଯୋଗ ଦେଲେ ୨୦୦୦ରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ |
କଟକ (ଉତ୍କଳ ନ୍ୟୁଜ ) ୧୩-୧୧-୨୦୨୫ : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଭୁବନେଶ୍ୱରର ୟୁନିଟ୍-୩ ସ୍ଥିତ କ୍ୟାପିଟାଲ ହାଇସ୍କୁଲ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ଓ କହିଛନ୍ତି ଯେ ସୁରଭି କେବଳ ଶିଶୁ ପ୍ରତିଭାର ବିକାଶ ପାଇଁ ଏକ ଉତ୍ସବ ନୁହେଁ — ଏହା ପ୍ରତ୍ୟେକ ଶିଶୁମାନଙ୍କ ସ୍ୱପ୍ନ, ସୃଜନଶୀଳତା, ଚିନ୍ତାଧାରା ଓ ପ୍ରତିଭା ବିକାଶର ମଂଚ। ବିଦ୍ୟାର୍ଥୀମାନଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ସୁରଭି ଏକ ଅଦ୍ବିତୀୟ ପ୍ଲାଟଫର୍ମ ସାଜିଛି। ସୂଚନା ଯୋଗ୍ୟଯେ ଏହି ରାଜ୍ୟସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ୨୪୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଓ ସହଯୋଗୀ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ୧୦୦୦ରୁ ଉର୍ଦ୍ଧ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଛନ୍ତି । ଚଳିତ ବର୍ଷ ସୁରଭି କାର୍ଯକ୍ରମରେ – “ନିପୁଣ ଓଡ଼ିଶା-ନିପୁଣ ଭାରତ” କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଥମ ରୁ ତୃତୀୟ ଶ୍ରେଣୀର ପିଲାମାନଙ୍କୁ ବିଦ୍ୟାଳୟ ଓ କ୍ଲଷ୍ଟର ସ୍ତରରେ ଭାଗନେବାର ସୁଯୋଗ ଦିଆଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ, ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ବିଭିନ୍ନ କାର୍ଯ୍ୟକ୍ରମର ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଓ ଅତିଥି ମାନେ ବୁଲି ଦେଖିଥିଲେ। ଏଥି ସହିତ ଯୁକ୍ତ ଦୁଇ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା କଳାରେ ଦେବେନ୍ଦ୍ର ଖମାରିଆ, ବିଜ୍ଞାନରେ ସୁଶିଲ କୁମାର ନାୟକ, ବାଣିଜ୍ୟରେ ସ୍ବର୍ଣ୍ଣ ରେଖା ମନ୍ତ୍ରୀ ଏବଂ ଧନ୍ଦାମୂଳକ ଶିକ୍ଷାରେ ସୁପ୍ରିୟା ସୁତାରଙ୍କୁ ମୁଖ୍ୟମନ୍ତ୍ରୀ ୨୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଥିଲେ। ବିଭିନ୍ନ ପ୍ରତିଯୋଗିତା ଏବଂ ଶିକ୍ଷା କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଏବଂ ମୁଖ୍ୟମନ୍ତ୍ରୀ ଭାଷା ବୃତ୍ତି ପାଇଁ ୫ ଜଣଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିବା ସହିତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ହୁଇଲ ଚେୟାର ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶିଶୁମାନେ ଆମର ଭବିଷ୍ୟତ, ଆମର ଆଶା। ଶିଶୁ ମାନଙ୍କ ସ୍ୱପ୍ନକୁ ସାକାର କରିବା, ସେମାନଙ୍କ ମାର୍ଗଦର୍ଶନ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା। ବିଗତ ମାସେ ହେଲା ଜିଲ୍ଲା ଓ ବ୍ଲକ୍ ସ୍ତରରେ ବିଦ୍ୟାଳୟଗୁଡ଼ିକରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲା ଓ ବ୍ଲକସ୍ତରର ପ୍ରତିଯୋଗିତାରୁ ବିଜୟୀ ହୋଇ ଆଜି ଆପଣମାନେ ଏହି ସ୍ଥାନରେ ପହଞ୍ଚିପାରିଛନ୍ତି । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁକାୟିତ ପ୍ରତିଭାର ଉନ୍ମେଷ କରାଇବାରେ ସୁରଭି ର ଯୋଗଦାନ ଅତ୍ୟନ୍ତ ଉଲ୍ଲେଖନୀୟ । ଆମ ସରକାର ପ୍ରାକ୍ ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ଆମେ ପ୍ରୟାସ ଜାରି ରଖିଛନ୍ତି । ଗୋଦାବରୀଶ ଆଦର୍ଶ ପ୍ରାଥମିକ ବିଦ୍ୟାଳୟଠାରୁ ଆରମ୍ଭ କରି ପିଏମ-ଶ୍ରୀ ଯୋଜନା ପର୍ଯ୍ୟନ୍ତ ଆମେ କାର୍ଯ୍ୟକାରୀ କରିଛୁ । ରାଜ୍ୟରେ ଜାତୀୟ ଶିକ୍ଷା ନୀତି ୨୦୨୦ କୁ ବିଦ୍ୟାଳୟସ୍ତରରୁ ଆରମ୍ଭ କରି ବିଶ୍ଵବିଦ୍ୟାଳୟ ସ୍ତର ଯାଏଁ ସଫଳତାର ସହ କାର୍ଯ୍ୟକାରୀ କରିଛୁ। ଆମ ସରକାର ରାଜ୍ୟର ୪୫ହଜାର ବିଦ୍ୟାଳୟରେ ଶିଶୁ ବାଟିକା ଆରମ୍ଭ କରିଛନ୍ତି । ଛୋଟ ପିଲାମାନଙ୍କର ଯତ୍ନ ଏବଂ ପ୍ରାରମ୍ଭିକ ଶିକ୍ଷା ପାଇଁ ଶିଶୁ ସେବିକାଙ୍କୁ ନିଯୁକ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଥିଲେ ଯେ ରାଜ୍ୟ ସରକାର ଶିକ୍ଷାକୁ ଅତ୍ୟନ୍ତ ଗୁରୁତର ସହିତ ନେଇଛନ୍ତି। ଚଳିତ ବଜେଟରେ ଆମ ସରକାର ରେକର୍ଡ ୪୧ ହଜାର ୨୭୩ କୋଟି ଟଙ୍କା ପ୍ରାବଧାନ କରିଛନ୍ତି । ଆପଣ ଜାଣି ଖୁସି ହେବେ ଯେ ଚଳିତ ବଜେଟର ୧୪.୨ ପ୍ରତିଶତ ଅର୍ଥାତ୍ ରାଜ୍ୟ ଜିଡ଼ିପିର ୩.୯ ପ୍ରତିଶତ ଅର୍ଥ କେବଳ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ ହେଉଛି, ଯାହାକି ଦେଶରେ ଅଳ୍ପ କିଛି ରାଜ୍ୟ କରିବାରେ ସମର୍ଥ ହୋଇଛନ୍ତି। ଓଡିଶାରେ ମଧ୍ୟ ସବୁ ବିଭାଗରୁ ଶିକ୍ଷା ବିଭାଗରେ ଖର୍ଚ୍ଚ ସବୁଠାରୁ ଅଧିକ, ଏଥିରୁ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ ହେଉଛି ସିଙ୍ଘଭାଗ। ଆପଣମାନେ ଜାଣିପାରୁଥିବେ ଶିକ୍ଷାପ୍ରତି ସରକାରଙ୍କ ଆନ୍ତରିକତା। ସୁରଭି କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରତିବର୍ଷ ବିଦ୍ୟାର୍ଥୀମାନଙ୍କ ପ୍ରତିଭା ଲୋକଲୋଚନକୁ ଆଣିବାକୁ ପ୍ରୟାସ ଜାରି ରଖିଛି । ବିଦ୍ୟାର୍ଥୀମାନଙ୍କ ଭିତରେ ଅସଂଖ୍ୟ ସମ୍ଭାବନା ଏବଂ ଗୁଣାବଳୀ ଲୁଚି ରହିଛି ।

ସେମାନେ ନିଜ ଭିତର ଲୁକ୍କାୟିତ ଗୁଣାବଳୀ ଏବଂ ଦକ୍ଷତାକୁ ଚିହ୍ନଟ କରନ୍ତୁ । ବଡ଼ ସ୍ୱପ୍ନ ଦେଖିବା ପାଇଁ କେବେ ବି ଦ୍ୱିଧା ପ୍ରକାଶ କରନ୍ତୁ ନାହିଁ । କଠିନ ପରିଶ୍ରମ ଏବଂ ନିଷ୍ଠା ବଳରେ ସେମାନେ ପ୍ରତ୍ୟେକ ଲକ୍ଷ୍ୟକୁ ହାସଲ କରିପାରିବେ । ଦେଶ ନିର୍ମାଣରେ ବିଦ୍ୟାର୍ଥୀମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ତେଣୁ ବିଦ୍ୟାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷା ଏବଂ ଉତ୍ତମ ସ୍ବାସ୍ଥ୍ୟ ବ୍ୟବସ୍ଥା ଯୋଗାଇ ଦେବା ପାଇଁ ଆମ ସରକାର ନିରନ୍ତର ପ୍ରୟାସ କରୁଛନ୍ତି। ସୁରଭି ଏକ ସୁନ୍ଦର ଏବଂ ନିଆରା ମଞ୍ଚ, ଯାହା ମାଧ୍ୟମରେ ସେମାନଙ୍କୁ କଳା, ପ୍ରତିଭା ଏବଂ ସୃଜନଶୀଳତା ଉପସ୍ଥାପନ କରିବାର ସୁଯୋଗ ମିଳୁଛି। ଏହି ମହୋତ୍ସବ ମାଧ୍ୟମରେ ଆମେ ମଧ୍ୟ ସେମାନଙ୍କ ଲୁକ୍କାୟିତ ପ୍ରତିଭା ଦେଖିବାର ସୁଯୋଗ ପାଇଛୁ ବୋଲି ସେ କହିଥିଲେ । ସୂଚନା ଯୋଗ