ବୃଦ୍ଧ ଶ୍ୱଶୂର ଓ ବୋହୁଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ଗିରଫ୍ ଦାବି |

49

କଟକ (ଉତ୍କଳ ନ୍ୟୁଜ ) ୭-୦୫-୨୦୨୪ : ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ଦୌଲତପୁର ଗାଁରେ ପୂର୍ବ ଶତୃତାକୁ କେନ୍ଦ୍ରକରି ଗୋଟିଏ ପରିବାରର ବୃଦ୍ଧ ଶ୍ୱଶୂର ଓ ବୋହୁଙ୍କୁ ଅପରପକ୍ଷ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଆହତ ହୋଇ ବୃଦ୍ଧ ଶ୍ୱଶୂର ଓ ତାଙ୍କ ବୋହୁ ସଂପ୍ରତି କଟକରେ ଚିକିତ୍ସାଧିନ ଥିବା ଜଣାଯାଇଛି । ତେବେ ଚଳିତ ମାସ ୨ ତାରିଖରେ ଏପରି କାଣ୍ଡ ହୋଇଥିବା ବେଳେ ଗତ ୬ ତାରିଖରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଥିଲା । ସଂଧ୍ୟାରେ କେତେକ ସମର୍ଥକ ଥାନାରେ ପହଂଚି ଅଭିଯୁକ୍ତକୁ ଛାଡି ଦେବାଲାଗି ହୋହାଲ୍ଲା କରିଥିଲେ । ଏପିରିକି ଆକ୍ରମଣର ଶିକାର ହୋଇଥିବା ପରିବାର ଲୋକଙ୍କ ସମର୍ଥକମାନଙ୍କୁ ଆକ୍ଷେପ ମୂଳକ ମନ୍ତବ୍ୟ ଦେଇଥିବା ବିିବାଦ ସୃଷ୍ଟି ହୋଇଥିଲା । ଅଭିଯୁକ୍ତ ଗିରଫ୍ ହେଲେ ଅପରପକ୍ଷରୁ ସମସ୍ତେ ଗିରଫ୍ ହେବା ଦରକାର ବୋଲି କହିଥିଲେ । ଯାହାକୁ ନେଇ ପୋଲିସ ଦୋଛକିରେ ପଡି ଯାଇଥିଲା । ରାତି ପ୍ରାୟ ୧୧.୩୦ ଘଟିକାରେ ଅଭିଯୁକ୍ତ ଶାରିରୀକ ଅସୁସ୍ଥତା କାରଣରୁ ପୋଲିସ ତାଙ୍କୁ ୧୧୨ ଗାଡିରେ ତିହିଡି ନେଇଯିବା ପରେ ପୀଡିତ ପରିିବାର ଓ ସମର୍ଥକମାନଙ୍କ ପକ୍ଷରୁ ଉତ୍ତେଜନା ପ୍ରକାଶ ପାଇଥିଲା । ମଥା ପାତିବାକୁ ତାଳ ଖସିବା ପରି ସେମାନେ ପୋଲିସ ଉପରେ ସନ୍ଦେହ ପ୍ରକଟ କରିଥିଲେ । କୌଣସି କାରଣ ନଥାଇ ମେଡିକାଲ ବାହାନାରେ ଅଭିଯୁକ୍ତକୁ ଥାନାରୁ ନିଆଯାଇ ବାହାରେ ଛାଡି ଦିଆଯିବ ବୋଲି ସେମାନେ ସନ୍ଦେହ କରିବା ସହିତ ଥାନା ଦୁଆରେ ଧାରଣା ଦେଇଥିଲେ । ଖୋଦ୍ ସରପଞ୍ଚ ପ୍ରଭାତ ମିଶ୍ରଙ୍କ ସମେତ ସମିତି ସଭ୍ୟଙ୍କ ପ୍ରତିନିଧି ଗୋପବନ୍ଧୁ ସେନାପତି, ହିମାଦ୍ରୀ ମିଶ୍ର, ପ୍ରଶାନ୍ତ ଜେନା, ଅଜୟ ମହାନ୍ତି, ରଞ୍ଜନ ଦାସ ଅଭିଯୋଗକାରୀଙ୍କ ପରିବାର ଓ ସମର୍ଥକ ପ୍ରମୁଖ ପ୍ରାୟ ୨୦ ଜଣ ପୁରୁଷ ଓ ମହିଳା ଅଭିଯୁକ୍ତକୁ ଥାନାକୁ ନଆଣିବା ପର୍ଯ୍ୟନ୍ତ ସେଠାରେ ବସି ରହିବେ ବୋଲି ଚେତାବନି ଦେଇଥିଲେ । ତେବେ ଅଭିଯୁୁକ୍ତ ଗଦାଧର ବାରିକ ଶାରିରୀକ ଅସୁସ୍ଥତା ଥିବାନେଇ ମେଡିକାଲରେ ଭର୍ତ୍ତୀ କରାଯାଇଛି ଏବଂ ସୁସ୍ଥ ହେଲେ ଆଇନ୍‌ଗତ ପଦକ୍ଷେପ ନିଆଯିବ ବୋଲି ଚାନ୍ଦବାଲି ଏସଡିପିଓ କାର୍ତ୍ତି ଚନ୍ଦ୍ର ମଲ୍ଲିକ ଫୋନ୍ ଯୋଗେ ପ୍ରତିଶୃତି ଦେବାପରେ ରାତି ପ୍ରାୟ ୨ ଘଟିକାରେ ପରିସ୍ଥିିତି ଶାନ୍ତ ପଡିଥିଲା । ସୂଚନା ମୁତାବକ, ପୂର୍ବ ଶତୃତାକୁ କେନ୍ଦ୍ରକରି ଦୌଲତପୁର ଗାଁର ଗତ ୨ ତାରିଖରେ ଗଦାଧର ବାରିକଙ୍କ ସମେତ ୪ ଜଣ ମିଳିତଭାବେ ବୃଦ୍ଧ ରଜନୀକାନ୍ତ ବାରିକଙ୍କୁ ଅତି କଦର୍ଯ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ବାଡିରେ ପିଟିଥିବା ଅଭିଯୋଗ ହୋଇଛି । କ୍ଷତାକ୍ତ, ରକ୍ତାକ୍ତ ହେବାପରେ ସଂଜ୍ଞାହୀନ ହୋଇ ଯାଇଥିଲେ ବୃଦ୍ଧ । ତାଙ୍କ ବୋହୁ ଲକ୍ଷ୍ମୀପ୍ରିୟା ବାରିକ ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତ ଗଦାଧର ତାଙ୍କୁ ଟଣାଓଟରା କରି ତଳେ କଚାଡି ଦେଇଥିଲେ ଏବଂ ଅର୍ଦ୍ଧଲଗ୍ନ କରାଇ ଦେଇଥିଲେ । ବୃଦ୍ଧଙ୍କ ସ୍ତ୍ରୀ ଏହାଦେଖି ଡାକହୁଡି ପକାଇବା ପରେ ଗ୍ରାମବାସୀ ଦୌଡି ଆସି ସେମାନଙ୍କୁ ଉଦ୍ଧାର କରିବା ସହିତ ମେଡିକାଲରେ ଭର୍ତ୍ତୀ କରାଇଥିଲେ । ବୃଦ୍ଧଙ୍କ ସ୍ତ୍ରୀ ଶାନ୍ତିଲତା ବାରିକଙ୍କ ଅଭିଯୋଗ ମୂଳେ ସଂଗୀନ ଦଫାରେ ଏକ ମାମଲା ରୁଜୁ ହୋଇଛି ଏବଂ ଗତକାଲି ପୋଲିସ ମୁଖ୍ୟ ଅଭିଯୁକ୍ତ ଗଦାଧର ବାରିକଙ୍କୁ ଥାନାରେ ଅଟକ ରଖିବା ପରେ ତାଙ୍କ ସମର୍ଥକମାନଙ୍କ ପକ୍ଷରୁ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ଦାସଙ୍କ ରପୋର୍ଟ ଉତ୍କଳ ନ୍ୟୁଜ |