ତିହିଡି ବ୍ଲକର ୧୩ ପଞ୍ଚାୟତ ସଞ୍ଜୟଙ୍କ ପାଇଁ ନେବ ନିର୍ଣ୍ଣାୟକ ଭୂମିକା |

78

କଟକ (ଉତ୍କଳ ନ୍ୟୁଜ ) ୦୬-୦୫-୨୦୨୪ : ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକର ୧୩ ପଞ୍ଚାୟତ ବିଜେଡି ପ୍ରାର୍ଥିୀ ଡାକ୍ତର ସଞ୍ଜୟ ଦାସଙ୍କ ପାଇଁ ନେବ ନିର୍ଣ୍ଣାୟକ ଭୂମିକା । ଏନେଇ ଦଳ ପକ୍ଷରୁ ବ୍ୟାପକ ଖସଡା ପ୍ରସ୍ତୁତ ଚାଲିଛି । ୨୦୧୯ ନିର୍ବାଚନ ଏବଂ ୨୦୨୨ ଉପନିର୍ବାଚନରେ ପରାଜୟ ସ୍ୱିିକାର କରିବା ପରେ ଏଥର ଦଳ ବିଜୟ ତିଲକ ପିନ୍ଧିବାର ଲକ୍ଷ୍ୟ ରଖିଛି । ଏହି ଆସନ ଲାଗି ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ପ୍ରାର୍ଥୀମାନେ ଜୋରଦାର ପ୍ରଚାର ଆରମ୍ଭ କରି ଦେଇଛନ୍ତି । ବିଶେଷକରି ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଭୁକ୍ତ ତିହିଡି ବ୍ଲକର ୧୩ ପଞ୍ଚାୟତରୁ ସର୍ବାଧିକ ଭୋଟ ହାତେଇବାକୁ ପ୍ରାର୍ଥୀ ମାନେ ଉଦ୍ୟମ ଆରମ୍ଭ କରିଥିବା ଦେଖିବାକୁ ମଳିଛି । ଧାମନଗର ବ୍ଲକର ୩୧ଟି ଓ ତିହିଡି ବ୍ଲକର ୧୩ଟି ମୋଟ ୪୪ଟି ପଞ୍ଚାୟତ ଓ ଗୋଟିଏ ଏନଏସିକୁ ନେଇ ଏହି ନିର୍ବାଚନ ମଣ୍ଡଳୀଟି ଗଠିତ ହୋଇଛି । ଡାକ୍ତର ଦାସ ଧାମନଗର ବ୍ଲକର ୩୧ଟି ପଞ୍ଚାୟତ ଓ ଏନଏସିରେ ନିଜର ପ୍ରଚାର ଅଭିଯାନକୁ ଜୋରଦାର କରିଥିବା ବେଳେ ତିହିଡି ବ୍ଲକର କାଁପଡା, ଶ୍ୟାମସୁନ୍ଦରପୁର, ତଳଗୋପବିନ୍ଧା, ବୋଡକ, ବାରୋ, ବିଲଣା, କୁବେରା, ନୟାନନ୍ଦ, ଦୋଳସାହି, ଗୁଆମାଳ, ପାଳିଆବିନ୍ଧା, ତାଳପଦା ଓ ଅଚକ ପଞ୍ଚାୟତରୁ କିଭଳି ପୂର୍ବାପେକ୍ଷା ଅଧିକ ଭୋଟ ଅକ୍ତିଆର କରିହେବ ସେଥିପାଇଁ ଦିନରାତି ଏକକାର କରି ଦେଇଛନ୍ତି । ଗତ ଉପ ନିର୍ବାଚନରେ ବିଜେପି ଏହିସବୁ ପଞ୍ଚାୟତରେ ବିଜେଡି ଅପେକ୍ଷା ଅଧିକ ଭୋଟ ପାଇଥିବାରୁ ଏଥର ଦଳର ବରିଷ୍ଠ ନେତୃତ୍ୱଙ୍କ ସହଯୋଗରେ ସେ ଏହିସବୁ ପଞ୍ଚାୟତକୁ ଅଧିକ ଫୋକସ କରି ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମକୁ ଅଧିକ ସକ୍ରିୟ କରିଥିବା ବେଳେ ବିଭିନ୍ନ ସ୍ଥାନରେ ମିଶ୍ରଣ ପର୍ବମାନ ଆୟୋଜନ କରି ଅନ୍ୟ ଦଳର କର୍ମୀଙ୍କୁ ନିଜ ଦଳରେ ମିଶାଇବାକୁ ସକ୍ଷମ ହୋଇଛନ୍ତି । ସେହିପରି ବିଭିନ୍ନ ସ୍ଥାନରେ ରୋଗୀସେବା ମାନ କରି ଲୋକଙ୍କ ମନ କିଣିବାକୁ ବି ପ୍ରୟାସ ଜାରି ରଖିଛନ୍ତି । ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ଭଦ୍ରକ ସଂସଦୀୟ କ୍ଷେତ୍ରର ସଂଯୋଜିକା ବିଦ୍ୟୁତଲତା ନାୟକ, ପ୍ରାକ୍ତନ ବିଧାୟକ ବିଜୟ ନାୟକ, ନିର୍ବାଚନ ମଣ୍ଡଳୀର ଦଳୀୟ ସଂଯୋଜକ ତାପସ ପାଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଚିନ୍ତାମଣି ଦାସ, ଯୁବ ସଭାପତି ରାକେଶ ମହାପାତ୍ର, ପ୍ରାକ୍ତନ ସରପଞ୍ଚ ପ୍ରଦୀପ ପଣ୍ଡା, ବରିଷ୍ଠ ନେତା ଗଣେଶ ପ୍ରସାଦ ବିଶ୍ୱାଳ, ସୁଧନ୍ୱା ନାୟକ, ବରିଷ୍ଠ ନେତା ହରେକୃଷ୍ଣ ଜେନା, ପ୍ରତାପ ଜେନା, ମାନସ ପାଠୀ, ପ୍ରଫୁଲ ଦାସ, ଉତ୍ତମ ଦାସ, ଶରତ ଦାସ, ଶିକ୍ଷାବିତ୍ ଭୀମସେନ ବାରିକ, ମିନତୀଲତା ଦାସ, ଅମର ମଳିକ, ନିଳମଣି ସାହୁ, ସରପଞ୍ଚ ଗୌରୀ ଶଙ୍କର ଜେନା, ଯଶୋଦା ମଲ୍ଲିକ, ପ୍ରେମଲତା ବିଶ୍ୱାଳ ଓ ଜୟଶ୍ରୀ ବେହେରା, ଅନିଲ ନାୟକ, ଲକ୍ଷ୍ମୀକାନ୍ତ ମହାପାତ୍ର, ଶଶଧର ସାମଲ, ବିଷ୍ଣୁମୋହନ ଜେନା, ଚିତ୍ତରଞ୍ଜନ ଦିକ୍ଷିତ ପ୍ରମୁଖ ଦଳୀୟ କର୍ମକର୍ତ୍ତାଙ୍କ ସହଯୋଗ କ୍ରମେ ଦଳୀୟ ସଙ୍ଗଠନକୁ ମଜବୁତ କରି ଆଗାମୀ ନିର୍ବାଚନ ବୈତରଣୀକୁ ପାରି ହେବାକୁ ସେ ମନରେ ଆଶା ରଖିଛନ୍ତି । ତେବେ ଏଠାକାର ଭୋଟର ବେଶ ସଚେତନ ଥିବା କାରଣରୁ ପ୍ରତିଦ୍ୱନ୍ଦିତା କରୁଥିବା ୩ ଯୁବ ପ୍ରାର୍ଥୀଙ୍କ ମଧ୍ୟରୁ ସେମାନେ ଜଣେ ଦକ୍ଷ, ଯୋଗ୍ୟ ଓ ପରିପକ୍ୱ ପ୍ରାର୍ଥୀଙ୍କୁ ଏଠାରୁ ନିର୍ବାଚିତ କରିବାର ସମ୍ଭାବନା ରହିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |