ଗରିବ, ଅସହାୟ ଲୋକଙ୍କ ଦୁଃଖ ପ୍ରତି ଉଦାସୀନ ରହି ହେବ ନାହିଁ -- ମୁଖ୍ୟମନ୍ତ୍ରୀ |

22

କଟକ (ଉତ୍କଳ ନ୍ୟୁଜ ) ୨୧-୦୪-୨୦୨୫: ସମୟ ଥିଲା ସକାଳ ୮ ଟା। ଲୋକାରଣ୍ୟ ହୋଇ ଉଠିଥିଲା ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସର । କାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀ ଆସିଛନ୍ତି ଲୋକଙ୍କ ସମସ୍ୟା ଓ ଅଭିଯୋଗ ଶୁଣିବା ପାଇଁ । କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି ତାଙ୍କ ସହିତ ଥିଲେ ସହଯୋଗୀ ୧୦ ଜଣ ମନ୍ତ୍ରୀ ଓ ରାଜ୍ୟ ପ୍ରଶାସନର ବିଭିନ୍ନ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ ସଚିବ ସ୍ତରୀୟ ଅଧିକାରୀଗଣ । ସମ୍ପୂର୍ଣ୍ଣ ରାଜ୍ୟ ପ୍ରଶାସନ ସ୍ଥାନାନ୍ତରିତ ହୋଇଥିଲା ସମ୍ବଲପୁରକୁ ।ଲୋକଙ୍କ ଅଭିଯୋଗ ଶୁଣି ଏହାର ସମାଧାନ କରିବାକୁ । ଆଜିଥିଲା ଅଭିଯୋଗ ଶୁଣାଣିର ୧୦ମ ପାଳି। ଏହା ଥିଲା ଅନ୍ୟ ନଅ ଟି ପାଳି ଠାରୁ ଭିନ୍ନ, କାରଣ ସରକାରଙ୍କ ପାଖକୁ ଲୋକ ଆସି ନାହାନ୍ତି, ସରକାର ଆସିଛନ୍ତି ଲୋକଙ୍କ ଅଭିଯୋଗ ଶୁଣିବାକୁ। ଗତ କାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟଗଣ ସମ୍ବଲପୁରରେ ପହଞ୍ଚି ମା ସମଲେଶ୍ୱରୀଙ୍କ ଦର୍ଶନ କରି ରାଜ୍ୟବାସୀଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ସମ୍ବଲପୁରରେ ଏ ଜନ ଶୁଣାଣି କାର୍ଯ୍ୟକ୍ରମ ସମସ୍ତଙ୍କ ପାଇଁ ଶୁଭଙ୍କର । ସରକାରଙ୍କ ପାଇଁ, ଲୋକଙ୍କ ପାଇଁ, ଓଡ଼ିଶା ରାଜ୍ୟ ପାଇଁ ଓ ସର୍ବୋପରି ଗଣତନ୍ତ୍ର ପାଇଁ ଏକ ସକରାତ୍ମକ ବାର୍ତ୍ତା ଦେଉଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଆମର ଏହି ଜନ ଶୁଣାଣି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମାର୍ଗ ଦର୍ଶନ ଆମକୁ ଲୋକଙ୍କ ଆହୁରି ନିକଟତର ହେବାକୁ ପ୍ରେରଣା ଦେଇଛି ବୋଲି ସେ କହିଛନ୍ତି। ସେ ଆହୁରି କହିଥିଲେ ଯେ, ଏହି କ୍ଷେତ୍ରୀୟ ଜନଶୁଣାଣି କାର୍ଯ୍ୟକ୍ରମ ଦ୍ୱାରା ଅଧିକାରୀ ମାନେ ସେମାନଙ୍କ ସ୍ତରରେ ହିଁ, ଯେତେଦୂର ସମ୍ଭବ, ଲୋକଙ୍କ ସମସ୍ୟା ସମାଧାନ କରିବାକୁ ତତ୍ପର ହେବେ। ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ଦିଗରେ ଅଧିକ ସଚେତନ ହେବେ ବୋଲି ସେ କହିଛନ୍ତି। ସମସ୍ତ ଅଭିଯୋଗର ଶୀଘ୍ର ସମାଧାନ ପାଇଁ ଅଧିକାରୀ ମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆ ଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ପୂର୍ବ ଜନଶୁଣାଣି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଗରୁ ଭୁବନେଶ୍ୱରରେ ଆମର ନଅ ଟି ଜନ ଶୁଣାଣି ହୋଇଛି। ପୂର୍ବ ନଅ ଟି ପାଳିରେ ୯,୩୭୭ ଲୋକଙ୍କ ଅଭିଯୋଗ ଗ୍ରହଣ କରିଛୁ ଏବଂ ପ୍ରାୟ ୮୮ ପ୍ରତିଶତ ଅଭିଯୋଗର ସମାଧାନ କରାଯାଇଛି। ଅବଶିଷ୍ଟ ଗୁଡିକ ପ୍ରକ୍ରିୟା ଭିତରେ ଅଛି ।ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ୧୦ମ ପାଳି। ଏହି ପାଳିରେ ପ୍ରାୟ ୧୦୦୦ ଜଣ ଅନଲାଇନ ଜରିଆରେ ପଂଜିକୃତ ଓ ଅଫଲାଇନରେ ପ୍ରାୟ ୪୦୦ ଲୋକଙ୍କ ଅଭିଯୋଗ ଗ୍ରହଣ କରାଯାଇଛି । ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମରେ ଅସାଧ୍ୟ ଓ ଦୂରାରୋଗ୍ୟରେ ପୀଡ଼ିତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଉଛି। ଆଜି ଏହି ସିଷ୍ଟମରେ ଚିକିତ୍ସା ଖର୍ଚ୍ଚ ପାଇଁ ୧୮ ଜଣଙ୍କୁ ୧୯ ଲକ୍ଷ ୫୦ ହଜାର ଟଙ୍କାର ଚିକିତ୍ସା ସହାୟତା ପ୍ରଦାନ କରାଯାଇଛି । ଏହି ତତ୍‌କାଳ ସହାୟତା ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଅଭିଯୋଗ ପ୍ରକୋଷ୍ଠରେ ଡାକ୍ତରୀ ଦଳ ମଧ୍ୟ ନିୟୋଜିତ ଥିଲେ । କେବଳ ଚିକିତ୍ସା ସହାୟତା ନୁହେଁ, ଅନ୍ୟାନ୍ୟ ବିଭିନ୍ନ ସମସ୍ୟା ନେଇ ଅଭିଯୋଗକାରୀମାନେ ଆସିଥିଲେ । ସମସ୍ତଙ୍କ ଅଭିଯୋଗ ଗୁଡ଼ିକୁ ଗୁରୁତ୍ୱର ସହ ଶୁଣି ଆବଶ୍ୟକ ସ୍ଥଳେ ଟେଲିଫୋନ୍ ଜରିଆରେ ମନ୍ତ୍ରୀମଣ୍ଡଳର ସଦସ୍ୟ ଓ ଉପସ୍ଥିତ ବରିଷ୍ଠ ସଚିବ ସ୍ତରୀୟ ଅଧିକାରୀମାନେ ସମ୍ପୃକ୍ତ କର୍ତ୍ତୃପକ୍ଷମାନଙ୍କୁ ନିର୍ଦ୍ଦେଶ ଦେଉଥିଲେ । ଅଭିଯୋଗ ପ୍ରକୋଷ୍ଠରୁ ଫେରୁଥିବା ପ୍ରତ୍ୟେକଙ୍କ ମୁହଁରେ ପ୍ରକାଶ ପାଉଥିଲା ଭରସା ଓ ଆତ୍ମ ସନ୍ତୋଷର ଚିହ୍ନ । ଅଭିଯୋଗକାରୀଙ୍କ ମଧ୍ୟରେ ଥିଲେ ସମ୍ବଲପୁରର ଦୀପ୍ତିରାଣୀ ପାଢ଼ୀ । ସେ ତାଙ୍କ ପେନ୍ସନ ସଂକ୍ରାନ୍ତୀୟ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କ ସମସ୍ୟା ଶୁଣିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀମତୀ ପାଢ଼ୀ ଗଭୀର ଆତ୍ମସନ୍ତୋଷର ସହ ଘରକୁ ଫେରିଥିଲେ । ସେହିପରି ବରଗଡ଼ ଜିଲ୍ଲା ଡୁଙ୍ଗୁରିବାହାଲ ର କିଛି ବାସିନ୍ଦା ଆସିଥିଲେ ଡୁଙ୍ଗୁରିବାହାଲ ଜଳସେଚନ ପ୍ରକଳ୍ପରୁ ଜଳସେଚନ ସୁବିଧା କରାଇବା ପାଇଁ । ମୁଖ୍ୟମନ୍ତ୍ରୀ ତୁରନ୍ତ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏହାର ସମାଧାନ ପାଇଁ । ମୁଖ୍ୟମନ୍ତ୍ରୀଙ୍କ ଠୁ ଆଶ୍ୱାସନା ପାଇ ସେମାନେ ଖୁସି ମନରେ ଫେରିଥିଲେ । ଏହିପରି ଜଣେ ପରେ ଜଣେ ଅଭିଯୋକାରୀ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମାନଙ୍କୁ ଭେଟି ଭରସା ଓ ସନ୍ତୋଷ ନେଇ ଫେରୁଥିଲେ । ସମସ୍ତଙ୍କ ମୁହଁରେ ଥିଲା ଖୁସିର ଲହରୀ କାରଣ ମୁଖ୍ୟମନ୍ତ୍ରୀ ନିଜେ ତାଙ୍କ ସମସ୍ୟା ଶୁଣିଛନ୍ତି ଓ ସମାଧାନର ବ୍ୟବସ୍ଥା ମଧ୍ୟ କରିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀଙ୍କ ସହିତ ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ, ପଞ୍ଚ