ବାରୋରେ ମାନସିକ ରୋଗୀଙ୍କୁ ଫୁସୁଲେଇ ଜମି ହାତେଇବା ଘଟଣା, ଆରଆଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ବିକ୍ରି ଦଲିଲ ଖାରଜ ଦାବି |

539

କଟକ (ଉତ୍କଳ ନ୍ୟୁଜ ) ୧୪-୦୨-୨୦୨୫ : ଭଦ୍ରକ ଜିଲା ତିହିଡ଼ି ତହସିଲ ବିଲଣା ଆରଆଇ ସର୍କଲ ଅଧିନ ବାରୋ ମୌଜାରେ ଏକ ଘରବାଡି କିସମ ତଥା କୋଠା ଗୃହ ରହିଥିବା ବେଳେ ଚଞ୍ଚକତା ପୂର୍ବକ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ସଂପୃକ୍ତ ଜାଗା ହାତେଇଥିବା ଅଭିଯୋଗ ହୋଇଛି । ବିକ୍ରେତା ବାରୋ ଗ୍ରାମର ଉଗ୍ରସେନ ଦାସ ଜଣେ ମାନସିକ ରୋଗୀ, ମଦ୍ୟପ ତଥା ଅର୍ଦ୍ଧ ପାଗଳ ବୋଲି ତାଙ୍କ ପୁଅ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ ଉଗ୍ରସେନଙ୍କ ହାର୍ଟ ସର୍ଜରୀ ହୋଇଥିବା ଏବଂ ସେ ନିୟମିତ ଚିକିତ୍ସାଧିନ ଥିବାବେଳେ ଅପରପକ୍ଷ ତାଙ୍କର ସରଳତାର ସୁଯୋଗ ନେଇ ଉଗ୍ରସେନ ଦାସଙ୍କ ନାମରେ ଥିବା ବାରୋ ମୌଜାର ଖାତା ନମ୍ବର ୫୨୫/୩୦୫, ପ୍ଲଟ ୧୭୪୩, ରକବା ୨ ଡିସିମିଲ୍‌, ଖାତା ନମ୍ବର ୫୨୫/୩୮୨, ପ୍ଲଟ ୧୭୪୨/୨୭୩୪, ରକବା ୧ ଡିସିମିଲ୍ ଏବଂ ଖାତା ନମ୍ବର ୫୨୫/୩୧୭, ପ୍ଲଟ ୧୭୪୨/୨୬୬୨, ରକବା ୨ ଡିସିମିଲ୍ ମୋଟ୍ ୫ ଡିସମିଲ୍ ଜମି କ୍ରୟ କରିଛନ୍ତି । କେବଳ ସେତିକି ନୁହେଁ ଜମି ବିକ୍ରି ପୂର୍ବରୁ ଉକ୍ତ ଜାଗାରେ କୋଠା ଗୃହ ନିର୍ମାଣ ହୋଇଛି ଏବଂ ଘରଗୁଡିକ ଭଡା ସୂତ୍ରରେ ଦିଆଯାଇଥିବା ବେଳେ ସଂପୃକ୍ତ ଆରଆଇ କେବଳ ଘରବାଡି କିସମ, କୌଣସି ଗୃହ ନଥିବା ଏବଂ ବିଦ୍ୟୁତ୍ ସଂଯୋଗ ନଥିବା ଦର୍ଶାଇଥିବା ଜଣା ଯାଇଛି । ଏହା ଦ୍ୱାରା ସରକାରଙ୍କ ରାଜସ୍ୱ ହାନି ହୋଇଥିବା ସେ ଅଭିଯୋଗ କରିଛନ୍ତି । ଏତତ୍ ବ୍ୟତିତ ସଂପୃକ୍ତ ଜାଗାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହୋଇଥିବା ବେଳେ କ୍ରେତା ଜଣକ ଚଞ୍ଚକତା କରି ଦଲିଲରେ (ଦଲିଲ ନମ୍ବର ୨୧୦, ତା ୧୧.୦୨.୨୫) ମାତ୍ର ୧ ଲକ୍ଷ ୮୫ ହଜାର ଦର୍ଶାଇଥିବା ଜଣାଯାଇଛି ।

ସଂପୃକ୍ତ ଆରଆଇଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଉଗ୍ରସେନଙ୍କ ପୁଅ ବିକାଶ ଦାସ ଉଭୟ ତହସିଲଦାର ଓ ଜିଲ୍ଲା ଉପ-ନିବନ୍ଧକଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ପ୍ରତିକ୍ରିୟାଶୀଳ ହୋଇଥିବା ଜଣାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ସଂପୃକ୍ତ ଦଲିଲର ନାମଜାରୀ ବନ୍ଦ କରିବା ସହିତ ଘଟଣାର ତଦନ୍ତ କରିବାକୁ ରାଜସ୍ୱ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅନ୍ୟପଟେ ଦଲିଲ ଖାରଜ କରିବା ଲାଗି ଉଗ୍ରସେନ ଦାସଙ୍କ ପୁଅ ବିକାଶ ଦାସ ଆଇନ୍‌ର ଆଶ୍ରୟ ନେଇଥିବା ଜଣାଯାଇଛି । ଏହି ଘଟଣାଟି ସଂପ୍ରତି ଚର୍ଚ୍ଚାର ବିଷୟ ସାଜିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |