କଟକ (ଉତ୍କଳ ନ୍ୟୁଜ ) ୦୪.୦୨.୨୦୨୫ : ବାରବାଟୀ ଷ୍ଟାଡିୟମଠାରେ ଚଳିତ ମାସରେ ହେବାକୁ ଥିବା ଭାରତ ବନାମ ଇଂଲଣ୍ଡ ମଧ୍ୟରେ ଆର୍ନ୍ତଜାତିୟ ଦିନିକିଆ କ୍ରିକେଟ ମ୍ଯାଚର ସଫଳ ଆୟୋଜନ ନିମନ୍ତେ ସମସ୍ତ ପ୍ରସ୍ତୁତି ସଂପର୍କରେ ସଂପୃକ୍ତ ବିଭାଗର ଅଧିକାରୀ ,ଯନ୍ତ୍ରୀ ଏବଂ ଓଡିଶା କ୍ରିକେଟ ସଂଘ ଓ ଅଲମ୍ପିକ ସଂଘର କର୍ମକର୍ତ୍ତାକୁ ନେଇ ଆଜି ପୂର୍ବାହ୍ନରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀ ପରମେଶ୍ଵରନ .ବି ଙ୍କ ଅଧ୍ଯକ୍ଷତାରେ ଆୟୁକ୍ତଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଆର୍ନ୍ତଜାତିୟ ଦିନିକିଆ ମ୍ଯାଚ ଆଯୋଜନ ନିମନ୍ତେ ସଂପୃକ୍ତ ବିଭାଗମାନେ ତତ୍ପରତାର ସହ ସମସ୍ତ ଦାୟିତ୍ଵ ବହନ କରିବେ ବୋଲି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ବୈଠକ ଆରମ୍ଭରେ ସୂଚନା ପ୍ରଦାନ କରି କାର୍ଯ୍ୟ ଖସଡା ଅନୁଯାୟୀ ପ୍ରତ୍ଯେକ ବିଭାଗୀୟ ଅଧିକାରୀ ନିଜ ନିଜର ଦାୟିତ୍ଵ ନିଶ୍ଚିତ କରାଇବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଉଭୟ ଦଳର ଖେଳାଳିମାନଙ୍କ ଯାତାୟତ ସହ ଷ୍ଟାଡିୟମ ମଧ୍ୟରେ ସେମାନଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ଆୟୁକ୍ତ ପୋଲିସ କମିଶନରେଟ , ଭୁବନେଶ୍ଵର-କଟକ ଶ୍ରୀ ସୁରେଶ ଦେବ ଦତ୍ତ ସିଂ ସମସ୍ତ ସୁରକ୍ଷା କଡାକଡି କରିବା ସହ ଷ୍ଟାଡିୟମ ଭିତର ଏବଂ ବାହାରେ ଦର୍ଶକମାନଙ୍କ ସୁରକ୍ଷା ଏବଂ ଟ୍ରାଫିକ ବ୍ୟବସ୍ଥା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ପୋଲିସ ଉପ-ଆୟୁକ୍ତ କଟକ ଶ୍ରୀ ଜଗମୋହନ ମିନାଙ୍କ ସହ ବୈଠକରେ ଆଲୋଚନା କରାଯାଇଥିଲା । ବୈଠକରେ ଆଲୋଚନା ମାଧ୍ୟମରେ ପୋଲିସ ଉପ ଆୟୁକ୍ତ କଟକ ଶ୍ରୀ ମିନା ଷ୍ଟାଡିୟମର ଚାରୋଟି ଗେଟକୁ ପ୍ରସ୍ଥାନ ନିମନ୍ତେ ବ୍ୟବହାର କରାଯିବା ସହ ସେଠାରେ ସୁରକ୍ଷା କର୍ମୀ ମୁତୟନ ସହ ଖାଦ୍ଯ, ପାନୀୟ ଓ ସଫେଇ ବ୍ୟବସ୍ଥା ନିମନ୍ତେ ନିଯୋଜିତ ହେବାକୁ ଥିବା ବ୍ୟକ୍ତି ବିଶେଷଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ । ଏହି ବୈଠକରେ ପାନୀୟଜଳ ଯୋଗାଣ ନିମନ୍ତେ ସାଧାରଣ ପରିଚାଳକ ୱାଟକୋକୁ ଟିକେଟ ବିକ୍ରୟ ସମୟରେ ୪ ଗୋଟି ୱାଟର ଟ୍ୟାଙ୍କର ଏବଂ ମ୍ଯାଚ ଦିନ ୧୦ ଗୋଟି ୱାଟର ଟ୍ୟାଙ୍କର ଗାଡି ରହଣି ସ୍ଥଳରେ ବ୍ୟବସ୍ଥା କରିବାକୁ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ନିର୍ଦ୍ଦେଶ ଦେଇଥିଲେ । ଓଡିଶା କ୍ରିକେଟ ସଂଘ ପକ୍ଷରୁ ଷ୍ଟାଡିୟମ ପରିସରରେ ଦର୍ଶକମାନଙ୍କ ନିମନ୍ତେ ଡ଼ିସପେନସିଙ୍ଗ ମେସିନ ଜରିଆରେ କାଗଜ କପ ମାଧ୍ୟମରେ ପାନୀୟଜଳର ଯୋଗାଇ ଦିଆଯିବ । ମ୍ଯାଚ ଆୟୋଜନ ସମୟରେ ଅଗ୍ନିନିରାପତ୍ତା ଜନିତ ତଥା ସମସ୍ତ ଦୁର୍ଘଟଣାକୁ ଏଡାଇବା ନିମନ୍ତେ ଅଗ୍ନିଶମ ବିଭାଗ ଏବଂ ଓଡିଶା କ୍ରିକେଟ ସଂଘ ଉଭୟ ଅଗ୍ନିଶମ ନିର୍ଦ୍ଦେଶନାମା ପାଳନ ପୂର୍ବକ ସମସ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ତା ୦୫.୦୨.୨୦୨୫ ରିଖ ଏବଂ ୦୬.୦୨.୨୦୨୫ରିଖ ସମୟରେ ତଥା ମ୍ଯାଚ ଦିବସ ଦିନ ମଧ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ଵତନ୍ତ୍ର ସ୍ୱାସ୍ଥ୍ୟ ସେବା ଦଳ ସହ ଆମ୍ବୁଲାନ୍ସର ବ୍ୟବସ୍ଥା ସହ ଓଡିଶା କ୍ରିକେଟ ସଂଘଙ୍କ ପକ୍ଷରୁ ଦର୍ଶକଙ୍କ ନିମନ୍ତେ ସ୍ଵତନ୍ତ୍ର ଚିକିତ୍ସା ସୁବିଧା ମଧ୍ୟ କରାଯିବ । ଏସସିବି, ଅଶ୍ଵନୀ ହସ୍ପିଟାଲ, କିମ୍ସ ଚିକିତ୍ସାଳୟ ପକ୍ଷରୁ ସେମାନଙ୍କ ସହଯୋଗରେ ସ୍ୱାସ୍ଥ୍ୟସେବା କୁ ଗୁରୁତ୍ଵ ଦିଆଯିବ ବୋଲି ଆଲୋଚନା କରାଯାଇଥିଲା । ଷ୍ଟାଡିୟମ ପରିସରରେ ସ୍ଵତନ୍ତ୍ର ଡାକ୍ତରୀ ଦଳ ଏବଂ ଆମ୍ବୁଳାଂଶ ସେବା ନିମନ୍ତେ ଆବଶ୍ଯକୀୟ ଔଷଧ ମହଜୁଦ ରଖାଯିବ । ସେହିଭଳି ମ୍ଯାଚ ଆୟୋଜନ ସମୟରେ ଷ୍ଟାଡିୟମ ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ସଫେଇ ଓ ସୌନ୍ଧର୍ଜୀକରଣ ସହ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ଵାରୋପ କରାଯିବା ସହ ଗାଡି ରହଣିସ୍ଥଳରେ ଆଲୋକିକରଣ ବ୍ୟବସ୍ଥା ନିମନ୍ତେ କଟକ ମହାନଗର ନିଗମ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଲୋଚନା କରାଯାଇଥିଲା । ଏଥି ସହ କଟକ ମହାନଗର ନିଗମ ପକ୍ଷରୁ ପାଞ୍ଚଦିନ ଧରି ନିକଟବର୍ତ୍ତୀ ଅଞ୍ଚଳରେ ମସା ଧୂଆଁର ବ୍ୟବସ୍ଥା କରିବା ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା । ସେହିଭଳି ଟିପିସିଓଡ଼ିଏଲ ପକ୍ଷରୁ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ନିମନ୍ତେ ବୈଠକରେ ଆଲୋଚନା ସହ ପୁରସ୍କାର ପ୍ରଦାନ ନିମନ୍ତେ ପୂର୍ତ୍ତ ବିଭାଗ ଦ୍ଵାରା ପଡିଆରେ ସ୍ଵତନ୍ତ୍ର ଭାବେ ଏକ ଅସ୍ଥାୟୀ ଷ୍ଟେଜ ନିର୍ମାଣ ନିମନ୍ତେ ମଧ୍ୟ ଆଲୋଚନା କରାଯାଇଥିଲା । ଜନସାଧାରଣଙ୍କ ଯାତାୟତ ପାଇଁ ସିଏନବିଟି, ତ୍ରିଶୂଳିଆ ଏବଂ ରେଳ ଷ୍ଟେସନ ଠାରୁ ଦର୍ଶକଙ୍କ ଯାତାୟାତ ନିମନ୍ତେ ବସ ର ବ୍ୟବସ୍ଥା ନିମନ୍ତେ ଆଞ୍ଚଳିକ ପରିବହନ ଅଧିକାରୀ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏବଂ ଡ଼ିସିପି ଙ୍କ ସହ ଆଲୋଚନା କରି ବସ ଚଳାଚଳ କରିବେ । ଦର୍ଶକଙ୍କ ନିମନ୍ତେ ବିକ୍ରୟ ହେବାକୁ ଥିବା ଖାଦ୍ଯର ମାନ ପରଖିବା ନିମନ୍ତେ ଖାଦ୍ଯ ସୁରକ୍ଷା ଅଧିକାରୀମାନଙ୍କ ସହାୟତାରେ ଉପଜିଲ୍ଲାପାଳ ସଦର ନିଶ୍ଚିତ କରିବା ପାଇଁ ଦାୟିତ୍ଵ ଦିଆଯାଇଛି । ଏହି ବୈଠକରେ ଓଡିଶା ଅଲମ୍ପିକ ଆସୋସିଏସନ ର ସଂପାଦକ ଶ୍ରୀ ଅଭିଜିତ ପାଲ, ଓଡିଶା କ୍ରିକେଟ ଆସୋସିଏସନ ର ସାଧାରଣ ପରିଚାଳକ ଶ୍ରୀ ଶୁଭାଶିଷ ବେହେରା, ଅତିରିକ୍ତ ପୋଲିସ ଆୟୁକ୍ତ ଭୁବନେଶ୍ଵର - କଟକ ଉମାକାନ୍ତ ଦାସଙ୍କ ସମେତ ସଂପୃକ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।