ରାଘବାନନ୍ଦ ଚକ୍ଷୁ ଚିକିତ୍ସାଳୟ ସ୍ଥାନାନ୍ତର ବିରୋଧରେ ସମ୍ବାଦଦାତା ସମ୍ମିଳନୀ |

246

କଟକ (ଉତ୍କଳ ନ୍ୟୁଜ ) ୨୧-୦୧-୨୦୨୫ : ଭଦ୍ରକ ବାଇପାସସ୍ଥିତ ରାଘବାନନ୍ଦ ଚକ୍ଷୁ ଚିକିତ୍ସାଳୟ ସ୍ଥାନାନ୍ତର ବିରୋଧରେ ସମ୍ବାଦଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ଡା.ଦେବେନ୍ଦ୍ର ଦାସଙ୍କ ପରିବାରଙ୍କ ତରଫରୁ ଏହି ସମ୍ବାଦଦାତା ସମ୍ମିଳନୀରେ ଭଦ୍ରକର ବହୁ ବୁଦ୍ଧିଜୀବି ଓ ସମାଜସେବୀ ସାମିଲ ହୋଇ ସରକାର ଏପରି ପଦକ୍ଷେପ ଗ୍ରହଣ କଲେ ଆଗାମୀ ଦିନରେ ଏହା ଜନ ଅସନ୍ତୋଷ ସୃଷ୍ଟି ହେବାର ସମ୍ଭାବନା ଥିବା ଆଲୋଚନା ହୋଇଥିଲା । ସୂଚନା ମୁତାବକ, ପ୍ରାୟ ୬୪ ବର୍ଷ ପୂର୍ବେ ଡ. ଦେବେନ୍ଦ୍ର ଦାସ ଭଦ୍ରକ ବାଇପାସ ଠାରେ ୨୬ ଡିସିମିଲ ଜମି କ୍ରୟ କରିଥିଲେ । ତାଙ୍କ ବାପାଙ୍କ (ରାଘବାନନ୍ଦ ଚକ୍ଷୁ ଚିକିତ୍ସାଳୟ) ନାମରେ ଏକ ଆଖି ଡାକ୍ତରଖାନା ପ୍ରତିଷ୍ଠା କଲେ । ମୃତ୍ୟୁ ପୂର୍ବରୁ ୧୯୯୫ ମସିହାରେ ଡାକ୍ତରଖାନାଟିକୁ ସମ୍ପୂର୍ଣ ଜାଗା, ଘର ଓ ଡାକ୍ତରଖାନାରେ ବ୍ୟବହୃତ ହେଉଥିବା ସରଞ୍ଜାମ ସବୁକୁ ଦାନ ସୂତ୍ରରେ ଓଡ଼ିଶା ସରକାରଙ୍କ ନାମରେ ନାମିତ କରିଦେଲେ । ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସେହି ସମୟରେ ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ମୁସ୍ତାକ ଅହମ୍ମଦ ମହୋଦୟଙ୍କ ତତ୍ୱାବଧାନରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ସିଡିଏମଓ ଦାୟିତ୍ୱରେ ଥିବା ରେଜିଷ୍ଟ୍ରେସନ୍ ଅଫିସରେ ଓକିଲ ସୂର୍ଯ୍ୟ ନାରାୟଣ ଧଳ ତତ୍ୱାବଧାନରେ ବାପା ସେହି ଡାକ୍ତରଖାନାକୁ ଦାନ ସୂତ୍ରରେ ଓଡ଼ିଶା ସରକାରଙ୍କ ନାମରେ ରେଜିଷ୍ଟ୍ରେସନ କରାଇଲେ । ସେହିଦିନ ଠାରୁ ଅଦ୍ୟାବିଧ ୩୦ ବର୍ଷ ହେଲା ରାଘବାନନ୍ଦ ଚକ୍ଷୁ ଚିକିତ୍ସାଳୟଟି “ରାଘବାନନ୍ଦ ସରକାରୀ ଚକ୍ଷୁ ଚିକିତ୍ସାଳୟ” ନାମରେ ନାମିତ ହେଲା । ସମୟ ବଦଳିବା ସହିତ ଭଦ୍ରକ ସହର ଉପକଣ୍ଠରେ ଗଢ଼ିଉଠିଥିବା ଏହି ଡାକ୍ତରଖାନାରେ ମଧ୍ୟ ରୂପରେଖ ବଦଳିବାରେ ଲାଗିଲା । ଧାମରାରୁ ଭଦ୍ରକ, ବାଲେଶ୍ୱରରୁ ଭଦ୍ରକ, ଆନନ୍ଦପୁରରୁ ଭଦ୍ରକ ଓ ଯାଜପୁରରୁ କିଛି ଅଂଶର ଲୋକମାନେ ଏହି ଡାକ୍ତରଖାନା ଉପରେ ଶତପ୍ରତିଶତ ନିର୍ଭର କରି ଆସୁଛନ୍ତି । ଡା. ଦେବେନ୍ଦ୍ର ଦାସ ଯେଉଁ ସ୍ୱପ୍ନ ଦେଖି ନିଜର କୋଟି କୋଟି ଟଙ୍କାର ସଂପତିକୁ ଓଡ଼ିଶା ସରକାରଙ୍କୁ ଦାନ ସୂତ୍ରରେ ଦେଇଥିଲେ, ତାହା ଆଜି କେତେକ ନ୍ୟସ୍ତସ୍ୱାର୍ଥ ଲୋକଙ୍କ ପାଇଁ ଭଣ୍ଡୁର ହେବା ପାଇଁ ଯାଉଅଛି । ଏହାକୁ ୫ କି.ମି ଦୂର ଗେଲପୁର ଠାରେ ଉଠାଇ ନେବାକୁ ମସୁଧା କରାଯାଉଛି । ଏହି ସ୍ଥାନଟି ସହରର ମଧ୍ୟମ ସ୍ଥଳ । ଯିବା ଆସିବାରେ ସମସ୍ତଙ୍କୁ ବହୁଳ ମାତ୍ରାରେ ସୁବିଧା ହେଉଛି । ଯଦି ଓଡ଼ିଶା ସରକାର ଅତ୍ୟାଧୁନିକ ବ୍ୟବସ୍ଥାରେ ଚକ୍ଷୁ ଚିକିତ୍ସାଳୟ କରିବା ପାଇଁ ଚାହୁଁଛନ୍ତି, ତାହେଲେ ସେହି ଜାଗାରେ ତ ବହୁତ ପ୍ରକାର ସୁବିଧା ସୁଯୋଗ ଅଛି । ସେହି ଜାଗାରେ ଆଉ ଅନ୍ୟାନ୍ୟ ବହୁତ ଉପକୃତ ଚିକିତ୍ସାଳୟକୁ ନୂଆ ଭାବରେ । ମୋଡିଫିକେସନ୍ କରାଗଲେ ଲୋକମାନେ ଆହୁ ଆହୁରି ଅଧିକ ଉପକୃତ ହୁଅନ୍ତ । ଏହାକୁ ସ୍ଥାନାନ୍ତରିତ ନକରି ସେହିଠାରେ ସୁବିଧା ସୁଯୋଗ ଯୋଗାଇବାର ବନ୍ଦୋବସ୍ତ କରିବାକୁ ଦାବୀ କରାଯାଇଛି । ଯଦି ଏହା କରାନଯାଏ ତେବେ ଜନ ଅସନ୍ତୋଷ ଉଗ୍ର ରୂପ ନେବ ଏବଂ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚେତାବନି ଦିଆଯାଇଛି । ସ୍ୱର୍ଗତ ଡା.ଦେବେନ୍ଦ୍ର ଦାସଙ୍କ ଦାୟାଦ ନବଘନ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ସମାଜସେବୀ ମାନସ ମହାନ୍ତି, ରମେଶ ଚନ୍ଦ୍ର ସ୍ୱାଇଁ, ଗୋପାଳ ଚନ୍ଦ୍ର ନାୟକ, ପ୍ରଦୀପ ବଳ, ଡ.ବୈରାଗୀ ଗାହାଣ, ଜ୍ଞାନପ୍ରକାଶ ପାଣି, ଦଶରଥ ସାହୁ ଓ ରବିନାରାୟଣ ଖିଲାର ପ୍ରମୁଖ ସାମିଲ ହୋଇଥିଲେ । ଭଦ୍ରକରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |