ମା ଦପାନାୟକାଣୀ ପୀଠରେ ମକରମେଳା ଆରମ୍ଭ ||

139

କଟକ (ଉତ୍କଳ ନ୍ୟୁଜ ) ୧୪-୦୧-୨୦୨୫ : ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧିନ ଈଶ୍ୱରପୁରସ୍ଥିତ ପଞ୍ଚତୀର୍ଥରେ ବିରାଜମାନ କରିଥିବା ମା ଦପା ନାୟକାଣୀଙ୍କର ପୀଠରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ମକର ମେଳା ମହୋତ୍ସବ । ପ୍ରଥମ ଦିନରେ ଲକ୍ଷାଧିକ ଶ୍ରଦ୍ଧାଳୁ ପୀଠରେ ପହଂଚି ମା ଙ୍କର ଦର୍ଶନ କରିଛନ୍ତି । ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଥିବା ଏହି କ୍ଷେତ୍ର ୫ ଦିନ ପାଇଁ ହେବ ଉତ୍ସବ ମୁଖର । ଏଥିପାଇଁ ମା ଦପା ନାୟକାଣୀ ପୂଜା କମିଟି ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ମା ଦପା ନାୟକାଣୀଙ୍କ ପ୍ରତି ଲୋକମାନଙ୍କର ବିଶ୍ୱାସ ଓ ଭକ୍ତି ଅସୀମ । ସାଳନ୍ଦୀ କୂଳରେ ବନ୍ୟା ପ୍ଳାବିତ ଅଂଚଳ ଈଶ୍ୱରପୁରରେ ମା ଙ୍କର ଅବସ୍ଥାନ ଲୋକଙ୍କୁ ସଦାସର୍ବଦା ଅଭୟବାଣୀ ପ୍ରଦାନ କରିଆସୁଥିବାବେଳେ ନିଜର ପାର୍ଥିବ ଦୁଃଖ ଜଞ୍ଜାଳକୁ ନେଇ ମା ଙ୍କ ପାଖରେ ନିବେଦିତ କଲେ ତାହା ଅଚିରେ ଦୂର ହୋଇଯିବାର ବିଶ୍ୱାସ ଅନନ୍ୟ । କେଉଁ ପୁରାତନ କାଳରୁ ପ୍ରତିଷ୍ଠିତ ହୋଇଥିବା ମା ଙ୍କ ନିକଟରେ କୁକୁଡ଼ା, ବୋଦା, ମାଟିଘୋଡ଼ା, ଶାଢ଼ୀ ଓ ସିନ୍ଦୁର ମାନସିକ କଲେ ବିଭିନ୍ନ ସମସ୍ୟା ଦୂର ହୋଇଥାଏ । ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତି ହେଉଛି ମା ଙ୍କର ପାର୍ବଣର ସମୟ । ସମଗ୍ର ଭଦ୍ରକ ଜିଲ୍ଲା ସମେତ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୁଏ ମା ଙ୍କ ପୀଠରେ । ୫ଦିନ ଧରି ଅନୁଷ୍ଠିତ ହେଉଥିବା ମକର ପର୍ବରେ ମାନସିକ କରିଥିବା ଭକ୍ତମାନଙ୍କର କୁକୁଡ଼ା ଓ ମାଟିଘୋଡ଼ା ଆଦିକୁ ମା ଙ୍କ ନିକଟରେ ସମର୍ପିତ କଲାପରେ ସେମାନଙ୍କୁ ବଳି ଦିଆ ନଯାଇ ମା ଙ୍କ ସମ୍ମୁଖରେ ଉଡ଼ାଇ ଦେବାର ଅନନ୍ୟ ପରମ୍ପରା ଏଠାକାର ବିଶେଷତ୍ୱ । ସେହିପରି ମାନସିକ କରିଥିବା ଭକ୍ତମାନେ ଏଠାରେ ଧୂଆଁରେ କ୍ଷୀରି ପ୍ରସ୍ତୁତ କରି ମା ଙ୍କ ନିକଟରେ ଭୋଗ ଲଗାଇଥା ନ୍ତି । ସୂଚନା ଯୋଗ୍ୟ, ପୂର୍ବରୁ ଲୋକେ ଡଙ୍ଗା ବା ବାଉଁଶଚାରରେ ଏହି ପୀଠକୁ ଭକ୍ତମାନେ ଯିବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଏଠାରେ ପୋଲଟିଏ ନିର୍ମାଣ ହେବାପରେ ମା ଙ୍କ ପୀଠ ସୁଗମ୍ୟ ହୋଇ ପାରିଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।