ପ୍ରଦେଶ ସେବା ସଂଗଠନ ପକ୍ଷରୁ ସଡକ ସୁରକ୍ଷା ସଚେତନତା ଅଭିଯାନ |

79

କଟକ (ଉତ୍କଳ ନ୍ୟୁଜ ) ୦୨- ୦୧ -୨୦୨୫ : ନୂଆ ବର୍ଷ ଅବସରରେ ଏକ ନିଆରେ ଢଙ୍ଗରେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ପ୍ରଦେଶ ସେବା ସଂଗଠନ ପକ୍ଷରୁ ସଡକ ସୁରକ୍ଷା ସଚେତନତା ଅଭିଯାନ କରାଯାଇଛି । ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ପୀରହାଟ ପୁରୁଣା ବଜାର କନପୁର ଘୋଷରାରେ ସଂଗଠନର କର୍ମକର୍ତ୍ତାମାନେ ବାଇକ୍ ଓ କାର ଅଟକାଇ ଏପରି ସଚେତନତା ସୃଷ୍ଟି କରାଇଥିଲେ । ବାଇକ୍‌ରେ ଯାଉଥିବା ବେଳେ ଯେଉଁମାନେ ହେଲମେଟ୍ ପିନ୍ଧିନଥିଲେ ଅଥବା ଦୁଇରୁ ଉର୍ଦ୍ଧ ବାଇକ୍‌ରେ ବସିଥିଲେ ସେମାନଙ୍କୁ ଗୋଲପା ଫୁଲଟିଏ ଉପହାର ସଦୃଶ ପ୍ରଦାନ କରି ରାସ୍ତାରେ ଗଲାବେଳେ ନିୟମିତ ହେଲମେଟ୍ ପିନ୍ଧିବାକୁ ପରାମର୍ଶ ଦେଇଥିଲେ । ଏତତ୍ ବ୍ୟତିତ କାରରେ ଯାଉଥିବା ଲୋକଙ୍କୁ ବେଲ୍ଟ ପିନ୍ଧିବାକୁ ପରାମର୍ଶ ଦେଇଥିଲେ । ତରବରିଆଭାବେ ଘରୁ ନବାହାରିବା ଅଥବା ଘରୁ ବାହାରିବା ବେଳେ ହେଲମେଟ୍ ସାଙ୍ଗରେ ନେବା ପାଇଁ କହିଥିଲେ । କେତେକ ସ୍ଥଳରେ ଆରୋହୀମାନେ ହେଲମେଟ୍ ନପିନ୍ଧି ହେଣ୍ଡଲରେ ରଖି ଗାଡି ଚଳାଉଥିବା ପରିଲକ୍ଷିତ ହୋଇଥିଲା ଯାହାକୁ ଏହି ସଂଗଠନର କର୍ମକର୍ତ୍ତାମାନେ ସଠିକ୍ ଢଙ୍ଗରେ ବୁଝାଇବା ସହିତ ହେଲମେଟ୍ ପିନ୍ଧାଇଥିଲେ । ବୁଧବାର ପୂର୍ବାହ୍ନ ୧୦ ଘଟିକାରୁ ମଧ୍ୟାହ୍ନ ପ୍ରାୟ ୧୨.୩୦ ଘଟିକା ପର୍ଯ୍ୟନ୍ତ ଏପରି ଶତାଧିକ ଲୋକଙ୍କୁ ସଚେତନ କରାଇଥିଲେ । ସଂଗଠନର ସଭାପତି ରଞ୍ଜନ ମିଶ୍ର, ସମ୍ପାଦିକା ସୁଭଦ୍ରା ଭାରତୀ,ଆର୍ତ୍ତ ବଲ୍ଲବ ବାରିକ, ଦେବାଂଶୁ କର, କମଳା କାନ୍ତ ବାରିକ, ସୁନିଲତା ନାୟକ, ରୋହନ ବାରିକ ଓ ମନୋଜ ବେହେରା ପ୍ରମୁଖ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |