କଟକ (ଉତ୍କଳ ନ୍ୟୁଜ ) ୩୧-୧୨-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳମଣି ସେବା ସଂଘ ପକ୍ଷରୁ ମୟୁରଭଞ୍ଜରେ ଅସହାୟଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇଛି । ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏହି ସଂଘ ର କର୍ମକର୍ତ୍ତା ମାନେ ସମାଜ ସେବାକୁ ବ୍ରତଭାବେ ଗ୍ରହଣ କରି ଦୁଃଖୀ ରଙ୍କିଙ୍କ ସେବାରେ ନିଜକୁ ସମର୍ପିତ କରି ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି । ରେଳଷ୍ଟେସନରେ ଅସହ୍ୟ ଜାଡ଼ରେ ଶୋଇଥିବା ଅସହାୟଟିଏ ହେଉକି ଘରପୋଡ଼ି, ବନ୍ୟା, ବାତ୍ୟା ବିପନ୍ନ ହୁଅନ୍ତୁ ସମସ୍ତଙ୍କ ମୁହଁରେ ଟିକେ ହସ ଫୁଟାଇବା ଲକ୍ଷ୍ୟରେ ସଂଘର ଯୁବ ସ୍ୱେଚ୍ଛାସେବୀମାନେ ତତ୍ପର ରହିଛନ୍ତି । ବିଗତ ୬ ବର୍ଷ ଧରି ନାଇଟ୍ ମିଶନ ମାଧ୍ୟମରେ ଭଦ୍ରକ, ବାଲେଶ୍ୱର,ପୁରୀ, ଯାଜପୁର ପର୍ଯ୍ୟନ୍ତ ରେଳ ଷ୍ଟେସନ, ଫୁଟପାଥ, ରାସ୍ତାକଡ଼, ଦୋକାନ ବାରଣ୍ଡାରେ ଫୁଙ୍ଗୁଳା ଶୋଇ ଶୀତରେ ଜଡ଼ୁଥିବା ଅସହୟମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରିଆସୁଛନ୍ତି । ଚଳିତ ବର୍ଷ ଏହାକୁ ଆଉ ପାଦେ ଆଗକୁ ଯାଇ ନାଇଟ୍ ମିଶନ ସହିତ କର୍ମକର୍ତ୍ତାମାନେ ମୟୁରଭଞ୍ଜ ଜିଲ୍ଲା ଠାକୁର ମୁଣ୍ଡା ବ୍ଲକ୍ ଅଧିନ ଖୋସା କୁଦର, ରାଇପଦା, ନିଶାପଶି, ଖନ୍ଦବନ୍ଧ, ପଡିଆ ବେଡା, ବୋରିଂ ଅଞ୍ଚଳରେ ଶୀତବସ୍ତ୍ର ବଣ୍ଟନ କରିଛନ୍ତି । ସଂଘର କର୍ମକର୍ତ୍ତାମାନେ ଶନିବାର ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ସେଠାରେ ବସବାସ କରୁଥିବା ଲୋକମାନଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିବା ସହ ସେମାନଙ୍କୁ ଶୀତବସ୍ତ୍ର, ଶୁଖୁଲା ଖାଦ୍ୟ ଓ ନଗଦ ଅର୍ଥରାଶି ପ୍ରଦାନ କରିଥିଲେ । ଅଞ୍ଚଳର ଲୋକମାନେ ମଧ୍ୟ ସଂଘର କର୍ମକର୍ତ୍ତାମାନଙ୍କୁ ପାଖରେ ପାଇ କିଛି ବାଡି ଫଳ ଦେଇ ଆନନ୍ଦିତ ହୋଇ ସ୍ୱାଗତ ଓ ବିଦାୟ କାଳୀନ ସମ୍ବଦ୍ଧନା ଜଣାଇଥିଲେ । ସେହିପରି ସଂଘ ପକ୍ଷରୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ଜନଗହଳି ରେଳଷ୍ଟେସନରେ ଅସହାୟମାନେ ଶୀତ ରାତିରେ ଶୋଇଥିବା ବେଳେ ସେମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇଥିଲା । ସଂଘର ଏଭଳି ସାଧୁ ଉଦ୍ୟମକୁ ସାଧାରଣରେ ପ୍ରଶଂସା କରାଯାଇଛି । ଏହି କାର୍ଯ୍ୟକ୍ରମରେ ସଂଘ ପକ୍ଷରୁ ସଭାପତି ଖଗେଶ୍ୱର ତ୍ରିପାଠୀ, ବିସ୍ମୟ ବିହାରୀ ସାହୁ, ରବୁ ସଲିମ୍, ହରିହର କର, ରବିନ୍ଦ୍ର ନାୟକ, ଚଢ଼େଇ ମଳିକ, ଜ୍ୟୋତିପ୍ରକାଶ ପତି, ବିପ୍ଳବ ସାହୁ, ତୁଷାର ନାୟକ, ପିତାମ୍ବର ମହନ୍ତ, ହେମନ୍ତ ମହନ୍ତ ଓ ସତ୍ୟ ସାହୁ ପ୍ରମୁଖ ସହଯୋଗ କରିଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |