କଟକ (ଉତ୍କଳ ନ୍ୟୁଜ ) ୧୯-୧୨-୨୦୨୪ : ନେହେରୁ ଯୁବ କେନ୍ଦ୍ର କଟକ ଆନୁକୂଲ୍ୟରେ ଓ ଶୈଳବାଳା ମହିଳା ସ୍ଵୟଂଶାସିତ ମହାବିଦ୍ୟାଳୟ ସହଯୋଗରେ ଶୈଳବାଳା ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଯୁବା ଉତ୍ସବ ଓ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷା ପ୍ରଫେସର ଡ଼ ବିଚିତ୍ରା ପାଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ, ଶିକ୍ଷାବିତ ଡ଼ ଏସକେ କଲ୍ଲିମ ଉଲ୍ଲା, ନେହେରୁ ଯୁବା କେନ୍ଦ୍ରର କାର୍ଯ୍ୟକ୍ରମ ଅଧିକାରୀ ସୁଭେନ୍ଦ୍ରନାଥ ସାହୁ ପ୍ରମୁଖ ଯୋଗଦାନ କରି ବର୍ତମାନ ପରିସ୍ଥିତିରେ ଦେଶ ଗଠନରେ ଯୁବ ଶକ୍ତିର ଭୂମିକା ଉପରେ ଆଲୋକପାତ କରିଥିଲେ। ନେହେରୁ ଯୁବ କେନ୍ଦ୍ର କଟକର ଜିଲ୍ଲା ଯୁବ ଅଧିକାରୀ ବିପିନ କୁମାର କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଏହି ଅବସରରେ କଟକ ଜିଲ୍ଲାର ବିଭିନ୍ନ କଲେଜ ଓ ୟୁଥ୍ କ୍ଳବରୁ ଆସିଥିବା ଯୁବକଯୁବତୀଙ୍କ ମଧ୍ୟରେ, ବିଜ୍ଞାନ ମେଳା, ସାମୁହିକ ଓ ବ୍ୟକ୍ତିଗତ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ଭିଡିଓଗ୍ରାଫି, କବିତା, ଚିତ୍ରାଙ୍କନ, ବକ୍ତୃତା ପ୍ରତିଯୋଗିତା କରାଯାଇ କୃତି ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା।

ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ଆସନ୍ତା ୨୪ତାରିଖରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗନେବେ। ଉକ୍ତ କାର୍ଯ୍ୟକ୍ରମରେ ଓରମାସ, ଭୂମିକା ନାରୀ ସଙ୍ଗଠନ ଓ ଇକୋ କ୍ଲବ ତରଫରୁ ବିଭିନ୍ନ ଷ୍ଟଲ ମାନ ଖୋଲାଯାଇଥିଲା। ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ୱେଚ୍ଛାସେବୀ ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଯୁବ ସମାଜସେବୀ ଗଙ୍ଗାଧର ବେହେରା ସଭା ପରିଚାଳନା କରିବା ସହ ଧନ୍ୟବାଦ ଦେଇଥିଲେ। କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ସହଯୋଗ କରିଥିଲେ।