କଟକ (ଉତ୍କଳ ନ୍ୟୁଜ ) ୧୯-୧୧-୨୦୨୪ ; ଭଦ୍ରକ ଜିଲ୍ଲା ତିହିଡି ପୋଲିସର ଅପରେସନ ସ୍ମାଇଲରେ ୨ ନାବାଳିକା ଅପହରଣକାରୀ ଗିରଫ ହୋଇଥିବା ସୂଚନା ମିଳିଛି । ଗିରଫ୍ ଅଭିଯୁକ୍ତ ଦ୍ୱୟ ଭାଟପଡା ପଞ୍ଚାୟତ ଅଧିନ ପାଟଣାସାହି ଗ୍ରାମର ଶଶିକାନ୍ତ ମହାଳିକ ଓ ବାରୋ ଗ୍ରାମର ପ୍ରୀତମ ବାରିକ ବୋଲି ଜଣାଯାଇଛି । ଉଭୟ ଅପହରକାରୀ ଧର୍ତ୍ତବ୍ୟ ଅପରାଧ କରିଥିବା ଏବଂ ସେମାନଙ୍କୁ ଯେକୌଣସି ଉପାୟରେ ଗିରଫ୍ କରିବା ସହିତ ଅପହୃତା ନାବାଳିକା ମାନଙ୍କୁ ଉଦ୍ଧାର କରିବା ଲାଗି ତିହିଡି ପୋଲିସ ଜାଲ ବିଛାଇଥିଲା । ସେମାନଙ୍କ ମୋବାଇଲ୍ ନମ୍ବର ଟ୍ରାକିଂ କରିବା ସହିତ ସମ୍ପର୍କୀୟମାନଙ୍କ ସହିତ ସର୍ବଦା ଯୋଗାଯୋଗରେ ରହିଥିଲା । ଜିଲ୍ଲା ଆରକ୍ଷୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ପରାମର୍ଶକ୍ରମେ ତିହିଡି ପୋଲିସ ଏପରି ସଫଳତା ହାସଲ କରିଛି ଏବଂ ଅପହୃତା ଦୁଇ ନାବାଳିକାଙ୍କୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସବୁଠୁ ବଡ କଥା ହେଉଛି ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ୧୩ ବର୍ଷିୟ ନାବାଳିକାକୁ ୨୩ ବର୍ଷର ଯୁବକ ବିବାହର ପ୍ରଲୋଭନ ଦେଖାଇ ଘରୁ ଅପହରଣ କରି ନେଇଥିଲା । ଘରୁ ଉଠେଇ ନେଇ ଯିବାପରେ ନାବାଳିକା ମଥାରେ ସିନ୍ଦୁର ପିନ୍ଧାଇ ବାହାର ରାଜ୍ୟରେ ସାଥିହୋଇ ରହୁଥିଲେ । ତିହିଡି ସଦର ବଜାର ନିକଟରେ ଭଡା ଘରେ ରହୁଥିବା ଏହି ନାବାଳିକାକୁ ଅଭିଯୁକ୍ତ ଶଶିକାନ୍ତ ମହାଳିକ ଗତ ମାସ ୩୧ତାରିଖରେ ଏକ କାର ଯୋଗେ କୁଆଡେଇ ନେଇ ଯାଇଥିଲା । ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା ୪୯୩/୨୪ ରୁଜୁ କରିବା ସହିତ ଘଟଣାର ତଦନ୍ତ କରୁଥିଲା । ବାହାର ରାଜ୍ୟରେ ବୁଲାବୁଲି କରି ଫେରୁଥିବା ବେଳେ ବାଲେଶ୍ୱର ରେଳ ଷ୍ଟେସନ ନିକଟରୁ ପୋଲିସ ଧରିବାର ସକ୍ଷମ ହୋଇଛି । ଅପହରଣକାରୀ ବ୍ୟବହାର କରୁଥିବା (ଓଡି୨୨ଡବ୍ଲ୍ୟୁ-୯୮୩୩) କାରକୁ ମଧ୍ୟ ପୋଲିସ ଜବତ କରିଛି । ସେହିପରି ବାରୋ ଗ୍ରାମର ପ୍ରୀତମ ବାରିକ ନାମକ ଜଣେ ଯୁବକ ଗତ ଏପ୍ରିଲ ମାସରେ ଜଣେ ନାବାଳିକାକୁ ଅପହରଣ କରି ଗୁଜୁରାଟ ନେଇ ଯାଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଏଥିନେଇ ସେତେବେଳେ ଥାନାରେ ଏକ ମାମଲା ନଂ-୧୮୧/୨୪ ରୁଜୁ ହୋଇଥିଲା । ତେବେ ତିହିଡି ପୋଲିସର ଏକ ସ୍ୱତନ୍ତ୍ର ଟିମ ଗୁଜୁରାଟ ଯାଇ ଉକ୍ତ ନାବାଳିକାକୁ ଉଦ୍ଧାର କରିବା ସହିତ ସେଠାରୁ ପ୍ରୀତମକୁ ଗିରଫ କରି ତିହିଡି ଆଣିଥିଲେ । ଉଭୟ ଅପହର୍ତ୍ତା ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |