ତିହିଡି ଓ ପୀରହାଟରେ ଦକ୍ଷିଣେଶ୍ୱରୀ ଓ ଶ୍ୟାମାକାଳୀ ପୂଜା ପରମ୍ପରା |

37

କଟକ (ଉତ୍କଳ ନ୍ୟୁଜ ) ୦୧-୧୧-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ବିଭିନ୍ନ ସ୍ଥାନରେ କାଳୀପୂଜା ଆରମ୍ଭ ହୋଇ ଯାଇଛି । ଶୁକ୍ରବାର ସକାଳ ଠାରୁ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଛି । ପୂଜା ମଣ୍ଡପ ଗୁଡିକ ଆକର୍ଷିତ ହୋଇଥିବା ବେଳେ ପରିସରକୁ ଉତ୍ସବ ମୁଖର କରିବା ପାଇଁ କମିଟି ପକ୍ଷରୁ ସୁସଜ୍ଜିତ ତୋରଣ ସାଙ୍ଗକୁ ଉଜ୍ଜଳ ଆଲୋକମାଳା ପରିଲକ୍ଷିତ ହେଉଛି । ମୁକୁନ୍ଦପୁର ପଞ୍ଚାୟତ କାଳୀମେଘା ଗାଁରେ ଦକ୍ଷିଣଶ୍ୱରୀ କାଳୀ ପୂଜା ପାଉଛନ୍ତି । ୩ ଶହ ବର୍ଷରୁୁ ଉର୍ଦ୍ଧ ହେବ ଏହି ଗାଁରେ ଏପରି ପୂଜା ବିଧି ଚାଲୁ ରହିଛି । ମା ଙ୍କ ନାମ ଅନୁସାରେ ଏହି ଗାଁର ଏପରି ନାମକରଣ ରହିଥିବା କୁହାଯାଉଛି । ତତ୍କାଳୀନ ଜମିଦାର ଚୌଧୂରୀ ଅଭିମନୁୁ୍ୟ ସାମନ୍ତରାୟଙ୍କ ପକ୍ଷରୁ ଏହି ପୂଜାରମ୍ଭ ହୋଇଥିଲା । ବଂଶାନୁକ୍ରମେ ସଂପ୍ରତି ସୁରେଶ ମହାପାତ୍ର, ଫାଲ୍‌ଗୁନୀ ମହାପାତ୍ର, ସଞ୍ଜୟ ମହାପାତ୍ର ଓ ଶାନ୍ତନୁ ମହାପାତ୍ରଙ୍କ ସମେତ ଗ୍ରାମବାସୀ ପପରିଚାଳନା କରୁଛନ୍ତି । ପୂର୍ବରୁ ଏଠାରେ ଛାଗ ବଳି ପ୍ରଥା ପ୍ରଚଳିତ ହେଉଥିଲା ମାତ୍ର ବିଭିନ୍ନ ସାମାଜିକ ସଂଗଠନର ପରାମର୍ଶକ୍ରମେ ଏହା ବନ୍ଦ ରହିଛି ଏବଂ ମାନସିକଧାରୀଙ୍କ ଛାଗଗୁଡିକ ପୂଜାର୍ଚ୍ଚନା ପରେ ଛାଡି ଦିଆଯାଉଛି । ତିହିଡି ସଦର ବଜାରରେ ଶ୍ୟାମାକାଳୀ ପୂଜା ଚଳିତ ବର୍ଷ ୭୯ ବର୍ଷରେ ପଦାର୍ପଣ କରିଛି । ଆକର୍ଷିଣୀୟ ତୋରଣ ସାଙ୍ଗକୁ ଦୋକାନ, ମୀନାବଜାର, ରାମଦୋଳି ଓ ଅପେରା କାର୍ଯ୍ୟକ୍ରମ ରହିଛି । ତତ୍କାଳୀନ ମେଡିକାଲର କର୍ମଚାରୀ ଓ ଥାନାବାବୁ ଏହି ପୂଜାରମ୍ଭ କରିଥିଲେ । ପ୍ରଥମେ ଧୂଳିଆ ଘରେ ପୂଜା ପାଉଥିଲେ ଏବଂ ଅଂଚଳବାସୀଙ୍କ ସହଯୋଗ କ୍ରମେ ୧୯୫୨ ମସିହାରେ ଏକ ଭବ୍ୟ ମନ୍ଦିର ସ୍ଥାପିତ ହୋଇଛି । କମିଟିର ସଭାପତି ବିରେନ୍ଦ୍ର ନାୟକ ଓ ସମ୍ପାଦକ ବୃନ୍ଦାବନ ଜେନାଙ୍କ ସମେତ ସମସ୍ତ କର୍ମକର୍ତ୍ତା ପରିଚାଳନା କରୁଛନ୍ତି । ସେହିପରି ୭୫ ବର୍ଷରେ ପଦାର୍ପଣ କରିଛି ପୀରହାଟ ପୁରୁଣା ବଜାରସ୍ଥିତ ସାର୍ବଜନୀନ ଶ୍ୟାମା କାଳୀ ପୂଜା । ୯ଦିନ ଧରି ମା ଙ୍କ ପୂଜାକାର୍ଯ୍ୟ ଯଥାରୀତି ଚାଲିବ ବୋଲି ଜଣାପଡ଼ିଛି । ୧୯୪୯ ମସିହାରେ ଏକ ଚାଳ ଛପର ଘରେ ଏଠାରେ ପୂଜା ଆରମ୍ଭ ହୋଇଥିଲା । ପରେ ଏକ ଭବ୍ୟ ମନ୍ଦିର ନିର୍ମାଣ ହୋଇଛି । କମିଟିର ସଭାପତି ଅଭୟ କର, ସମ୍ପାଦକ କୃଷ୍ଣ ଚନ୍ଦ୍ର ମହାନ୍ତି, ସରପଞ୍ଚ ଅଜୟ ମହାନ୍ତିଙ୍କ ସମେତ ପୀରହାଟ ପୁରୁଣା ବଜାରର ସମସ୍ତ ଦୋକାନୀ ପୂଜା କାର୍ଯ୍ୟରେ ସହଯୋଗ କରୁଛନ୍ତି । ମା ଙ୍କ ମନ୍ଦିରକୁ ଆକର୍ଷଣୀୟ ଆଲୋକମାଳରେ ସଜ୍ଜିତ କରାଯିବା ସହ ସୁନ୍ଦର ତୋରଣ ନିର୍ମାଣ କରାଯାଇଛି । ପ୍ରତିଦିନ ଏଠାରେ ମା’ଙ୍କର ରୀତି ନୀତି ସହ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏତତ୍ ବ୍ୟତିତ ପୀରହାଟ ମଝି ବଜାରରେ ୩୫ ବର୍ଷ ଧରି ଦକ୍ଷିଣଶ୍ୱରୀ କାଳୀ ପୂଜା ପାଉଛନ୍ତି । ସ୍ୱର୍ଗତ ପଞ୍ଚାନନ ନାୟକ ପୂଜାରମ୍ଭ କରିଥିବା ବେଳେ ସଂପ୍ରତି ତାଙ୍କ ପୁଅ ଡାକ୍ତର ବଲେଇ ଚନ୍ଦ୍ର ମିଶ୍ର ଓ ନାତି ଡାକ୍ତର ମନୋଜ କୁମାର ମିଶ୍ର ଯଥାଋତି ପୂଜା ପାଳନ କରୁଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |