ତିହିଡି ବ୍ଲକ ବିଜେଡି ସଭାପତି ରଘୁନାଥ ପଣ୍ଡାଙ୍କ ପରଲୋକ |

115

କଟକ (ଉତ୍କଳ ନ୍ୟୁଜ ) ୦୧-୧୧-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବିଜେଡି ସଭାପତି, ବରିଷ୍ଠ ନେତା ତଥା ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ରଘୁନାଥ ପଣ୍ଡାଙ୍କର ହୃଦଘାତ ଜନିତ ରୋଗରେ ଗତ ୩୧ ତାରିଖ ସକାଳେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ସ୍ୱର୍ଗତ ପଣ୍ଡାଙ୍କର ଘର ଭାଟପଡା ପଞ୍ଚାୟତ ଅନ୍ତର୍ଗତ ଶଂଖିଡା ଗ୍ରାମରେ । ସେ ଗତ କିଛି ବର୍ଷ ହେବ ଯକୃତ ସଂକ୍ରମଣ ରୋଗରେ ପୀଡିତ ଥାଇ ଭୁବନେଶ୍ୱରସ୍ଥିତ ଆପୋଲ ଡାକ୍ତରଖାନାର ବିଭାଗୀୟ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଚିକିତ୍ସିତ ହେଉଥିଲେ । ଗତ ୩୦ ତାରିଖ ଦିନ ସେ ଆପୋଲ ଡାକ୍ତରଖାନାର ବିଭାଗୀୟ ଡାକ୍ତରଙ୍କ ପରାମର୍ଶ କରିବା ସହିତ ଭୁବନେଶ୍ୱରରେ ଅବସ୍ଥାନ କରିଥିଲେ । ତେବେ ସକାଳେ ସେ ଗୁରୁତର ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ନିକଟସ୍ଥ କ୍ୟାପିଟାଲ ଡାକ୍ତରଖାନାକୁ ନିଆ ଯାଇଥିଲା । ତେବେ ବାଟରେ ତାଙ୍କର ପ୍ରାଣ ବାୟୁ ଉଡି ଯାଇଥିଲା । ସ୍ୱର୍ଗତ ପଣ୍ଡା ବିଗତ ଜନତା ଦଳ ନେତା ପ୍ରାକ୍ତନ ମନ୍ତ୍ରୀ ସ୍ୱର୍ଗତ ବୈରାଗୀ ଯେନାଙ୍କ ଠାରୁ ଆରମ୍ଭ କରି ପରବର୍ତ୍ତୀ ସମୟରେ ବିଜେଡି ନେତା ତଥା ପ୍ରାକ୍ତନ ମନ୍ତ୍ରୀ ସ୍ୱର୍ଗତ ବିଜୟଶ୍ରୀ ରାଉତରାୟ ଓ ତାଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟଙ୍କ ଜଣେ ଘନିଷ୍ଠ ସହଯୋଗୀ ଭାବେ କାର୍ଯ୍ୟ କରିଥିଲେ । ବିଜେଡିର ଜଣେ ଦକ୍ଷ, ସକ୍ରିୟ ଓ ନିଷ୍ଠାପର ରାଜନେତା ଭାବେ ମୃତ୍ୟୁ ପର୍ଯ୍ୟନ୍ତ ନିଜର ଦାୟିତ୍ୱ ସୂଚାରୁ ରୂପେ ସମ୍ପାଦନ କରି ଆସିଥିଲେ । ବିଗତ ଦିନରେ ସେ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇଥିବା ବେଳେ ସଂପ୍ରତି ତିହିଡି ବ୍ଲକ ବିଜେଡିର ସଭାପତି ଦାୟିତ୍ୱରେ ଥିଲେ । ତାଙ୍କ ମର ଶରୀର ଭୁବନେଶ୍ୱରରୁ ଆସି ତିହିଡିରେ ପହଞ୍ଚିବା ପରେ ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବିଧାୟକ ଅଶୋକ ଦାସ, ବିଧାୟକଙ୍କ ପ୍ରତିନିଧି ସରୋଜ ଦାସ, ପ୍ରଦୀପ ପଣ୍ଡା, ସରପଞ୍ଚସୁପ୍ରଭା ପାଣି, ବିଷ୍ଣୁ କୁଅଁର, ଚିନ୍ତାମଣି ଦାସ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷା ବିଦ୍ୟୁତଲତା ନାୟକ, ସୁଧନ୍ୱା ନାୟକ, ପ୍ରବୀର ନାୟକ ତାଙ୍କର ଶେଷ ଦର୍ଶନ କରିଥିବା ବେଳେ ତାଙ୍କୁ ବିଜେଡି କାର୍ଯ୍ୟାଳୟକୁ ନିଆ ଯାଇଥିଲା । ପରେ ଏକ ଶୋଭାଯାତ୍ରାରେ ତାଙ୍କ ମର ଶରୀରକୁ ତିହିଡି ବଜାର ପରିକ୍ରମା କରାଯିବା ସହ ତାଙ୍କ ଗ୍ରାମକୁ ନିଆଯାଇ ସେଠାରେ ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କର ଏକମାତ୍ର ପୁଅ ରୋହିତାଶ୍ୱ ପଣ୍ଡା ମୁଖାଗ୍ନି ଦେଇଥିଲେ । ପ୍ରାକ୍ତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ରାଜେନ୍ଦ୍ର ଦାସ, ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସ, ବିଜେଡି ନେତା ଡା.ସଞ୍ଜୟ ଦାସ, ସୁରେନ୍ଦ୍ର ନାୟକ, କମଳାକାନ୍ତ ଲେଙ୍କା, କୀର୍ତ୍ତନ ରାଉତ, ସଂଗ୍ରାମ ଦାସ ପ୍ରମୁଖ ବିଜେଡିର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋଭାଯାତ୍ରାରେ ସାମିଲ ଥିଲେ । ସେହିପରି ଆଜି ସକାଳେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ଶୁକଦେବ ମଳିକ, ସରପଞ୍ଚ ଶୁଭ୍ରନାରାୟଣ ସେଠୀ, ବିଜେପି ନେତା ପ୍ରଦୀପ ବଳ, ପ୍ରତାପ ଜେନା, ଦେବବ୍ରତ ପାଢୀ ପ୍ରମୁଖ ସ୍ୱର୍ଗତ ପଣ୍ଡାଙ୍କ ବାସ ଭବନକୁ ଯାଇ ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ । ସ୍ୱର୍ଗତ ପଣ୍ଡାଙ୍କର ମୃତ୍ୟୁରେ ଦଳମତ ନିର୍ବିଶେଷରେ ବହୁ ବିଶିଷ୍ଟ ବ୍ୟକ୍ତ ଶୋକ ପ୍ରକଟ କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |