କଟକ (ଉତ୍କଳ ନ୍ୟୁଜ ) ୩୦-୧୦-୨୦୨୪ : କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ କାଳୀପୂଜାକୁ ସରସ ସୁନ୍ଦର ଭାବେ ପାଳନ କରାଯିବା ତଥା ଶାନ୍ତି ଶୃଙ୍ଖଳାର ସହ ଭସାଣୀ ଉତ୍ସବ ହେବା ନେଇ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟୋପୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ପୂଜା ଓ ଭସାଣୀ ସମୟରେ ବିଦ୍ୟୁତ୍ ସରବରାହ ସହ ରାସ୍ତାଘାଟ ଓ ନାଳ ନର୍ଦ୍ଦମା ଗୁଡିକର ସଫେଇ କାର୍ଯ୍ୟ ଉପରେ ଉଭୟ ଶାନ୍ତି କମିଟିର ସଦସ୍ୟମାନେ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ମେଢ଼ ଯିବା ବାଟରେ ରାସ୍ତା ଗୁଡ଼ିକର ଆବଶ୍ୟକ ମରାମତି ନିମନ୍ତେ ଉଭୟ ପୂର୍ତ୍ତ ଓ କଟକ ମହାନଗର ନିଗମର ଯନ୍ତ୍ରୀ ମାନଙ୍କ ସହ ବୈଠକରେ ଆଲୋଚନା କରିଥଲେ।ଏଥି ସହ ମେଢ଼ ଯିବା ରାସ୍ତାମାନଙ୍କରେ ଅପସାରଣ ହୋଇଥିବା ଉଭୟ ଟି ଭି ଓ ବିଦ୍ୟୁତ୍ କେବୁଲ ତାର ଗୁଡ଼ିକୁ ଭସାଣୀ ପୂର୍ବରୁ ହଟାଇବା ନେଇ ବୈଠକରେ ଆଲୋଚନା ହୋଇଥିଲା।ବିଶେଷକରି ଟି ଭି କେବୁଲ୍ ଗୁଡ଼ିକ ହଟାଇବାପାଇଁ କେବୁଲ ଅପରେଟର ସଂଘଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆବଶ୍ୟକ ପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଟୋପୋ ବୈଠକରେ ସୂଚନା ଦେଇ ସମସ୍ତ ପ୍ରଶାସନିକ ସହଯୋଗ କରାଯିବ ବୋଲି କହିଛନ୍ତି। ସମ୍ପୃକ୍ତ ଅଧିକାରୀ ଓ ଯନ୍ତ୍ରୀମାନେ ସମସ୍ତ ପୂଜା କମିଟି ମାନଙ୍କ ସହ ସମ୍ନନୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଆଜିର ବୈଠକରେ କଟକ ମହାନଗର ପୂଜା କମିଟି ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଶ୍ରୀ ପ୍ରଭାତ କୁମାର ତ୍ରିପାଠୀ,ମହାନଗର ଶାନ୍ତି କମିଟି ସଭାପତି,ଶ୍ରୀ ଦେବେନ୍ଦ୍ର ସାହୁ, ସଂପାଦକ, ଶ୍ରୀ ଭିକାରି ଦାସ,ପୂର୍ବାଞ୍ଚଳ ଶାନ୍ତି କମିଟି ସଂପାଦକ, ଶ୍ରୀ ପ୍ରଫୁଲ୍ଲ କୁମାର ସାହୁ,ଶ୍ରୀ ପ୍ରଦୀପ ସିହ୍ନାଙ୍କ ସମେତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।