ବାତ୍ୟା 'ଦାନା' ପରେ ଏବେ ବନ୍ୟା ପରିସ୍ଥିତି, ଫୁଲୁଛି ସାଳନ୍ଦି ଓ ନାଳିଆ ନଦୀ |

77

କଟକ(ଉତ୍କଳ ନିଉଜ) ୨୭/୧୦/୨୦୨୪ : ବାତ୍ୟା 'ଦାନା' ପରେ ଏବେ ବନ୍ୟା ପରିସ୍ଥିତି । ବାତ୍ୟାର ପ୍ରକୋପରୁ ଲୋକେ ବର୍ତ୍ତୀ ନଥିବା ବେଳେ ସଂପ୍ରତି ବନ୍ୟା ଅଧିକ ଭୟଭିତ କରିଲାଣି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଫୁଲୁଛି ସାଳନ୍ଦି ଓ ନାଳିଆ ନଦୀ । ଦୁଇଦିନ ଧରି ଲଗାଣ ବର୍ଷା ସହ ଉପରମୁଣ୍ଡରୁ ବନ୍ୟା ଜଳ ଖସିବା ଫଳରେ ଏହି ବ୍ଲକର ତଳଗୋପବିନ୍ଧା, କୁବେରା, ବିଲଣା ଓ ବୋଡକ ପଞ୍ଚାୟତରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଶନିବାର ସଂଧ୍ୟା ସୁଦ୍ଧା କେବଳ ତଳଗୋପବିନ୍ଧାରେ ବନ୍ୟା ଜଳ ପ୍ରବେଶ କରିଥିବା ବେଳେ ରାତି ମଧ୍ୟରେ ଏହିସବୁ ପଞ୍ଚାୟତ ଜଳମଗ୍ନ ହୋଇ ଯାଇଛି । ଚାଷ ଜମିରେ ଆଣ୍ଠୁଏ ପାଣି ଲହଡି ମାରୁଥିବା ବେଳେ ଗାଁ ରାସ୍ତା ବନ୍ୟାଜଳର ସୁଅ ଛୁଟୁଛି । ଏହି ପଞ୍ଚାୟତଗୁଡିକରେ ବିଭିନ୍ନ ଗାଁ ଗଣ୍ଡାରେ ଘରଦ୍ୱାରରେ ପାଣି ପଶିଛି । ବିଶେଷ କରି ସାଳନ୍ଦୀ ନଦୀର ବନ୍ୟା ଆସିବା ପରେ ଏହି ବ୍ଲକର ମାଙ୍କଡ଼କୋଲା ଗ୍ରାମବାସୀ ସଂପ୍ରତି ଜଳ ବନ୍ଦୀ ହୋଇ ପଡିଛନ୍ତି । ପୂର୍ବାହ୍ନରେ ଜିଲ୍ଲାପାଳ ଏହି ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରିଖିଥିବା ସୂଚନା ମିଳିଛି । ଏହି ଗାଁ ଟି ସାଳନ୍ଦୀ ନଦୀ କୂଳରେ ଥିବାରୁ ଗତ ୨୪ ତାରିଖ ଠାରୁ ଗାଁ ମଧ୍ୟରେ ନଦୀ ଜଳ ପ୍ରବେଶ କରିଛି । ଫଳରେ ଏହି ଗାଁର ୪୦ ଗୋଟି ପରିବାର ସମ୍ପୃନ୍ନ ଜଳ ବନ୍ଦୀ ଜୀବନ ବିତାଉଛନ୍ତି । ଘରୁ ବାହାରକୁ ବାହାରି ପରିବା କଷ୍ଟକର ହୋଇଛି । ଗାଁର ଲୋକ ଅଧିକାଂଶଙ୍କ ଘରେ ବନ୍ୟା ଜଳ ପ୍ରବେଶ କରିଥିଲା ବେଳେ ଅନ୍ୟ କେତେକଙ୍କ ଘରର ଦ୍ୱାର ମୁହଁରେ ବନ୍ୟା ପାଣି ଅଟକି ରହିଛି । ଲୋକମାନେ ବାଲି ଓ ଜରି ବସ୍ତା ଏବଂ କଦଳୀ ଗଛ ପକାଇ ନିଜ ଘର ଭିତରକୁ ଆସୁଥିବା ବନ୍ୟା ପାଣିକୁ ଅଟକାଇ ବାକୁ ଉଦ୍ୟମ କରିଛନ୍ତି । ନଳ କୂପ ଗୁଡିକ ବନ୍ୟା ପାଣି ଘେରରେ ଅଛି । ସେଠାକୁ ଲୋକମାନେ ଯାଇପାରୁ ନାହାଁନ୍ତି । ଗାଁ ଭିତରେ ୪ ଫୁଟ ଉଚ୍ଚରେ ବନ୍ୟା ଜଳ ପ୍ରବାହିତ ହେଉଛି । ସେହିପରି ଧାନ ଚାଷ ଆଉ ନାହିଁ କହିଲେ ଚଳେ । ଥୋଡ ଧାନରେ ପାଣି ପସିଯିବା ସହିତ ବିଲରେ ୫ ଫୁଟର ପାଣି । ଏପରି ସ୍ଥଳେ ବିପନ୍ନ ଲୋକମାନେ ଭୋକ ଉପାସରେ ରହି ଥିଲେ ବି ରିଲିଫ ସାମଗ୍ରୀ ପହଂଚି ପାରି ନାହିଁ । ତେଣୁ ବିପନ୍ନ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯାଇଛି । ସାଳନ୍ଦୀ ନଦୀର ଆଡିବନ୍ଧ ନ ଥିବାରୁ ଏହି ଗ୍ରାମର ଲୋକମାନେ କିପରି ଜଳ ବନ୍ଦୀ ଜୀବନ ବିତାଉଛନ୍ତି ତାହା କହିବା ମୁସ୍କିଲ ହୋଇ ପଡିଛି । ଏହି ସବୁ ପଞ୍ଚାୟତରୁ ପାଣି ଖସିବା ପରେ କାଁପଡା ଓ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଜଳମଗ୍ନ ହେବାର ସମ୍ଭାବନା ଦେଖା ଦେଇଛି । ଅନ୍ୟପଟେ ଅଚକ ପଞ୍ଚାୟତ ଖପରାବାଙ୍କ ଗାଁରେ ଦେଖା ଦେଇଛି ବନ୍ୟା । ବିଭିନ୍ନ ପଞ୍ଚାୟତରୁ ବନ୍ୟା ଜଳ ଖସିବା ପରେ ଏହି ଗାଁର ଚାରିପାଖେ ଜଳମଗ୍ନ ହୋଇଛି । କୁଣ୍ଡିି, ବାଘୁଆ, ବଡଜୋର, ମହାରାଜ ନାଳ ଓ ଭୁଆଁଳି ଆଦିରେ ଜଳସ୍ତର ଅଧିକ ଦେଖାଦେଇଛି । ଏହିସବୁ ନାଳରୁ ଜଳ ନିଷ୍କାସନ ହୋଇ କରଞ୍ଜେଇ ଦେଇ ଧଳା ନଈରେ ପଡିବ ଏବଂ ସେଠାରୁ ମନ୍ତେଇ ନଦୀରେ ମିଶିବା ପର୍ଯ୍ୟନ୍ତ ଜଳସ୍ତର ସ୍ଥିର ରହିବ ବୋଲି ଗ୍ରାମବାସୀମାନେ ସୂଚନା ଦେଇଛନ୍ତି । ସଂପ୍ରତି ଖପରାବାଙ୍କ ଜଳବନ୍ଦୀ । ଲୋକଙ୍କ ଘର ଭିତରେ ପାଣି ପଶିଛି । ଆଶ୍ରୟ ସ୍ଥଳୀଭାବେ ବ୍ୟବହାର କରୁଥିବା ସ୍କୁଲ ଗୃହ ମଧ୍ୟ ଜଳ ଘେରରେ । ସେହିପରି ନନ୍ଦପୁରରୁ ଗୁପ୍ତଗଙ୍ଗା ରାସ୍ତାରେ ବର୍ଷା ଜଳ ଲହଡି ମାରୁଛି । ତହସିଦାର ଜୟଦ୍ରଥ ଆଚାର୍ଯ୍ୟ, ବିଡିଓ ଜ୍ୟେତିର୍ମୟ କର, ଆଇଆଇସି ପ୍ରସନ୍ନ କୁମାର ନାୟକକଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହିତ ରିପୋର୍ଟ ପ୍ରସ୍ତୁତ କରିଥିବା ଜଣାଯାଇଛି । ଅପରାହ୍ନରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବନ୍ୟାଞ୍ଚଳ ପରିଦର୍ଶନ କରିବା ସହିତ କ୍ଷୟକ୍ଷତିର ଆକଳନ କରିିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ  ଉତ୍କଳ ନିଉଜ |