ମଶାଧୂପରୁ ଶ୍ୱାସରୁଦ୍ଧ, ଶୋଇଥିବା ବେଳେ ମାଆ ଝିଅ ସମେତ ୩ ଅସୁସ୍ଥ |

82

କଟକ(ଉତ୍କଳ ନିଉଜ) ୨୭/୧୦/୨୦୨୪ : ଭଦ୍ରକ ଜିଲା ତିହିଡ଼ି ବ୍ଲକ କାଁପଡା ପଞ୍ଚାୟତ ଅଧିନ ଦକ୍ଷିଣପାରି ଗ୍ରାମରେ ଶନିବାର ରାତିରେ ଘରେ ଶୋଇଥିବା ବେଳେ ମଶାଧୂପରୁ ଶ୍ୱାସରୁଦ୍ଧ । ମାଆ ଝିଅ ସମେତ ୩ ଅସୁସ୍ଥ । ଆଜି ସକାଳ ୭ ଘଟିକା ପର୍ଯ୍ୟନ୍ତ ଶୋଇଥିଲେ । ପଡୋଶୀମାନେ ସନ୍ଦେହ ପ୍ରକଟ କରି ଝରକା ଭାଙ୍ଗି ସଂଜ୍ଞାହୀନ ଅବସ୍ଥାରେ ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତୀ କରିଥିଲେ । ଅସୁସ୍ଥ ହୋଇଥିବା ମା’ ସସ୍ମିତା ଦାସ(୩୦) ଓ ଝିଅ ପ୍ରୀତିପ୍ରଭା (୧୦) ଏବଂ ପଡ଼ୋଶୀ ଲିଜା ମଳିକ(୧୩) ବୋଲି ଜଣାଯାଇଛି । ଶନିବାର ରାତିରେ ସେମାନେ ଗୋଟିଏ କୋଠରୀରେ ମଶାଧୂପ ଦେଇ ଶୋଇଥିଲେ । ରବିବାର ସକାଳେ ସେମାନଙ୍କର ଉଠିବାରେ ବିଳମ୍ବ ହେବାରୁ ପରିବାର ଲୋକଙ୍କ ମଧ୍ୟରେ ସନ୍ଦେହ ହୋଇଥିଲା । ଖବର ପାଇ ସରପଞ୍ଚ କୁନ୍ତଳା ମଳିକ ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ । ପରେ ଗ୍ରାମବାସୀ କୋଠରୀର ଝରକା ଭାଙ୍ଗି ସେମାନଙ୍କୁ ସଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଥିଲେ । ଅସୁସ୍ଥ ମା' ଝିଅ ସମେତ ୩ଜଣଙ୍କୁ ଚିକିତ୍ସା ପାଇଁ ତିହିଡ଼ି ଡାକ୍ତରଖାନାରେ ଭର୍ତ୍ତୀ କରା ଯାଇଥିଲା । ତେବେ ମା’ ସସ୍ମିତା ଅଧିକ ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣା ଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ  ଉତ୍କଳ ନିଉଜ |