ଅର୍ଜୁନବିନ୍ଧା ଗାଁରେ ଦୁଇକୋଟି ଟଙ୍କାର ଠକେଇ ଘଟଣା, ଗିରଫ୍ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିବାକୁ ଦାବିକଲେ ଶତାଧିକ ମହିଳା।

39

କଟକ (ଉତ୍କଳ ନ୍ୟୁଜ ) ୧୨-୧୦-୨୦୨୪ : ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ଅର୍ଜୁନବିନ୍ଧା ଗାଁର ସ୍ୱାମୀ ସ୍ତ୍ରୀ ଦୁଇଜଣ ମିଳିତଭାବେ ଗାଁର ଶତାଧିକ ମହିଳାମାନଙ୍କ ସହିତ ଚଞ୍ଚକତା କରି ଏବଂ ପରେ ଘଟଣା ଜଣାପଡିବା ପରେ ଫୁସୁଲେଇ ପ୍ରାୟ ଦୁଇକୋଟି ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି । ଏନେଇ ସଂଗୀନ ଦଫା ଥାନାରେ ଏକ ମାମଲା ରୁଜୁ ହୋଇଛି । ଏହା ପୂର୍ବରୁ ସେମାନେ ଜଣେ ଯୁବକଙ୍କୁ ଜମି ବିକ୍ରି କରିବା ଲାଗି ୧୩ ଲକ୍ଷ ୫୦ ଟଙ୍କା ନେବାପରେ ଜମି ଦଲିଲି କରିନଥିବା ଘଟଣାରେ ଏକ ମାମଲା ରୁଜୁ ହୋଇଥିଲା । ପୋଲିସ ପ୍ରଥମେ ସ୍ୱାମୀ ରାଜେଶ ମହାନ୍ତି ଏବଂ ପରେ ସ୍ତ୍ରୀ ରଶ୍ମିତା ପଟ୍ଟନାୟକଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି । ତେବେ ଠକେଇର ଶିକାର ହୋଇଥିବା ଗ୍ରାମର ଶତାଧିକ ମହିଳାମାନଙ୍କ ପକ୍ଷରୁ ତିବ୍ର ଉତେଜନା ପ୍ରକାଶ ପାଇଛି । ଉଭୟ ସ୍ୱାମୀ ସ୍ତ୍ରୀ ଯେଉଁ ଟଙ୍କା ଠକେଇ କରିଛନ୍ତି ତାହାକୁ ଅନ୍ୟତ୍ର କେଉଁଠି ସାଇତି ରଖିଛନ୍ତି ଏବଂ ପୋଲିସ ସେମାନଙ୍କୁ ପଚରା ଉଚୁରା କରି ଟଙ୍କା ଫେରସ୍ଥ କରାଯିବା ଲାଗି ଦାବି କରିଛନ୍ତି । ଏନେଇ ମହିଳାମାନେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଛନ୍ତି । ଉଭୟଙ୍କୁ ଥାନାକୁ ରିମାଣ୍ଡରେ ଅଣାଯାଇ ଅଧିକ ତଦନ୍ତ କରିବା ସହିତ ସେମାନଙ୍କ ଟଙ୍କା ଫେରସ୍ତର ବ୍ୟବସ୍ଥା କରାଯିବାକୁ ଦାବି କରିଥିଲେ । ଦାବି ପୂରଣ ନହେଲେ ଥାନା ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନି ମଧ୍ୟ ଦେଇଥିଲେ । ତେବେ ରିମାଣ୍ଡରେ ଆଣିବା ଲାଗି ଥାନା ପକ୍ଷରୁ କୋର୍ଟକୁ ଆବେଦନ କରାଯିବ ବୋଲି ଚାନ୍ଦବାଲି ଏସଡିପିଓ କାର୍ତ୍ତିକ ଚନ୍ଦ୍ର ମଲ୍ଲିକ ଫୋନ୍ ଯୋଗେ ସେମାନଙ୍କୁ ପ୍ରତିଶୃତି ଦେବାପରେ ପରିସ୍ଥିତି ଶାନ୍ତ ପଡିଥିବା ଜଣାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |