କଟକ (ଉତ୍କଳ ନ୍ୟୁଜ ) ୨୦-୯-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଗୁଆମାଳ ପଞ୍ଚାୟତ ଅଧିନ ଝାଡପଟାରେ ଗୋଟିଏ ଶିଆଳର ଆତଙ୍କ ଦେଖାଦେଇଛି । ଆଖିଆଗରେ ଯାହାକୁ ଦେଖୁଛି ଗୋଡେଇ ଗୋଡେଇ କାମୁଡୁଛି ଲୋକଙ୍କୁ । ଦୁଇଦିନ ହେଲା ଗ୍ରାମରେ ଏକ ପ୍ରକାର ତାଟିକବାଟ ପଡି ଯାଇଛି । ସଞ୍ଜ ନଇଁବା ପରେ ଲୋକେ ବାହାରକୁ ବାହାରୁନଥିବା କୁହାଯାଉଛି । ଯୁବତୀ, ମହିଳା, ବୃଦ୍ଧ ବୃଦ୍ଧା ସମେତ ଛୋଟ ପିଲାମାନେ ଘରୁ ବାହାରିବାକୁ ସଂପ୍ରତି ଭୟ କରୁଛନ୍ତି । ଝାଡପଟା ସଭାଘର ନିକଟସ୍ଥ ଅକ୍ଷୟ ପାଢୀଙ୍କ ଘଞ୍ଚ ବାଡିରେ ରହୁଥିବା ଲୋକେ ଜାଣିବାକୁ ପାଇଛନ୍ତି । ଆବଶ୍ୟକ ସମୟରେ ବାହାରି ଆସି ରାସ୍ତାରେ ବୁଲୁଛି । ମଣିଷଙ୍କୁ ଦେଖିଲେ ରକ୍ତମୁଖା ହୋଇ ଗୋଡେଇ ଗୋଡେଇ କାମୁଡୁଛି । ଗତକାଲି ଅପରାହ୍ନରେ ଏକ ଛେଳିକୁ ଗୋଡେଇ ଗୋଡେଇ କାମୁଡୁଥିବା ସମୟରେ ଗ୍ରାମର ପଦ୍ମନାଭ ପାଢୀ ଘଉଡେଇ ଥିଲେ । ମାତ୍ର ଶିଆଟି ଛେଳିକୁ ଛାଡି ତାଙ୍କ ଜଙ୍ଘକୁ କାମୁଡିଥିଲା । ଜଙ୍ଘରୁ ପୁଳାଏ ମାଂସ ବାହାରି ଯାଇଛି । ସେହିପରି ଡାହାଣ ହାତ ଆଙ୍ଗୁଳିକୁ କାମୁଡି ୩ଟି ସ୍ଥାନରେ କ୍ଷତାକ୍ତ କରିଛି । ହୃଷିକେଶ ମାଝୀ ପାଖ ବାଡିରେ କାମ କରୁଥିବା ସମୟରେ ହଠାତ ଶିଆଳଟି ଆସି ତାଙ୍କ କପାଳକୁ କାମୁଡି ଫୁଟେଇ ଦେଇଛି । ସେହିପରି ଯଶୋଦା ତ୍ରିପାଠୀ ନଳକୂପରେ କପଡା ସଫା କରୁଥିବା ସମୟରେ ତାଙ୍କ ଜଙ୍ଘକୁ ୩ ଜାଗାରେ କାମୁଡି ଫୁଟେଇ ଦେଇଛି । ଗତକାଲି ରାତିରେ ଛେଳି ଗୁହାଳେ ପଶିଥିବା ସମୟରେ ଲୋକେ ବାଡିଠେଙ୍ଗା ଧରି ଗୋଡେଇଥିଲେ । ଏପରିକି ଯୁବକମାନେ ଉକ୍ତ ଶିଆଳ ଧରିବାକୁ ଅସମର୍ଥ ହୋଇଛନ୍ତି । ପାଖ ବୁଦା ବଣରେ କେଉଁଠି ଲୁଚିଯାଉଛି, କେଉଁ ଗାତରେ ପଶିଯାଉଛି ଏବଂ ସମ୍ଭବତଃ ଶିଆଳଟି ପାଗଳ ହୋଇଯାଇ ଏପରି କାଣ୍ଡ କରୁଥିବା ଗ୍ରାମବାସୀ ଅନୁମାନ କରୁଛନ୍ତି । ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲେ ହେଁ ଏଯାବତ୍ କୌଣସି ପଦକ୍ଷେପ ନିଆଯାଇନଥିବା ଜଣାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |