ନକଲି ପ୍ରମାଣ ପତ୍ରରେ ଶିକ୍ଷୟତ୍ରୀ ଚାକିରି କରି ମାଲାମାଲ |

120

କଟକ (ଉତ୍କଳ ନ୍ୟୁଜ ) ୨୦-୯-୨୦୨୪ : ନକଲି ପ୍ରମାଣ ପତ୍ରରେ ଶିକ୍ଷୟତ୍ରୀ ଚାକିରି କରି ମାଲାମାଲ |ଏ ନେଇ ସୂଚନା କର୍ମୀ ସମସ୍ତ ତଥ୍ୟ ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ ପ୍ରଦାନ କରିଛନ୍ତି | ରାଜ୍ୟରେ ନକଲି ଶିକ୍ଷକଙ୍କ ତାଲିକା ବଢ଼ି ଚାଲୁଥିବା ବେଳେ ଏବେ ସାମ୍ନାକୁ ଆସିଛି ଆଉ ଜଣେ ଶିକ୍ଷୟତ୍ରୀଙ୍କ କଳା କାରନାମା। ସୂଚନା ଅଧିକାର ଆଇନ ଖୋଲିଛି ଗୁପ୍ତ ରହସ୍ୟ। ଟାଙ୍ଗୀ ଚୌଦ୍ୱାର ବ୍ଲକ ଉଚ୍ଚପଦା ଗ୍ରାମପଞ୍ଚାୟତ ଅଧିନ ନିଶ୍ଚିନ୍ତା ଉ ପ୍ରା ବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି ଶିକ୍ଷୟତ୍ରୀ ରିତାଞ୍ଜଳୀ ସାହୁ। ତାଙ୍କ ଶିକ୍ଷ୍ୟାଗତ ଯୋଗ୍ୟତା ଉପରେ ସନ୍ଦେହ କରି ଯାଜପୁର ଜିଲ୍ଲା କଣ୍ଟୀଗାଡ଼ିଆ ଶାନ୍ତିପୂରର ଛବି ପାତ୍ର, ସୂଚନା ଅଧିକାର ଆଇନ ବଳରେ ୪। ୭। ୨୩ରେ ମାଗିଥିଲେ ତଥ୍ୟ। ବ୍ଲକ ଶିକ୍ଷ୍ୟା ଅଧିକାରୀଣୀଙ୍କ କାର୍ଯ୍ୟାଳୟରୁ ଚିଠି ନମ୍ବର ୧୮୦ ତା୩। ୮।୨୩ରେ ଶିକ୍ଷୟତ୍ରୀଙ୍କ ସମସ୍ତ ଶିକ୍ଷା ଗତ ପ୍ରମାଣ ପତ୍ର ଯୋଗାଇ ଦିଆ ଯାଇଥିଲା। ଏଥିରେ ମାଟ୍ରିକ, ଯୁକ୍ତଦୁଇ, ସିଟି, ଜାତିଗତ ପ୍ରମାଣ ପତ୍ର ଓ ଶିକ୍ଷୟତ୍ରୀଙ୍କ ହାତ ଲେଖା ଦରଖାସ୍ତ ମିଳିଥିଲା। ପିଏଏନ ସ୍କୁଲରୁ ୨୦୦୯ ମସିହାରେ ରୋଲ ନମ୍ବର ୦୨ବିସି ୦୨୫ ଥାଇ ରିତାଞ୍ଜଳୀ ପ୍ରଥମ ଶ୍ରେଣୀରେ ପାସ କରିଥିବା ଜଣା ପଡିଥିଲା। ପି ଏ ଏନ ସ୍କୁଲ ଅଫ ଏଜୁକେସନ, ବାଂକୋଇ ଖୋର୍ଦ୍ଧାରୁ ମିଳିଥିବା ସେକଣ୍ଡରୀ ଟିଚର୍ସ ଟ୍ରେନିଂ ସାର୍ଟିଫିକେଟ(ସିଟି)କୁ ନେଇ ଛବି ପାତ୍ର ନାମ୍ନୀ ମହିଳା ଜଣଙ୍କ ଏହି ପ୍ରମାଣ ପତ୍ରର ତଦାରଖ ପାଇଁ ବୋର୍ଡ ଅଫ ସେକଣ୍ଡାରୀ ଏଜୁକେସନର ଦ୍ୱାରସ୍ଥ ହେଲେ। ଅଶୋକ ନଗର, ଭୁବନେଶ୍ୱର ରେ ଥିବା ବୋର୍ଡର ଜୋନାଲ ଅଫିସକୁ ୨୪। ୬। ୨୦୨୪ରେ ସୂଚନା ଅଧିକାର ଆଇନିରେ ମାଗିଥିବା ତଥ୍ୟ ଚିଠି ନମ୍ବର ୪୪୬ ତା୨୨। ୭। ୨୦୨୪ରେ ତାଙ୍କୁ ମିଳିଛି। ଭେରୀଫାଏ ରିପୋର୍ଟରୁ ମିଳିଛି ଅନେକ ରହସ୍ୟ ଭରା ତଥ୍ୟ। ବୋର୍ଡ ଅଫ ସେକଣ୍ଡାରୀ ଏଜୁକେସନ ଜୋନାଲ ଅଫିସ ର ଉପନିର୍ଦେଶକ ତଥା ଜନ ସୂଚନା ଅଧିକାରୀ ସିଟି ପ୍ରମାଣ ପତ୍ରକୁ ଭୁଲ ବୋଲି ଦର୍ଶାଇଛନ୍ତି । ଚିଠିରେ ସ୍ପଷ୍ଟ କରିଛନ୍ତି ପି ଏ ଏନ ସ୍କୁଲ ଅଫ ଏଜୁକେସନ ବାଂକୋଇ, ଖୋର୍ଦ୍ଧାରେ ୨୦୦୯ ମସିହାରେ ରିତାଞ୍ଜଳୀ ସାହୁ ନାମରେ କିମ୍ବା ୦୨ବିସି ୦୨୫ରୋଲ ନମ୍ବରରେ କେହି ନଥିଲେ। ସୂତରାଙ୍ଗ ବିଇଓ କାର୍ଯ୍ୟାଳୟରୁ ମିଳିଥିବା ଶିକ୍ଷୟତ୍ରୀଙ୍କ ତାଲିମ ପ୍ରମାଣ ପତ୍ର ସମ୍ପୂର୍ଣ ଜାଲିଆତି ବା ଫେକ ବୋଲି ଉଲ୍ଲେଖ କରିଛନ୍ତି। ଏହାକୁ ନେଇ ଛବି ପାତ୍ର ଟାଙ୍ଗୀ ଚୌଦ୍ୱାର ବ୍ଲକ ଶିକ୍ଷା ଅଧିକାରିଣୀଙ୍କୁ ଦରଖାସ୍ତ ଲେଖି ଅବଗତ କରାଇଥିବା ସୂଚନା ମିଳିଛି। ବିଭାଗ ଅବଗତ ଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ। ବିଡମ୍ବନାର ବିଷୟ ପ୍ରମାଣ ପତ୍ର ଦାଖଲ ପାଇଁ ଶିକ୍ଷୟତ୍ରୀ ଜଣକ ବ୍ଲକ ଶିକ୍ଷ୍ୟା ଅଧିକାରିଣୀଙ୍କୁ ଲେଖିଥିବା ଦରଖାସ୍ତର ପ୍ରତିଟି ଧାଡିରେ ଭୁଲ। ସାଧାରଣ ଶିକ୍ଷୟତ୍ରୀ, ସ୍ଥାନରେ ଶିକ୍ଷତ୍ରୀ, ନିଶ୍ଚିନ୍ତା ଯାଗାରେ ନିଶ୍ଚିନାତ, ମାଟ୍ରିକ ବଦଳରେ ମାର୍ଟିକା, ସାର୍ଟିଫିକେଟ, ନଲେଖି କଟିଫିକଟ ଲେଖାରୁ ଶିକ୍ଷାଗତ ଯୋଗ୍ୟତା ଉପରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଛି। ସମ୍ପୃକ୍ତ ଶିକ୍ଷୟତ୍ରୀଙ୍କ ସହ ଯୋଗାଯୋଗ ହୋଇ ନପାରିଥିବା ବେଳେ, ଏହା ଯାଞ୍ଚ ପ୍ରକ୍ରିୟାରେ ଅଛି ଖୁବ ଶୀଘ୍ର ଆପଣ ମାନେ ଜାଣିପାରିବେ ବୋଲି ପ୍ରତିକ୍ରିୟାରେ କହିଛନ୍ତି ବ୍ଲକ ଅଧିକାରିଣୀ କୁନ୍ତଳା ଖଟୁଆ।