ସୁଭଦ୍ରା ଯୋଜନା କରୁଛି ମାନିଆ, ଚାରିଆଡେ ଲାଗିଛି ନିଆଁ |

82

କଟକ (ଉତ୍କଳ ନ୍ୟୁଜ ) ୧୧-୯-୨୦୨୪ : ରାଜ୍ୟରେ ନୂଆକରି କାର୍ଯ୍ୟକାରୀ ହେବାକୁ ଯାଉଥିବା ସୁଭଦ୍ରା ଯୋଜନା କରୁଛି ମାନିଆ ଏବଂ ଚାରିଆଡେ ସତେ ଯେପରି ଲାଗିଛି ନିଆଁ । ଏକଥା ଆମେ କହୁନୁ ଏହି ଯୋଜନାରେ ଭାଗିଦାର ହେବାଲାଗି ମହିଳାମାନଙ୍କ ଭିଡରୁ ବେଶ ପ୍ରମାଣିତ ହେଉଛି । ୫୦ ହଜାର ଟଙ୍କାର ଫାଇଦା ଉଠାଇବା ଲାଗି ଚାଲିଛି ଉଦ୍ୟମ । ହାତ ଛଡା ଦେବା ଅଥବା ନିର୍ଦ୍ଧାରିତ ସମୟ ସୀମା ପାର୍ ହେଲେ ଆଉ ମିଳିବ ନାହିଁ ଭୟରେ ରାତିଦିନ ଏକକରି ଦେଇଛନ୍ତି ମାତ୍ରାଧିକ ମହିଳା । କେୱାଇସି ଠାରୁ ଆରମ୍ଭ କରି ଆଧାର ସହିତ ମୋବାଇଲ୍ ନମ୍ବର ଲିଙ୍କ ହେଉ ଅଥବା ଫର୍ମ ଆଦି ସମସ୍ତ ପର୍ଯ୍ୟାୟରେ ଲାଗିଛି ଭିଡ । ବ୍ୟାଙ୍କ ଠାରୁ ଆରମ୍ଭ କରି ଆଧାର କେନ୍ଦ୍ର ଓ ଆବେଦନ କେନ୍ଦ୍ରରେ ଶହ ଶହ ମହିଳାଙ୍କ ଭିଡ । ରାତି ନପାହୁଣୁ କେନ୍ଦ୍ର ପରିସର ଭିଡ ହୋଇ ଯାଉଛି । କେଉଁଠି କିଏ ଅଚେତ ହେଲାଣି ତ ଆଉ କେଉଁଠି ଝଗଡା ଲାଗିବା ଅଥବା ବାଡିଆପିଟାର ପ୍ରମାଣ ମିଳୁଛି । ତିନିଦିନ ତଳେ ପୀରହାଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ପରିସରରୁ ୩ ଜଣ ଗୁରୁତର ଆହତ ହୋଇଥିଲେ । ବ୍ଲକ ପରିସରରେ କାର୍ଯ୍ୟକାରୀ କରୁଥିବା ଆଧାର କେନ୍ଦ୍ରରେ ଦୈନିକ ବହୁ ହିତାଧିକାରୀ ସଂଜ୍ଞାହୀନ ହେବାର ଖବର ଆସିଛି । କ୍ଷୀର ଖାଉଥିବା ବାଳୁତଙ୍କୁ ଧରି ମାଆଟିଏ ଲମ୍ବା ଧାଡିରେ ବସୁଛି ଅଥବା ଛିଡା ହେଉଛି । ଜଣେ ସୁଭଦ୍ରା ଆବେଦନକାରୀଙ୍କ ସହ ଏକାଧିକ ସହଯୋଗି ଆସୁଥିବାର ପରିଲକ୍ଷିତ ହେଉଛି ଯାହା ଭିଡକୁ ବହୁଗୁଣିତ କରୁଛି । ସେହିପରି ପୋଷ୍ଟ ଅଫିସ୍ ଓ ଆବେଦନ କେନ୍ଦ୍ର କଥା ନକହିବା ଭଲ । ଚାରିଆଡେ ସମଦଶା । ଯୋଜନା ପାଇଁ ଫର୍ମ ମାଗଣାରେ ମିଳୁଥିବା ବେଳେ କେତେକ ସ୍ଥଳରେ ଶହେ ଟଙ୍କାରେ ବିକ୍ରି ହେଉଥିବାର ଖବର ବ୍ଲକ ପ୍ରଶାସନର ମୁଣ୍ଡ ବଥାର କାରଣ ସାଜିଥିଲା । ତେବେ ସେପରି କୌଣସି ସ୍ଥଳରେ ଦେଖା ଗଲେ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନିକ ସ୍ତରରେ ଚେତାବନି ଦିଆଯାଇଛି । ମାତ୍ର ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଖଦାଳପୋଖରୀ ପଞ୍ଚାୟତ ଅଧିନ ବ୍ରହ୍ମଟିକ୍ରି ଅଙ୍ଗନୱାଡ଼ି କେନ୍ଦ୍ରରେ ଦେଖା ଦେଇଛି ଉତ୍ତେଜନା । ଜଣେ ଅଯୋଗ୍ୟ ହିତାଧିକାରୀଙ୍କୁ ଫର୍ମ ଫେରସ୍ତ ମାଗିବାରୁ ଅଙ୍ଗନୱାଡ଼ି କର୍ମୀଙ୍କୁ ଆକ୍ରମଣ ହୋଇଛି ବୋଲି ଅଭିଯୋଗ ହୋଇଛି । କର୍ମୀଙ୍କୁ କେନ୍ଦ୍ରରେ ଅଟକ ରଖାଯାଇଥିବା ବେଳେ ବାଂଶଡ଼ା ପୋଲିସ୍ ଘଟଣା ସ୍ଥାଳରେ ପହଁଞ୍ôଚଥିଲା । କର୍ମୀଙ୍କୁ ଉଦ୍ଧାର କରିବା ସହିତ ତାଙ୍କ ଅଭିଯୋଗ ମୂଳେ ଏକ ମାମଲା ରୁଜ୍ଜୁ କରାଯାଇଛି । ଏହି ଘଟଣାକୁ ନେଇ ଅନ୍ୟାନ୍ୟ ଅଙ୍ଗନୱାଡ଼ି କର୍ମୀଙ୍କ ମହଲରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପ୍ରଶାସନିକ ସ୍ତରରେ ଏହାର କେଉଁ ପ୍ରକାର ସମାଧାନ କରାଯାଉଛି ତାହା ଦେଖିବା ବାକି ରହିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |