ବିଜେପିର ଶୋଭାଯାତ୍ରାକୁ ବିଜେଡିର କଳା ପତାକା ପ୍ରଦର୍ଶନ ଓ ଛାତ ଉପରୁ ଅଣ୍ଡା ମାଡ, ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ |

14

ତିହିଡି, ୦୪.୦୯: ଅତିଥି ଚୟନକୁ ନେଇ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ମତୋ ଡିଗ୍ରୀ କଲେଜର ପ୍ରତିଷ୍ଠା ଦିବସରେ ତୀବ୍ର ବିବାଦ । ଫେଲ୍ ମାରିଲା ଜିଲ୍ଲା ପ୍ରଶାସନର କଟକଣା । ଖେରଙ୍ଗ ବଜାରରୁ ବିଜେପି ପକ୍ଷରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରା ବାହାରିଥିଲା । ସେପଟେ କଟକଣା ସତ୍ୱେ ଶୋଭାଯାତ୍ରା ମାଧ୍ୟମରେ ଦେଖେଇ ହେଉଥିବା କହିଛି ବିଜେଡି । ବିଜେଡି ପକ୍ଷରୁ ପୀରହାଟରେ କଳା ପତାକା ପ୍ରଦର୍ଶନ ଓ ଛାତ ଉପରୁ ଅଣ୍ଡା ମାଡ କରାଯାଇଥିବା ବେଳେ ଉଗ୍ରତରାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାଜ୍ୟ ସଭାପତି ମନମୋହନ ସାମଲଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ଜିଲ୍ଲା ତଥା ରାଜ୍ୟ ସ୍ତରୀୟ ପୋଲିସ ପଦାଧିକାରୀଙ୍କ ସମାଗମ ହୋଇଥିବା ବେଳେ ୧୫ ପ୍ଲାଟୁନ୍ ଫୋର୍ସ ମଧ୍ୟ ନିୟୋଜିତ ହୋଇଥିଲେ । କଡ୍ଡା ସୁରକ୍ଷା ବଳୟ ମଧ୍ୟରେ କଲେଜର ପ୍ରତିଷ୍ଠା ଦିବସ ଉତ୍ସବ ପାଳନ କରା ଯାଇଛି । ସ୍ଥାନୀୟ ବିଧାୟକଙ୍କୁ ଆମନ୍ତ୍ରଣ କରାଯାଇ ନଥିବାରୁ ପୂର୍ବରୁ କଲେଜ ପରିସରରେ ମାତ୍ରାଧିକ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଉତ୍ତେଜନା ଦେଖା ଦେଇଥିଲା । ଏକ ନିର୍ଦ୍ଦିଷ୍ଟ ଛାତ୍ର ସଂଗଠନ ଏହାକୁ ବିରୋଧ କରି କଲେଜ ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ପରେ ଏହା ରାଜନୈତିକ ରୂପ ନେଇଥିଲା । ଶାସକ ଓ ବିରୋଧି ବିଜେଡି ଦଳ ମୁହାଁମୁହିଁ ହେବାର ଆଶଙ୍କା କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ଠାରୁ ଖେରଙ୍ଗ ବଜାର, ନାଲଗୁଣ୍ଡା, ଦିଗଛିିଆ, ପରମାନନ୍ଦପୁର ଏବଂ ମତୋ ବଜାରରେ ୫ ତାରିଖ ସକାଳ ୧୦ ଟା ପର୍ଯ୍ୟନ୍ତ ୧୬୩ ଧାରା ଜାରି କରିଥିଲା । ଆଇନ୍ ଶୃଙ୍ଖଳାକୁ ନିୟନ୍ତ୍ରଣ କରିବା ପାଇଁ ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ଉପସ୍ଥିତ ରହିଥିବା ବେଳେ ମତୋ କଲେଜ ପରିସରରେ ଜଣେ ଅତିରିକ୍ତ ଏସପି, ୪ ଜଣ ଏସଡିପିଓ, ୮ ଜଣ ଆଇଆଇସିଙ୍କ ସମେତ ୧୫ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁ ପଦାଧିକାରୀଙ୍କ ସମାଗମ ମଧ୍ୟ ହୋଇଥିଲା । ରାସ୍ତାରେ ଟାୟାର ଜଳା, କୁଶ ପୁତ୍ତଳିକା ଦାସ, କଳା ପତାକା ପ୍ରଦର୍ଶନ ଓ ଅଣ୍ଡା ମାଡ ଘଟଣାରେ ପୋଲିସ ପକ୍ଷରୁ ସେମାନଙ୍କୁ ଘଉଡାଇବା ସହିତ ପଚରା ଉଚୁରା କରିବା ଲାଗି ଥାନା ଡାକିଥିଲା । ମନମୋହନ ସାମଲଙ୍କୁ ନେଇ ଏତିକି ପାଲା ବୋଲି କୁହାଯାଉଛି । ଅନ୍ୟପଟେ କଡ୍ଡା ସୁରକ୍ଷା ବଳୟ ମଧ୍ୟରେ ଉତ୍ସବ ପାଳନକୁ ଖଣ୍ଡନ କରିଛନ୍ତି ମନମୋହନ ସାମଲ । ଭଦ୍ରକରୁ ମତୋ ଆସିବା ବାଟରେ ସେ ବିରୋଧିଙ୍କ କୌଣସି ପ୍ରତିବାଦ ଦେଖିନଥିବା ଗଣମାଧ୍ୟମକୁ ସୂଚନା ଦେବା ସହିତ ଉକ୍ତ ଉତ୍ସବରେ ଛାତ୍ରଛାତ୍ରୀମାନେ ବେଶ ଉତ୍ସାହିତ ଥିଲେ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |