ଜାଲ ଏସଟି ସାର୍ଟିଫିକେଟରେ ଚାକିରୀ କରିଥିବା ଶିକ୍ଷକ ବରଖାସ୍ତ |

48

କଟକ (ଉତ୍କଳ ନ୍ୟୁଜ ) ୪-୯-୨୦୨୪ : ଜାଲ ଏସଟି ସାର୍ଟିଫିକେଟରେ ଚାକିରୀ କରିଥିବା ଶିକ୍ଷକ ବରଖାସ୍ତ । ଚାକିରିରୁ ବରଖାସ୍ତ ହେଲେ ସହକାରୀ ଶିକ୍ଷକ । ଜାଲ ଏସଟି ସାର୍ଟିଫିକେଟରେ ଶିକ୍ଷକତା କରୁଥିବା ସୁକୁମାର ଦାସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ବନ୍ତ ବ୍ଲକ ଶିକ୍ଷାଧିକାରୀ । ସୂଚନା ଅନୁଯାୟୀ; ଆରଡିସି ତଥା ଏସ୍‌ଏଲ୍‌ଏସସି ଚେୟାରମ୍ୟାନଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସୁକୁମାରଙ୍କ ବିରୁଦ୍ଧରେ ଜାଲ୍ ଏସଟି ସାର୍ଟିଫିକେଟ ଦେଇ ଚାକିରି କରିବାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ହୋଇଥିଲା । ଆରଡିସି ସଚିବଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ଶିକ୍ଷାଧିକାରୀ ବିଇଓଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।ଶେଷରେ ବନ୍ତ ବ୍ଲକ ଶିକ୍ଷାଧିକାରୀ ଚିଠି ନଂ ୨୪୩୮ ତା. ୨୮/୦୮/୨୪ରିଖ ଆଦେଶରେ ଶ୍ରୀ ଦାସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ ଅଧୀନସ୍ଥ ଓଳମ ନୋଡାଲ ୟୁପି ସ୍କୁଲରେ ଶିକ୍ଷକତା କରୁଥିବା ସହକାରୀ ଶିକ୍ଷକ ସୁକୁମାର ଦାସ ନିଯୁକ୍ତି ବେଳେ ଜାଲ୍ ଏସଟି ସାର୍ଟିଫିକେଟ ଦାଖଲ କରି ଚାକିରୀ କରଥିବାର ତଥ୍ୟ ସୂଚନା ଅଧିକାର ଆଇନ୍ ବଳରେ ପଦାକୁ ଆସିଥିଲା । ପରେ ଓଡିଶା ସୂଚନା ଅଧିକାର ଅଭିଯାନର କର୍ମୀ ବିକାଶ କୁମାର ଧଳ ଏ ନେଇ ହାଇକୋର୍ଟରେ ଏକ ମାମଲା ଡବ୍ଲ୍ୟୁପି(ସି) -୩୨୪୯୧/୨୦) ରୁଜୁ କରିଥିଲେ ଓ ହାଇକୋର୍ଟ ତାଙ୍କ ଆଦେଶରେ ଏହି ଘଟଣାରେ ଭଦ୍ରକ ଜିଲ୍ଲାପାଳ ବିଚାର କରି ୩ମାସ ମଧ୍ୟରେ ସମାଧାନ କରିବାକୁ ଆଦେଶ ଦେଇଥିଲେ । ପରେ ଜିଲ୍ଲାପାଳଙ୍କ କୋର୍ଟରେ ଏକ ମିସ୍ କେଶ(ନଂ- ୨୨/୨୧) ଆଗତ ହୋଇଥିଲା ଓ ଜିଲ୍ଲାପାଳଙ୍କ ଆଦେଶ କ୍ରମେ ଏଡିଏମ୍ ଓ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନେଇ ଗଠିତ ଏକ ଯୁଗ୍ମ କମିଟି ଏହି ଜାଲ୍ ଜାତିଗତ ପ୍ରମାଣପତ୍ର ଘଟଣାର ଯାଞ୍ଚ ଆରମ୍ଭ କରିଥିଲେ । ସୂଚନାଯୋଗ୍ୟ; ସୁକୁମାର ଦାସ ଗତ ୨୦୧୧ ମସିହାରେ ଏସ୍‌ଟି (ଆଦିବାସୀ) ବର୍ଗଙ୍କ ଲାଗି ସଂରକ୍ଷିତ ପଦବୀରେ ନିଯୁକ୍ତି ପାଇଥିଲେ ଓ ତେବେ ବାସ୍ତବରେ ସେ ଏସ୍‌ସି (ଅନୁସୂଚିତ ଜାତି) ବର୍ଗର ଥିଲେ । ବନ୍ତ ତହସିଲ ଅଧୀନ ପୋଡ଼ାପାଟଣା, କଣ୍ଟାପଡ଼ା ଗ୍ରାମର ସୁଦର୍ଶନ ଦାସଙ୍କ ପୁତ୍ର ସୁକୁମାର ଦାସଙ୍କ ପ୍ରକୃତ ଜାତି ‘କେଳା' ଯାହାକି ଏସ୍‌ସି ବର୍ଗର । ତେବେ ସୁକୁମାରଙ୍କ ଜେଜେବାପା ସ୍ୱର୍ଗତ ଯୋରନ୍ଦ ଦାସଙ୍କ ନାମରେ ଏକ ଜମି ପୋଡ଼ାପାଟଣା ମୌଜାରେ କ୍ରୟ କରାଯାଇଥିଲା ଓ ଯହିଁରେ ତାଙ୍କ ଜାତି ଶବର (ଏସ୍‌ଟି) ବୋଲି ଉଲ୍ଲେଖ ଥିଲା ଓ ଏହି ଜମିପଟ୍ଟା ଆଧାରରେ ବନ୍ତ ତହସିଲଦାର ସୁକୁମାରଙ୍କୁ ଏସ୍‌ଟି(ଶବର) ବୋଲି ଏକ ଜାତି ପ୍ରମାଣପତ୍ର (ନଂ-୧୯୨/୨୦୧୦) ପ୍ରଦାନ କରିଥିଲେ । କିନ୍ତୁ ସାବିକ ରେକର୍ଡ ଓ ସ୍ଥାନୀୟ ଲୋକଙ୍କ ବୟାନକୁ ଭିତ୍ତିକରି ସ୍ପଷ୍ଟ ହେଲା ଯେ, ତାଙ୍କର ପ୍ରକୃତ ଜାତି ଏସ୍‌?ସି(କେଳା) । ହାଲ୍ ବନ୍ଦୋବସ୍ତଟି ଭୁଲ୍ ଅଟେ । ତେଣୁ ଜିଲ୍ଲାପାଳ ଏହି ଜାତି ପ୍ରମାଣପତ୍ରଟି ଜାଲ୍ ବୋଲି ଜାଣିବାକୁ ପାଇଥିଲେ । ପରେ ଏନେଇ କୋର୍ଟଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ରିପୋର୍ଟ ପ୍ରଦାନ କରାଯାଇଥିଲା । ଅନ୍ୟପକ୍ଷେ ବିଭାଗୀୟ ଅଧିକାରୀଙ୍କ ତରଫରୁ ଏସ୍‌ଏଲଏସସି ଚେୟାରମ୍ୟାନ ତଥା ଆରଡିସି(ସିଡି) ଙ୍କ ନିକଟକୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପଠାଯାଇଥିଲା ଓ ଶେଷରେ ଆରଡିସି(ସିଡି) ସଚିବ ରାଜ୍ୟର ବିଭିନ୍ନ ବିଭାଗର ଅଧିକାରୀଙ୍କ ତଦନ୍ତକୁ ଭିତ୍ତି କରି ସୁକୁମାରଙ୍କ ବିରୁଦ୍ଧରେ ଜାଲ୍ ଜାତିଗତ ପ୍ରମାଣପତ୍ର ଦେଇ ଚାକିରି କରିବାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |