ଚେଇଁ ଶୋଇଛି ଅବକାରୀ ବିଭାଗ, ବିଷାକ୍ତ ମଦ ତିଆରି ଓ ବିକ୍ରି ଉପରେ ତିହିଡି ପୋଲିସର ରେଡ୍ ୪ ଶହ ଲିଟର ପୋଚ୍ ନଷ୍ଟ, ୪୦ ଲିଟର ବିଷାକ୍ତ ମଦ ଜବତ୍‌, ଯାବତୀୟ ସାମଗ୍ରୀ ନଷ୍ଟ କରାଗଲା |

155

କଟକ (ଉତ୍କଳ ନ୍ୟୁଜ ) ୨୮-୮-୨୦୨୪ : ଚେଇଁ ଶୋଇଛି ଅବକାରୀ ବିଭାଗ । ଜାଣି ଅଜଣାର ଅଭିନୟ କରିବାରେ ଏକ୍ସପର୍ଟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଗଞ୍ଜାମର ମଦ ମୃତ୍ୟୁ ବିଭିଷିକା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବେଳେ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ଅବକାରୀ ବିଭାଗର ସେମିତି କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ବାରି ହେଉଛି । ଜିଲ୍ଲାର ଚର୍ଚ୍ଚିତ ତିହିଡି ବ୍ଲକର ତାଳପଦା ପଞ୍ଚାୟତ ଯେଉଁଠି ୨୦ରୁ ଉର୍ଦ୍ଧ ସ୍ଥାନରେ ବିଷାକ୍ତ ମଦ ରନ୍ଧା ଯାଏ ଏବଂ ଉକ୍ତ ମଦକୁ ପିଇ କେତେକଙ୍କ ଜୀବନ ମଧ୍ୟ ଗଲାଣି । ମଦ ପିଇ ମତୁଆଲା ସାଜି ଅସାମାଜିକ କାର୍ଯ୍ୟକଳାପ ସୃଷ୍ଟି କରୁଛନ୍ତି । ଗାଁ ଗଣ୍ଡାରେ ପାଠ ପଢୁଆ ପିଲାମାନେ ଓ ମହିଳାମାନେ ଘରୁ ଗୋଡ କାଢିବକୁ ଡରିଲେଣି । ଏପରି ସ୍ଥଳରେ କାଁଭାଁ ଏହି ବିଭାଗ କେତେକଙ୍କୁ ଗିରଫ୍ କରି ନିଜର ପାରିଆପଣିଆର ପରିଚୟ ଦେଉଥିବା ବେଳେ ବିଭାଗ ଉପରେ ସାଧାରଣ ଜନତାଙ୍କ ଭରଷା ରହୁନଥିବା ଦାଣ୍ଡରେ ପଡି ହାଟରେ ଗଡୁଛି । ତେବେ ତାଳପଦା ପଞ୍ଚାୟତରେ ବିଷାକ୍ତ ମଦ ପ୍ରସ୍ତୁତ ହେଉଥିବା ଖବର ପାଇ ଗତକାଲି ତିହିଡି ପୋଲିସ ଅତର୍କିତ ଭାବେ ଚଢାଉ କରିଥିଲା । ଘର ପଛପଟ ଘଞ୍ଚ ବାଡିରେ ଅଭିଯୁକ୍ତମାନେ ବିଷାକ୍ତ ମଦ ରାନ୍ଧୁଥିବାର ଦେଖିବାକୁ ପାଇଥିଲେ । ଅତି କଦର୍ଯ୍ୟ ତଥା ଅସ୍ୱାସ୍ଥ୍ୟକର ପରିବେଶରେ ଦେଶୀ ମଦ ରନ୍ଧା ଚାଲିଥିଲା । ଚୂଲି ଚଳୁଥିଲା ଏହା ସହିତ ଖାଇବା ଗୁଡ ଓ ୟୁରିଆ ସହିତ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ୍ ମଧ୍ୟ ଥିଲା । ଏହି ଚଢାଉ ସମୟରେ ଅଭିଯୁକ୍ତମାନେ କୌଶଳକ୍ରମେ ଖସି ପଳେଇ ଯାଇଥିବା ବେଳେ ଗଛଲଟା ତଳେ ବିଭିନ୍ନ ସ୍ଥାନରେ ଲୁଚାଇ ରଖାଯାଇଥିବା ପୋଲିସ ପକ୍ଷରୁ ୪ ଶହ ଲିଟର ପୋଚ୍ ନଷ୍ଟ କରାଯାଇଛି । ଏଥିସହ ୪୦ ଲିଟର ବିଷାକ୍ତ ମଦ ଜବତ୍ ହୋଇଥିବା ବେଳେ ଯାବତୀୟ ସାମଗ୍ରୀ ନଷ୍ଟ କରାଯାଇଛି । ଏହି ପଞ୍ଚାୟତର କେତେକ ସଚେତନଶୀଳ ମହିଳା ଏହି ରେଡ୍ ସମୟରେ ସହଯୋଗ କରିଥିବା ଆଇଆଇସି ପ୍ରସନ୍ନ କୁମାର ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଏହି ଘଟଣାକୁ ନେଇ ଥାନାରେ ଦୁଇଟି ପୃଥକ୍ ପୃଥକ୍ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲୁରହିଛି ବୋଲି କହିଛନ୍ତି । ଆଇଆଇସିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ରେଡ୍‌ରେ ଏସଆଇ ପ୍ରବୀଣ ଗିରି, ପ୍ରକାଶ ନାୟକ ଓ ବିଶ୍ୱରଞ୍ଜନ ନାୟକ, ଅତିରିକ୍ତ ଏସଆଇ ପାର୍ଥ ବେହେରା ଓ ଲକ୍ଷ୍ମଣ ମାରାଣ୍ଡି, କନେଷ୍ଟବଳ ହରେକୃଷ୍ଣ ଓ ସରସ୍ୱତୀ ପ୍ରମୁଖ ସାମିଲ ହୋଇଥିଲେ । ଏଠାରେ ସୂଚନା ଥାଉକି, ଏହି ପଞ୍ଚାୟତର ଚୋରା ମଦ ବିକ୍ରୟ ଓ ବିଷାକ୍ତ ମଦ ରନ୍ଧା ଘଟଣାରେ ପୋଲିସ ବ୍ୟାପକ ସଚେତନତା ଅବଲମ୍ବନ କରିଆସୁଛି । ଗତ ନିର୍ବାଚନ ପୂର୍ବରୁ ମଧ୍ୟ ଏହି ପଞ୍ଚାୟତରୁ କେତେକଙ୍କୁ ଗିରଫ୍ କରିଥିବା ଏବଂ ରନ୍ଧା ମଦ ପ୍ରସ୍ତୁୁତିର ସାମଗ୍ରୀ ନଷ୍ଟ ମଧ୍ୟ କରିଥିଲା । ଏପରି ପ୍ରକ୍ରିୟା ଜାରି ରହିଲେ ତାଳପଦା ପଞ୍ଚାୟତବାସୀ ଅତ୍ୟନ୍ତ ଟିକିଏ ଶାନ୍ତିରେ ରହି ପାରିବେ ବୋଲି ଆଲୋଚନା ହେଉଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |