ତିହିଡିରେ ପ୍ରତିଷ୍ଠା ହେବ ସିଭିଲ ଜଜ୍ କୋର୍ଟ |

44

କଟକ (ଉତ୍କଳ ନ୍ୟୁଜ ) ୧୩--୮-୨୦୨୪ : ଭଦ୍ରକ ଜିଲ୍ଲା ତିହିଡିରେ ସିଭିଲ ଜଜ୍ କୋର୍ଟ (ଜୁନିୟର ଡିଭିଜନ)ପ୍ରତିଷ୍ଠା ନେଇ ଦୀର୍ଘ ଦିନ ଧରି ହୋଇ ଆସୁଥିବା ଦାବି ଏବେ କାର୍ଯ୍ୟକାରୀ ହେବାକୁ ଯାଉଛି । ଏଥିନେଇ ମାନ୍ୟବର ହାଇକୋର୍ଟଙ୍କ ଚିଠି ନଂ-୧୨୭୫୨/ତା ୦୯.୦୮.୨୪ ପରେ ଏହି ସମ୍ଭାବନା ସୃଷ୍ଟି ହୋଇଛି । କେବଳ ତିହିଡି ନୁହେଁ ବରଂ ରାଜ୍ୟର ବିଭିନ୍ନ ଜିଲ୍ଲାର ମୋଟ ୭୪ଟି ସ୍ଥାନରେ ନୂତନ ଭାବେ କୋର୍ଟ ପ୍ରତିଷ୍ଠା କରାଯିବାକୁ ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଥିବା ମାନ୍ୟବର ହାଇକୋର୍ଟଙ୍କ ଚିଠିରେ ଉଲ୍ଲେଖ କରାଯାଇଛି । ଏହି ମର୍ମରେ ତିହିଡିରେ ପ୍ରସ୍ତାବିତ ସ୍ଥାନର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲା ଏବଂ ସେସନ ଜଜ୍‌ଙ୍କୁୁ କୁହାଯାଇଛି । ତେବେ କୋର୍ଟ ପାଇଁ ସ୍ଥାୟୀ ଗୃହ ନିର୍ମାଣ ହେବା ଯାଏଁ ଏହା ଯେ କୌଣସି ସରକାରୀ କିମ୍ବା ବେସରକାରୀ ଗୃହରେ ଅସ୍ଥାୟୀ ଭାବେ ଆରମ୍ଭ କରାଯାଇ ପାରିବ ବୋଲି ମାନ୍ୟବର ହାଇକୋର୍ଟଙ୍କ ଚିଠିରେ ଉଲ୍ଲେଖ ଥିବା ଜଣାଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଭାଟପଡା ମୌଜାର ବଉଳପାଳ ଠାରେ ଖାତା ନଂ-୧୭୫୨ ଓ ପ୍ଲଟ ନଂ-୨୧୭୫ରେ ଥିବା ୨ଏକର ୯୬ ଡେସିମିଲ ସରକାରୀ ଜମି ମଧ୍ୟରୁ ୨ ଏକର ୩୦ ଡେସିମିଲ ଉପରେ କୋର୍ଟ ପ୍ରତିଷ୍ଠା କରାଯିବା ନେଇ ଜମି ଚିହ୍ନଟ କରାଯିବା ସହିତ ଏହାର ରିପୋର୍ଟ ତିହିଡି ତହସିଲଦାରଙ୍କ ପକ୍ଷରୁ ଗତ ତା ୧୦.୦୭.୨୪ରିଖରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ପ୍ରଦାନ କରାଯାଇଥିଲା । ତେବେ ଏହି ପ୍ରସ୍ତାବିତ ସ୍ଥାନରେ କୋର୍ଟର ସ୍ଥାୟୀ ଗୃହ ନିର୍ମାଣ କାର୍ଯ୍ୟ ଖୁବଶିଘ୍ର ଆରମ୍ଭ ହେବାର ଯୋଜନା ରହିଛି । ଏଠାରେ ସ୍ଥାୟୀ ଗୃହ ନିର୍ମାଣ ଶେଷ ହେବା ଯାଏଁ ତିହିଡି ତହସିଲ କାର୍ଯ୍ୟାଳୟ ଭିତରେ ଥିବା ପୁରୁଣା ଗୃହରେ କୋର୍ଟ କାର୍ଯ୍ୟ ଅସ୍ଥାୟୀ ଭାବେ ଆରମ୍ଭ କରାଗଲେ ଏଠାକାର ଲୋକେ ଉପକୃତ ହୋଇ ପାରନ୍ତେ ବୋଲି ତିହିଡି ଓକିଲ ସଂଘର ସମ୍ପାଦକ ବିଷ୍ଣୁ ଦାସ, ତପନ ମିଶ୍ର, ଗୌରହରି ମହାନ୍ତି, ସତ୍ୟସୁନ୍ଦର ପତି, ସୁବାସ ବେହେରା, ନଳିନୀକାନ୍ତ ନାୟକ, ରତିକାନ୍ତ ନାଥ, ମନୋଜ ଦାସ, ପିତାମ୍ବର ଦାସ, ହିମାଂଶୁ ଭଟ୍ଟାଚାର୍ଯ୍ୟ, ବସନ୍ତ ନାୟକ, ସୁଧାଂଶୁ ମାହୁନ୍ତ, ଓ ତୁଷାର ସ୍ୱାଇଁ ପ୍ରମୁଖ ଦାବି କରିଛନ୍ତି । ତିହିଡିରୁ ସଞ୍ଜୟ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |