କଟକ (ଉତ୍କଳ ନ୍ୟୁଜ ) ୯-୮-୨୦୨୪ : କଳାହାଣ୍ଡି ଜିଲା ଜୁନାଗଡ଼ ଏନଏସିରେ ଶୁକ୍ରବାର ପୁଣି ଅନାସ୍ଥା ଭୋଟ୍ ସ୍ଥଗିତ ରହିଛି। ଏନ୍ଏସି ଅଧ୍ୟକ୍ଷ ମୁକେଶ ଅଗ୍ରଓ୍ବାଲଙ୍କ ବିରୋଧରେ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଅନାସ୍ଥା ଭୋଟ୍ ଗ୍ରହଣ କରାଯିବାର ରହିଥିଲା। ମାତ୍ର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରଓ୍ବାନ ନ ଆସିବାରୁ ଏହା ସ୍ଥଗିତ ରହିଥିବା ଜଣାପଡ଼ିଛି। ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରଓ୍ବାନ ଏବେ କଳାହାଣ୍ଡି ଜିଲାପାଳ ଦାୟିତ୍ୱରେ ରହିଥିବାରୁ ସେ ଆସି ପାରି ନ ଥିବା ଜୁନାଗଡ ଏନ୍ ଏ ସି ଇଓ ପ୍ରମୋଦ କୁମାର ଖିଲୋ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ୧ ତାରିଖ ମଧ୍ୟ ଏଠାରେ ଅନାସ୍ଥା ଭୋଟ ହେବାର ଥିଲା। ହେଲେ ଉକ୍ତ ଦିନ ମଧ୍ୟ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଅତିରିକ୍ତ ଜିଲାପାଳ ତ୍ରିଲୋଚନ ପାତ୍ର ସ୍ବାସ୍ଥ୍ୟାବସ୍ଥା କାରଣରୁ ଆସି ନ ଥିଲେ। ଯାହାଫଳରେ ସେହି ଦିନ ମଧ୍ୟ ଅନାସ୍ଥା ଭୋଟ୍ ସ୍ଥଗିତ ରହିଥିଲା। ୨ ଥର ଏପରି ବ୍ୟତିକ୍ରମକୁ ନେଇ ସ୍ଥାନୀୟ ବିଜେଡି କାଉନସିଲରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏପରିକି ଗଣତାନ୍ତ୍ରିକ ପଦ୍ଧତିକୁ ଜିଲା ପ୍ରଶାସନ ଏପରି ଅବହେଳା କରି ହତ୍ୟା କରୁଛି ବୋଲି ଘଟଣାସ୍ଥଳରେ ଉପସ୍ଥିତ ଥିବା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ପ୍ରକାଶ କରିଛନ୍ତି। କଳାହାଣ୍ଡି ରୁ ରବି ଶଙ୍କର ସୁନାନୀ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |