ଥଇଥାନର ବ୍ୟବସ୍ଥା ନକରି ଉଛେଦ କୁ ସିପିଆଇ(ଏମ) ର ବିରୋଧ |

217

କଟକ (ଉତ୍କଳ ନ୍ୟୁଜ ) ୩-୦୮-୨୦୨୪ : ଗତ ଅଗଷ୍ଟ ୧ ତାରିଖ ଠାରୁ ଭଦ୍ରକ ସହରର କଚେରୀ ବଜାରରେ ସରକାରୀ ଯାଗା ଉପରୁ ଜବର ଦଖଲକାରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନ କ୍ଷୁଦ୍ର ବ୍ୟବସାୟୀ, ଉଠା ଦୋକାନୀ ଓ ଠେଲା ଦୋକାନୀଙ୍କୁ ଥଇଥାନର ବିକଳ୍ପ ବ୍ୟବସ୍ଥା ନକରି ଯେଭଳି ଉଛେଦ କରୁଛନ୍ତି ଫଳରେ ସେମାନେ ଜୀବିକା ହରାଇ ବହୁ ହଇରାଣ ହରକତ ହେଉଛନ୍ତି । ଏଭଳି କାର୍ଯ୍ୟକୁ ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ନାପସନ୍ଦ କରିବା ସହିତ ତୁରନ୍ତ ବିକଳ୍ପ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନ ପାଖରେ ଦାବି ଜଣାଇଛି । ସରକାରୀ ଯାଗାରେ ପିପିପି ମୋଡରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରିବା କିମ୍ବା ପ୍ଲଟ ଆବଣ୍ଟନ କରି ଭେଣ୍ଡିଂ ଜୋନ୍ ତିଆରି କରି କ୍ଷୁଦ୍ର ଦୋକାନୀ ମାନଙ୍କୁ ଥଇଥାନ କରିବା ଓ କ୍ଷତିଗ୍ରସ୍ତ କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରାଯାଇଛି । ଜିଲ୍ଲା ପ୍ରଶାସନ ଜବରଦଖଲ ଯାଗାକୁ ବେଦଖଲ କରିବା ଏବଂ ଡ୍ରେନ ଉପରେ ନିର୍ମାଣ ହୋଇଥିବା ସ୍ଥାୟୀ କୋଠାଘରକୁ ଭାଙ୍ଗି ସହରରେ ଜଳନିଷ୍କାସନକୁ ସୁଗମ କଲାଭଳି କାର୍ଯ୍ୟକୁ ସିପିଆଇ(ଏମ) ସମର୍ଥନ କରୁଛି। ଏହି ପରିପ୍ରେକ୍ଷୀରେ ଆଜି ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟରଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହି ପ୍ରତିନିଧି ଦଳରେ ସିପିଆଇ(ଏମ) ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ କମ୍ରେଡ ପ୍ରଫୁଲ୍ଲ ପାଢୀ, ଚନ୍ଦ୍ରଶେଖର ନାୟକ, ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ବିନୋଦ ସାହୁ, ଗିରିଧାରୀ ନାଥ, କାଳନ୍ଦୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଭଦ୍ରକରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |