କଟକ (ଉତ୍କଳ ନ୍ୟୁଜ ) ୦୧-୮-୨୦୨୪ : ଚୁକ୍ତିନାମାର ଖିଲାପ କରି ରାସ୍ତା ମରାମତି କରୁନଥିବାରୁ ଧାମରା ରେଳପଥ ନିର୍ମାଣକାରୀ କମ୍ପାନୀ କେଇସି ବିରୋଧରେ ବର୍ଷିଛନ୍ତି ଗ୍ରାମବାସୀ । ଆଜି ଅପରାହ୍ନରେ କମାରିଆ-ମଙ୍ଗଳପୁର ରାସ୍ତାରେ କମ୍ପାନୀର ଗାଡ଼ିଗୁଡ଼ିକ ଚଳାଚଳ ବନ୍ଦ କରି ଦେଇଥିଲେ ଉତ୍ୟ୍ୟକ୍ତ ଲୋକେ । ପ୍ରକାଶ ଯେ, ତିହିଡ଼ି ବ୍ଲକ ଅଧୀନ ମଙ୍ଗଳପୁର ଗ୍ରାମ ନିକଟରେ କମ୍ପାନୀର କାର୍ଯ୍ୟାଳୟ ତଥା ଗୋଦାମ ରହିଛି । ଏଠାରେ ନିର୍ମାଣ ସାମଗ୍ରୀ ରଖାଯାଉଛି । ବଡ଼ବଡ଼ ଟ୍ରକ ଗୁଡ଼ିକ ବହୁ ସଂଖ୍ୟାରେ ଯା’ଆସ କରିବା ଫଳରେ କମାରିଆ-ମଙ୍ଗଳପୁର ରାସ୍ତାର ଅବସ୍ଥା ଅତି ଖରାପ ହୋଇପଡ଼ିଛି । ଚୁକ୍ତିନାମା ଅନୁଯାୟୀ ଏହି ରାସ୍ତା ମରାମତି କରିବା ଦାୟିତ୍ୱ କମ୍ପାନୀର ହୋଇଥିବା ବେଳେ ବାରମ୍ବାର ଅଭିଯୋଗ କରିବା ପରେ ବି କେହି କର୍ଣ୍ଣପାତ କରୁନଥିଲେ । ଆଜି ସ୍ଥାନୀୟ ଅଞ୍ଚଳର ଦୁଇ ଶହରୁ ଉର୍ଦ୍ଧ୍ୱ ଲୋକେ ମଙ୍ଗଳପୁର ଗ୍ରାମ ରେଳପଥ ନିକଟରେ କମ୍ପାନୀ ଗାଡ଼ି ଗୁଡ଼ିକୁ ଅଟକ ରଖିଥିଲେ । ରାସ୍ତା ମରାମତି ନ କରିବା ପର୍ଯ୍ୟନ୍ତ କମ୍ପାନୀର କୌଣସି ଗାଡ଼ି ଏହି ରାସ୍ତାରେ ଗଡ଼ିବ ନାହିଁ ବୋଲି ରୋକଠୋକ ଶୁଣାଇ ଦେଇଥିଲେ । ଅପରାହ୍ନ ୩ ଟାରୁ ଗ୍ରାମବାସୀମାନେ ରାସ୍ତା ଉପରେ ବସି ରହିଥିଲେ । ସନ୍ଧ୍ୟାରେ କମ୍ପାନୀର ଆକାଉଣ୍ଟସ ଅଫିସର ପ୍ରଦୋଷ ଦାସ ଆନ୍ଦୋଳନକାରୀଙ୍କ ନିକଟରେ ପହଞ୍ôଚ ପୁଲିସ ଉପସ୍ଥିତିରେ ଆଲୋଚନା କରିଥିଲେ । ଶୁକ୍ରବାର ଠାରୁ ରାସ୍ତା ମରାମତି କରାଯାଇ ତିନି ଦିନ ମଧ୍ୟରେ ଶେଷ କରାଯିବ ବୋଲି ପ୍ରତିଶ୍ରତି ଦେବା ପରେ ଗାଡ଼ିଗୁଡ଼ିକୁ ଚଳାଚଳ କରିବା ପାଇଁ ଅନୁମତି ଦିଆଯାଇଥିଲା । ସେହିପରି ବର୍ଷାଋତୁରେ ରାସ୍ତାର ନିୟମିତ ମରାମତି କରାଯିବ ବୋଲି ମଧ୍ୟ ଅଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଦିଆ ଯାଇଥିଲା । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |