ଚୋରା କୋଇଲା ଚାଲାଣକୁ କେନ୍ଦ୍ରକରି ମଠସାହିରେ ପୋଲିସ ପବ୍ଲିକ୍ ମୁହାଁମୁହିଁ , ଦୁଇ ପୋଲିସ ଅଟକ ଓ ଜଣେ ସହଯୋଗି ବନ୍ଧା ହୋଇଥିବାର ଫଟୋ ଭାଇରାଲ |

289

କଟକ (ଉତ୍କଳ ନ୍ୟୁଜ ) ୩୧-୭-୨୦୨୪ : ଚୋରା କୋଇଲା ଚାଲାଣକୁ କେନ୍ଦ୍ରକରି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ତଥା ମତୋ ଫାଣ୍ଡି ଅଧିନ ମଠସାହି ଗାଁରେ ପୋଲିସ ପବ୍ଲିକ୍ ମୁହାଁମୁହିଁ । ଦୁଇ ପୋଲିସ ଅଟକ ଓ ଜଣେ ସହଯୋଗି ବନ୍ଧା ହୋଇଥିବାର ଫଟୋ ଭାଇରାଲ ହେଉଛି । ତେବେ ଖୋଦ୍ ପୋଲିସ ରକ୍ଷକ ହୋଇ ଭକ୍ଷକ ହେଲେ ସମାଧାନ ଅବସମ୍ଭାବୀ ବୋଲି ଗ୍ରାମବାସୀଙ୍କ ଠାରୁ ଶୁଣିବାକୁ ମିଳୁଛି । ଦିନ୍‌ଦହାଡେ ଚୋରା କୋଇଲା ଚାଲାଣ ହେଉଥିବା ଘଟଣାକୁ କେନ୍ଦ୍ରକରି ଦୁଇଦିନ ଧରି ମଠସାହି ଗାଁରେ ପୋଲିସ ପବ୍ଲିକ ବିବାଦ ଲାଗି ରହିଛି । ସମାଧାନ ହୋଇନଥିବାରୁ ପୋଲିସ ଦ୍ୱାରା ପ୍ରେରିତ ଜବତ୍ କୋଇଲାକୁ ଆଣିବାକୁ ଯାଇଥିବା ୨ଟି ପିକ୍‌ଅପ୍ ଭେନ୍‌କୁ ଗ୍ରାମବାସୀ ଅଟକ ରଖିଥିବା ସୂଚନା ମିଳିଛି । ତେବେ ଗତକାଲି ରାତି ୨ ଘଟିକା ପର୍ଯ୍ୟନ୍ତ ଏହାର ସମାଧାନ ହୋଇନଥିବା ବେଳେ ବୁଧବାର ମଧ୍ୟ ପୋଲିସ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଇନଥିବା ଜଣାଯାଇଛି । ଯାହାକୁ ନେଇ ଜିଲ୍ଲା ସମେତ ରାଜ୍ୟ ସ୍ତରରେ ଚାନ୍ଦବାଲି ପୋଲିସର ପାରିଆପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହିତ ସାମାଜିକ ଗଣମାଧ୍ୟମରେ ଏହା ବେଶ ଟ୍ରୋଲ ହେବାରେ ଲାଗିଛି । ସୂଚନା ମୁତାବକ, ମଙ୍ଗଳବାର ଦିବା ପ୍ରାୟ ୨ ଘଟିକା ସମୟରେ ୩ଟି ଚୋରା କୋଇଲା ବୋଝେଇ ଗାଡି ମଠସାହି ଦେଇ ଚାନ୍ଦବାଲି ଅଭିମୁଖେ ଯାଇଥିଲା । କିଛି ସମୟ ପରେ ଆଉ ଗୋଟିଏ ଚୋରା କୋଇଲା ବୋଝେଇ ଗାଡି ଆସିବା ପରେ ଗ୍ରାମବାସୀଙ୍କ ଦ୍ୱାରା ଅଟକ ରଖା ଯାଇଥିଲା । ଗାଁର ଅଣଚଉଡା ରାସ୍ତା ଏହିପରି ଗାଡି ଗଲେ ରାସ୍ତା ଖରାପ ହେବାର ସମ୍ଭାବନା ରହିଛି ଏବଂ ପୋଲିସ ଦ୍ୱାରା ଧରାଗଲେ ଆଉ କେବେ ଆସିବ ନାହିଁ ବୋଲି ମନସ୍ଥ କରି ଗ୍ରାମବାସୀ ମତୋ ଫାଣ୍ଡିକୁ ଖବର ଦେଇଥିଲେ । କିଛି ସମୟରେ ମଧ୍ୟରେ ସିଭିଲ ଡ୍ରେସରେ ଆସିଥିଲେ ୩ ଜଣ ତାହା ପୁଣି ଗୋଟିଏ ବାଇକ୍‌ରେ । ଜଣେ ଫାଣ୍ଡିର ଗାଡି ଚାଳକ(ଗ୍ରାମରକ୍ଷୀ) ଶିବା ଏବଂ କନେଷ୍ଟବଳ ଜ୍ୟୋତି ବୋଲି ଜଣାପଡିଥିବା ବେଳେ ଅନ୍ୟ ଜଣକ ଶିବାର ଜଣେ ବନ୍ଧୁ ଲିପୁ ବୋଲି ଗ୍ରାମବାସୀ ଜାଣିବାକୁ ପାଇଥିଲେ । ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା ବେଳେ ଶିବା ଓ ଲିପୁର ଇସାରାରେ ଚୋରା କୋଇଲା ବୋଝେଇ ଗାଡିଟି ଦୃତଗତିରେ ଖସି ପଳେଇ ଯାଇଥିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗାଡିଟି ଯିବାବେଳେ ରାସ୍ତା ପାଖରେ ଥିବା ଜଣେ ଗ୍ରାମବାସୀଙ୍କ ବାଇକ୍ ଓ ପୋଲିସର ବାଇକ୍‌କୁ ଧକ୍କା ଦେଇ ଭାଙ୍ଗିରୁଜି ଚୂରମାର କରି ଦେଇଥିଲା । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । କାଳବିଳମ୍ବ ନକରି ପୋଲିସ କର୍ମଚାରୀଙ୍କୁ ଗାଳିଗୁଲଜ କରିବା ସହିତ ଲିପୁକୁ ନିସ୍ତୁକ ମାଡମାରି ଦଉଡିରେ ତାଙ୍କ ଗୋଡକୁ ବାନ୍ଧି ଦେଇଥିଲେ । ଏବଂ ୨ ପୋଲିସ କର୍ମଚାରୀ ସମେତ ୩ ଜଣ ଅଟକ ରହିଥିବା ପୋଲିସ ଖବର ପାଇଥିଲା । ଏହି ସମୟରେ ଜଣେ ବିରୋଧି ଦଳ ସମର୍ôଥତ ସ୍ଥାନୀୟ ଅଞ୍ଚଳର ତଥାକଥିତ ରିପୋର୍ଟର ଘଟଣାକୁ ଆପୋଷ ବୁଝାବଣା କରିବା ଲାଗି ଉଦ୍ୟମ କରିଥିବା ନେଇ ଗ୍ରାମବାସୀଙ୍କ ଶରବ୍ୟର ଶିକାର ହେବାପରେ ମାଡ ଭୟରେ କୌଶଳକ୍ରମେ ସେଠାରୁ ଖସି ପଳେଇ ଯାଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ଏସଡିପିଓଙ୍କ ନିର୍ଦ୍ଦେଶକ୍ରମେ ଚାନ୍ଦବାଲି ଥାନା, ଧାମରା ମେରାଇନ୍‌, ବାଂଶଡା, ତିହିଡି ଓ ପୀରହାଟ ଥାନାର କର୍ମକର୍ତ୍ତାଙ୍କ ସମେତ ମତୋ ଫାଣ୍ଡିର ପୋଲିସ ପ୍ରମୁଖ ଘଟଣା ସ୍ଥଳକୁ ଯାଇଥିଲେ । ତେବେ ଗ୍ରାମବାସୀଙ୍କ ଭାଙ୍ଗିଥିବା ବାଇକ୍‌ର ମରାମତି ଖର୍ଚ୍ଚ ନମିଳିବା ପର୍ଯ୍ୟନ୍ତ ସେହି ୩ ଜଣଙ୍କୁ ଛଡା ଯିବନାହିଁ ବୋଲି ରୋକ୍‌ଠୋକ୍ ମନା କରି ଦେଇଥିଲେ ଗ୍ରାମବାସୀ । ପରେ ଲିପୁକୁ ମେଡିକାଲ ପଠାଯାଇଥିଲା ଏବଂ ଅନ୍ୟ ଦୁଇଜଣଙ୍କୁ ଛାଡି ଦେଇଥିଲେ । ପୂର୍ବରୁ ଜବତ୍ ହୋଇ ପଡିଥିବା ଚୋରା କୋଇଲା ୪ ଶହ ବସ୍ତାକୁ ସ୍ଥାନାନ୍ତର କରିବା ଲାଗି ପୋଲିସ ୪ଟି ଗାଡି ପଠେଇଥିଲେ । ଦୁଇଟି ଗାଡି କୋଇଲା ନେଇ ବାଂଶଡା ଥାନା ଯାଇଥିବା ବେଳେ ଆଉ ଦୁଇଟି ଗାଡିକୁ ଗ୍ରାମବାସୀ ଛାଡିନଥିଲେ । ବାଇକ୍ ମରାମତି ଖର୍ଚ୍ଚ ନମିଳିବା ପର୍ଯ୍ୟନ୍ତ ଏହା ଛଡା ଯିବନାହିଁ ବୋଲି ଚେତାବନି ଦେଇଥିଲେ । ଚାନ୍ଦବାଲି ଆଇଆଇସି ଅଥବା ଏସଡିପିଓ ନଆସିବା ପର୍ଯ୍ୟନ୍ତ ଏହାର ସମାଧାନ ହୋଇ ପାରିବ ନାହିଁ ବୋଲି କୁହା ଯାଇଥିଲା । ମାତ୍ର ରାତି ୨ ଘଟିକା ପର୍ଯ୍ୟନ୍ତ ସେମାନେ ନଆସିବାରୁ ଉପସ୍ଥିତ ପ୍ରାୟ ୬୫ ଜଣ ପୋଲିସ କର୍ମକର୍ତ୍ତା ଗାଁରୁ ଫେରି ଆସିଥିଲେ । ତେବେ ଚୋରା କୋଇଲା ଚାଲାଣରେ ପୋଲିସର ପ୍ରମୁଖ ସହଯୋଗ ରହୁଥିବା କୁହାଯାଉଛି । ଜୀବନକୁ ବାଜି ଲଗେଇ ଚଳନ୍ତା ରେଳରୁ କୋଇଲା କଢା ଯାଉଛି ଆଉ ଚଢା ଦରରେ ମାଫିଆମାନେ ବାହାରକୁ ଚାଲାଣ କରୁଛନ୍ତି । ଏବଂ ବିନା ପରିଶ୍ରମରେ ଗାଡି ପାର୍ କରିବା ପାଇଁ ପୋଲିସ ମଧ୍ୟ ମାଲେମାଲ ହେଉଛି । ବିବାଦ ହେଲେ ଧରୁଛି ନଚେତ୍ ଚିରାଚରିତ ଢାଞ୍ଚାରେ ନିୟମିତ ଏହି ଚୋରା କାରବାର ଚାଲୁଛି । ଘଟଣା ସମ୍ପର୍କରେ ଚାନ୍ଦବାଲି ଆଇଆଇସି ପଞ୍ଚାନନ ମହାନ୍ତି କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିବା ବେଳେ ସମାଧାନ ପାଇଁ ଯେକୌଣସି ନିଷ୍କର୍ସ ବାହାର କରାଯାଉଛି ବୋଲି କହିଛନ୍ତି କାର୍ତ୍ତିକ ଚନ୍ଦ୍ର ମଲ୍ଲିକ । ତେବେ ବିବାଦର ସମାଧାନ କିପରି ହେଉଛି ଏବଂ କିଏ ତଣ୍ଡ ଦେଉଛି ତାହାକୁ ଜାଣିବା ଲାଗି ଅପେକ୍ଷା କରିଛନ୍ତି ଅଞ୍ଚଳବାସୀ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |