କଟକ (ଉତ୍କଳ ନ୍ୟୁଜ ) ୨୨-୦୭-୨୦୨୪ : ଭଦ୍ରକ ଜିଲ୍ଲା ତିହିଡି ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ଅବରୋଧ ହଟାଇବାକୁ ମାପଚୁପ କରାଗଲା । ସରକାରୀ ଜାଗା ଚିହ୍ନଟ କରାଯାଇ ଖୁଣ୍ଟବି ପୋତାଗଲା । ହେଲେ ପରଦିନ ଅବରୋଧକାରୀ ମାନେ ଉକ୍ତ ଖୁଣ୍ଟ ଗୁଡିକୁ ଓପାଡି ଫଙ୍ଗି ଦେବା ଭଳି ଘଟଣା ସଂପ୍ରତି ଚର୍ଚ୍ଚାର ବିଷୟ ହୋଇଛି । ପ୍ରକାଶ ଯେ, ତିହିଡି ତହସିଲ ଅନ୍ତର୍ଗତ ଉପରଦୁମୁକା ମୌଜାର ଖାତା ନଂ-୪୭୦ ଓ ଖସଡା ନଂ-୧୦୬୬/୨୫୮୦ରେ ଥିବା ଏ୦.୩୮ଡେସିମିଲ ସରକାରୀ ରାସ୍ତା(କେନାଲ ଆଡି)କୁ ଉପରଦୁମୁକା ଗାଁର ଦୁଇଜଣ ବ୍ୟକ୍ତି ବଳପୂର୍ବକ ଅବରୋଧ କରି ବାଉଁଶ ବାଡ ବାନ୍ଧି ଦେଇଥିଲେ । ଫଳରେ ଗାଁର ବହୁ ଲୋକ ଯିବାଆସିବା କରିବା ତ ଦୂରର କଥା ଘରୁ ବାହାରି ପାରୁ ନଥିଲେ । ଏଥିନେଇ ଗାଁର ଚକ୍ରଧର ସାହୁଙ୍କ ସମେତ ଗ୍ରାମବାସୀ ମାନେ ତିହିଡି ତହସିଲଦାରଙ୍କ ଠାରେ ଅଭିଯୋଗ କରିଥିଲେ । ଏହି ଆଧାରରେ ତହସିଲ ପକ୍ଷରୁ ଏକ ଡିମାରକେଶନ ମାମଲା ନଂ-୭୩/୨୪ ରୁଜୁ କରାଯିବା ପରେ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ଗତ ୨୦ ତାରିଖରେ ଆରଆଇ, ଅମିନ ଓ ପୋଲିସଙ୍କ ଉପସ୍ଥିତିରେ ଉକ୍ତ ସରକାରୀ ଜାଗାକୁ ମାପଚୁପ କରାଯିବା ସହ ଜାଗା ଚିହ୍ନଟ କରାଯାଇ ଖୁଣ୍ଟ ପୋତା ଯାଇଥିଲା । ତେବେ ଅବରୋଧକାରୀ ମାନେ ଠିକ୍ ତା’ ପରଦିନ ନାନାଦି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଆମେ ସରକାରୀ ଆଇନ୍ କାନୁନ୍କୁ ମାନିବୁ ନାହିଁ, ଆମର କିଏ କ’ଣ କରିବ ଦେଖିବୁ ଆଦି କହି ଉକ୍ତ ଖୁଣ୍ଟଗୁଡିକୁ ଓପାଡି ଫିଙ୍ଗି ଦେଇଥିଲେ । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ତହସିଲଦାର ତୁରନ୍ତ ଉକ୍ତ ସରକାରୀ ରାସ୍ତାକୁ ଅବରୋଧ ମୁକ୍ତ କରିବା ସହ ଆଇନକୁ ଅବମାନନା କରିଥିବା ଅବରୋଧକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହୃଷିକେଶ ସାହୁ, ପ୍ରାଣବନ୍ଧୁ ନାୟକ, ପ୍ରଦୀପ ପରିଡା, ପ୍ରମୋଦ ପରିଡା, ଶ୍ରୀଧର ନାୟକ, ସୁରେନ୍ଦ୍ର ନାୟକ, ଅଣାକାର ନାୟକ, ନିରାକାର ନାୟକ, ହରିହର ନାୟକ ଓ ରବିନ୍ଦ୍ର ନାୟକ ପ୍ରମୁଖ ସୋମବାର ତହସିଲଦାରଙ୍କୁ ଭେଟି ଦୃଢ ଦାବି କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |