ଘରୋଇ କମ୍ପାନୀର ଋଣ ବୋଝ ଭଗବାନର ଆତ୍ମହତ୍ୟା କାରଣ ସାଜିଲା, ପ୍ରଲୋଭିତ କରି ଋଣ ଟଙ୍କା ନେଇଥିବା ଗ୍ରାମବାସୀଙ୍କ ବିରୋଧରେ ଏତଲା ଦିଆଯିବ |

559

କଟକ (ଉତ୍କଳ ନ୍ୟୁଜ ) ୧୮-୦୭-୨୦୨୪ : ଘରୋଇ କମ୍ପାନୀର ଋଣ ବୋଝ ଜନୈକ ଯୁବକଙ୍କର ଆତ୍ମହତ୍ୟା କାରଣ ସାଜିଥିବା ସଂପ୍ରତି ସାମନା ଆସୁଛି । ପ୍ରଲୋଭନର ଶିକାର ହୋଇ କମ୍ପାନୀରୁ ଋଣ କରି ଗାଁର ୪ ଜଣଙ୍କ ଅଭାବ ପୂରଣ କରିଥିଲା । ପରିଶୋଧ କରିବାରେ ଅସମର୍ଥ ହେବାରୁ ଶେଷରେ ବିଷପାନ କରି କଟକରେ ଚିକିତ୍ସାଧିନ ଅବସ୍ଥାରେ ୨ ଦିନ ପରେ ମୃତ୍ୟୁ ହୋଇଛି । ମୃତକ ଭଦ୍ରକ ଜିଲ୍ଲା ପୀରହାଟ ଥାନା ସିନ୍ଦୋଳ ପଞ୍ଚାୟତ ଅଧିନ ଆରୁହା ଗାଁର ଦୁଃଖିରାମ ସାହୁଙ୍କ ପୁଅ ଭଗବାନ ସାହୁ(୪୩) ବୋଲି ଜଣାଯାଇଛି । ଯାହାକୁ ନେଇ ଗାଁର ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଇଛି । ଭଗବାନଙ୍କ ମୃୃତ୍ୟୁ ପାଇଁ ସେହି ଗାଁର ୪ ଜଣଙ୍କୁ ଦାୟୀ କରିଛନ୍ତି ତାଙ୍କ ସ୍ତ୍ରୀ ଜୟନ୍ତୀ ସାହୁ । ସେମାନେ ତାଙ୍କ ସ୍ୱାମୀଙ୍କୁ ପ୍ରଲୋଭିତ କରି କେବଳ ଆଧାର କାର୍ଡ ନେଇ ଫାଇନାନ୍ସ କମ୍ପାନୀରୁ ଋଣ କରାଇ ଦେଇ ସବୁତକ ଟଙ୍କାକୁ ନେଇ ଯାଇଥିଲେ । ସେମାନଙ୍କର ଅଭାବ ରହିଛି, ଏହି ଋଣ ବଳରେ ସକ୍ଷମ ହୋଇଯିବେ ଏବଂ ନିୟମିତ କିସ୍ତି ସୁଝିବେ ବୋଲି ପ୍ରତିଶୃତି ମଧ୍ୟ ଦେଇଥିଲେ । କିଛି ମାସ ସେମାନେ କିସ୍ତି ମଧ୍ୟ ଦେଲେ ଆଉ କିଛିମାସ ତଳେ ଗାଁ ଛାଡି ବାହାରକୁ ଚାଲିଯିବା ପରେ ଭଗବାନକୁ ପରିଶୋଧ କରିବାକୁ ପଡିଲା । ହଜାରେ ନୁହେଁ କି ଦୁଇ ହଜାର ନୁହେଁ ମାସିକ ୧୩ ହଜାର ୬୫୫ ଟଙ୍କାର ବୋଝ । ସ୍ୱାମୀ ସ୍ତ୍ରୀଙ୍କ ଜାଣତରେ ୪ଟି କମ୍ପାନୀରୁ ଋଣ ଉଠା ଯାଇଥିଲା ମାତ୍ର କିଛି ମାସ ତଳେ ଆଉ ଗୋଟିଏ କମ୍ପାନୀର ଋଣ କଥା ସେମାନେ ପରେ ଜାଣିବାକୁ ପାଇଥିଲେ । ଋଣ କରାଇ ଦେଇଥିବା ଲୋକେ ଫେରାର ହୋଇଯାଇ ଥିବାରୁ ଭଗବାନଙ୍କୁ ସବୁତକ ସୁଝିବାକୁ ପଡୁଥିଲା । ୪ଟି ମାସିକ କିସ୍ତି ଯଥାକ୍ରମେ ୨, ୧୩୫ ଟଙ୍କା, ୧,୯୦୦ ଟଙ୍କା, ୧,୮୬୦ ଟଙ୍କା ଓ ୧, ୭୬୦ ଟଙ୍କା ଏବଂ ୧, ୫୦୦ ଟଙ୍କା ଲେଖାଏଁ ସାପ୍ତାହିକ କିସ୍ତି ଅର୍ନ୍ତଭୁକ୍ତ । ଭଗବାନ ପେଷାରେ ଦୀନମଜୁରୀଆ । କିସ୍ତି ପରିଶୋଧ କରିବାକୁ ସାମର୍ଥ୍ୟ ନାହିଁ । ନିଜ ଝାଳବୁହା ରୋଜଗାର ସହ ବନ୍ଧୁବାନ୍ଧବଙ୍କ ଠାରୁ ଧାର କରଜ କରି ପରିଶୋଧ କରିଆସୁଥିଲା । ଏହାକୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିଭିନ୍ନ ସମୟରେ ଝଗଡା ମଧ୍ୟ ହୁଏ । ଶେଷରେ ସମସ୍ତଙ୍କୁ ପରିକରି ଭଗବାନ ଗତ ସୋମବାର ଦିବା ପ୍ରାୟ ୧୦.୩୦ ଘଟିକାରେ ବିଷପାନ କରିଥିଲା । ପ୍ରଥମେ ତିହିଡି ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ବୁଧବାର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲା ଏବଂ ସେ ଋଣ ପାଇଁ ଗାଁର ସେହି ୪ ଜଣଙ୍କ ଦାୟୀ କରିଥିଲା । ସେମାନେ ଋଣ ଟଙ୍କା ସୁଝିଲେ ନାହିଁ ଏବଂ ଗାଁ ଛାଡି ଦେଲେ ଏବେ ମୁଁ କଣ କରିବି ବୋଲି ଗଭୀର ମ୍ରିଣମାଣ ହୋଇ ଯାଇଥିଲା । ଶେଷରେ ଚିକିତ୍ସାଧିନ ଅବସ୍ଥାରେ ବୁଧବାର ରାତି ପ୍ରାୟ ୯.୧୫ ଘଟିକାରେ ମୃତ୍ୟୁ ହୋଇଛି । ତାଙ୍କର ସ୍ତ୍ରୀ ସମେତ ୨ଟି ଝିଅ ଅଛନ୍ତି । ତାଙ୍କ ମୃତ୍ୟୁରେ ପରିବାର ଆଜି ବେସାହାରା ହୋଇଯାଇଛି । ଗୁରବାର ଅପରାହ୍ନରେ କଟକରୁ ଶବ ଆସି ଗାଁରେ ପହଁଞ୍ôଚଥିଲା । ଋଣ ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଏକ ବୈଠକ ହୋଇଥିଲା । ଯେଉଁ ୪ ଜଣଙ୍କ ପାଇଁ ଭଗବାନ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲା ସେମାନଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ଥାନାରେ ଏତଲା ଦେବାକୁ ନିଷ୍ପତି ନିଆଯାଇଛି । ସରପଞ୍ଚ ସୁପ୍ରଭା ପାଣି ମୃତକ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିବା ସହିତ ସରକାରୀ ନିୟମ ମୁତାବକ ସମସ୍ତ ସହଯୋଗ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିବା ଜଣାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |