କଟକ (ଉତ୍କଳ ନ୍ୟୁଜ ) ୧୩-୦୭-୨୦୨୪ : ବିବାହ ବନ୍ଧନରେ ବାନ୍ଧିହେଲେ ମୁକ ବଧିର ଯୁବକ ଓ ଦୃଷ୍ଟିବାଧିତ ଯୁବତୀ ଯାହା ସାଂପ୍ରତିକ ସମାଜ ପାଇଁ ଏକ ଉଦାହରଣ ସାଜିଛି । ଦୁଇ ପରିବାର ସେମାନଙ୍କ ବିବାହ ସମ୍ପନ୍ନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଗୋପିନାଥପୁର ପଞ୍ଚାୟତ ଅଧିନ ବାଲିପଦା ଗାଁର ଯଦୁମଣି ସେନାପତିଙ୍କ ପୁଅ ବାବୁଲା ସେନାପତି(୩୨) ଜଣେ ମୁକ ବଧିର । ହେଲେ ସେ ନିଜ କାମ ନିଜେ କରି ପାରନ୍ତି ଏବଂ ସ୍ୱାବଲମ୍ବୀ ମଧ୍ୟ । ତିହିଡ଼ି ବ୍ଲକ ଅନ୍ତର୍ଗତ ରାଜନଗର ପଞ୍ଚାୟତ ଅଧିନ ଚାରିତରଫପୁର ଗ୍ରାମର ସୁବାସ ଦାସଙ୍କ ଝିଅ ଶକୁନ୍ତଳାଙ୍କୁ(୨୬) ବୈଦ୍ଦିକ ଋତିନୀତିରେ ବିବାହ ସମ୍ପନ୍ନ ହୋଇଛି । ଦିବ୍ୟାଙ୍ଗ ହୋଇଥିବାରୁ ପୂର୍ବରୁ ସେମାନଙ୍କ ବିଭିନ୍ନ ପ୍ରସ୍ତାବ ଫେରି ଯାଉଥିଲା । ମାତ୍ର ଏହି ପ୍ରସ୍ତାବରେ ଉଭୟ ପରିବାର ସମେତ ଯୁବକ ଓ ଯୁବତୀ ରାଜି ହୋଇଥିଲେ । ବାବୁଲା ମୁକବଧିର ହୋଇଥିଲେହେଁ ନିଜର ଦୃଷ୍ଟି ଶକ୍ତିରେ ଶକୁନ୍ତଳାଙ୍କୁ ଚଳେଇ ପାରିବେ ବୋଲି ରାଜି ହୋଇଥିଲେ । ସେହିପରି ଶକୁନ୍ତଳା ଦୃଷ୍ଟିବାଧିତ ହୋଇଥିଲେ ମଧ୍ୟ ସ୍ୱାମୀର ହାତଧରି ଜୀବନ କଟାଇ ପାରିବ ବୋଲି ବେଶ ଆଶାବାଦୀ ହୋଇଛନ୍ତି । ଉଭୟଙ୍କ ଚଲାପଥରେ ପରସ୍ପର ସାହା ହେବେ ବୋଲି ବିଶ୍ୱାସ କରି ବିବାହ ପାଇଁ ରାଜି ହୋଇଥିଲେ । ଏହା ସାଧାରଣ ବିବାହ ପରି ମନେ ହେଉଥିଲେ ହେଁ ଉଭୟ ଦିବ୍ୟାଙ୍ଗ ହୋଇଥିବା ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ସାହିଭାଇଙ୍କ ଠାରୁ ଆରମ୍ଭ କରି ବନ୍ଧୁବାନ୍ଧବ ବିବାହ ଭୋଜିରେ ଯୋଗଦେଇ ଉଭୟଙ୍କୁ ଆଶୀର୍ବାଦ କରିଥିଲେ । ସବୁଠୁ ବଡ କଥା ହେଉଛି ଏହି ବିବାହ ଉତ୍ସବରେ ୨୦ରୁ ଉର୍ଦ୍ଧ ଅନ୍ୟ ଅଞ୍ଚଳର ଦିବ୍ୟାଙ୍ଗ ଯୋଗଦେଇ ସେମାନଙ୍କୁ ଆଶୀର୍ବାଦ କରିଥିଲେ । ପରସ୍ପର ବରଣମାଳା ଦେଇ ସାତଜନମ ପାଇଁ ସାଥି ହୋଇଛନ୍ତି । ଶତାଧିକ ଅତିଥିଙ୍କ ଗହଣରେ ନବଦମ୍ପତିଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ମୁକ ବଧିର ଯୁବକଙ୍କ ଦୃଷ୍ଟିଶକ୍ତି ଥିବାବେଳେ ଦୃଷ୍ଟିବାଧିକ ଯୁବତୀ ଶୁଣିବା ଓ କଥା କହିବା ପରସ୍ପରର ସାହା ହୋଇ ପାରିବେ ବୋଲି ଗ୍ରାମବାସୀ ମଧ୍ୟ ବେଶ ଖୁସିବ୍ୟକ୍ତ କରିଛନ୍ତି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |