ଲୋକସଭାରେ ବାଚସ୍ପତି ନିର୍ବାଚନ ଜିତିଲେ ଓମ୍‌ ବିର୍ଲା |

45

କଟକ (ଉତ୍କଳ ନ୍ୟୁଜ ) ୨୬-୦୬-୨୦୨୪ : ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍ ବିର୍ଲା। ବାଚନିକ ଭୋଟରେ ବିରୋଧୀ ମେଣ୍ଟ ପ୍ରାର୍ଥୀ କେ. ସୁରେଶଙ୍କୁ ହରାଇ ନିର୍ବାଚିତ ହୋଇଛନ୍ତି। ଏଥିସହ ଦ୍ୱିତୀୟ ଥର ପାଇଁ ସେ ବାଚସ୍ପତି ପଦ ସମ୍ଭାଳିବେ। ତାଙ୍କ ନାଁ ପ୍ରସ୍ତାବ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତାଙ୍କ ପ୍ରସ୍ତାବକୁ ଏନଡିଏ ସହଯୋଗୀ ଦଳ ସମର୍ଥନ କରିଥିଲେ। ଏହାପରେ ବାଚନିକ ଭୋଟ ରେ ଓମ୍ ବିର୍ଲା ବିଜୟୀ ହୋଇଥିବା ଘୋଷଣା କରିଥିଲେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ। ଏହାପରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ବାଚସ୍ପତି ପୋଡିୟମକୁ ପାଛୋଟି ନେଇଥିଲେ। ଓମ୍ ବିର୍ଲାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ। ଦେଶ ଇତିହାସରେ ଚତୁର୍ଥ ଥର ପାଇଁ ବାଚସ୍ପତି ନିର୍ବାଚନ ହୋଇଥିଲା। ପୂର୍ବରୁ ୧୯୫୨, ୧୯୬୭ ଓ ୧୯୭୬ରେ ନିର୍ବାଚନ ହୋଇଥିଲା। ଦୀର୍ଘ ଦଶନ୍ଧି ପରେ ପୁଣି ଥରେ ବାଚସ୍ପତି ନିର୍ବାଚନ ହୋଇଥିଲା। ଏଥର ଓମ୍‌ ବିର୍ଲା- କେ. ସୁରେଶଙ୍କ ମଧ୍ୟରେ ମୁକାବିଲା ହୋଇଥିଲା । ଏନ୍‌ଡିଏ ପକ୍ଷରୁ ପ୍ରାର୍ଥୀ ଥିଲେ ଓମ୍‌ ବିର୍ଲା ଓ ଇଣ୍ଡି ମେଣ୍ଟ ପ୍ରାର୍ଥୀ ଥିଲେ କେ. ସୁରେଶ । ଆସନ୍ତାକାଲି ସଂସଦର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ |