କଟକ ଜିଲ୍ଲାରେ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନନିଧି ଉତ୍ସବ ପାଳନ |

71

କଟକ (ଉତ୍କଳ ନ୍ୟୁଜ ) ୧୮-୦୬-୨୦୨୪ : ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନନିଧି ଉତ୍ସବ ଦିବସରେ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନନିଧିର ୧୭ ତମ କିସ୍ତି ପ୍ରଦାନ କରି ଦେଶର ଚାଷୀଙ୍କୁ ସମ୍ମାନ ଦେଲେ ହିଁ ଆମର ଜୀବନ ଧାରଣର ମାନ ଉନ୍ନତ ହୋଇପାରିବ ବୋଲି କହିଛନ୍ତି । ଉତ୍ତର ପ୍ରଦେଶର ବାରାଣାସୀ ଠାରେ ଦେଶର ଚାଷୀଙ୍କୁ ସମ୍ମାନ ଦେଇ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ କଟକ ଜିଲ୍ଲାର ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ରଠାରେ ଏହାର ସିଧାସଳଖ ପ୍ରସାରଣ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାସ୍ତରିୟ ଏହି କାର୍ଯ୍ୟକ୍ରମରେ ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସରକାରଙ୍କ ଏହି ସୁଦୂର ପ୍ରସାରି କାର୍ଯ୍ୟକ୍ରମ ଚାଷୀ ମାନଙ୍କ ପାଇଁ ବେଶ ସହାୟକ ହେବା ସହ ଦେଶକୁ ତୃତୀୟ ସର୍ବବୃହତ ଅର୍ଥନୀତିରେ ପରିଣତ କରିବାରେ ସହାୟକ ହୋଇ ପାରିବ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଧାୟକ କଟକ ସଦର ଶ୍ରୀ ପ୍ରକାଶ ଚନ୍ଦ୍ର ସେଠି, ବିଧାୟକ ବଡମ୍ବା ଶ୍ରୀ ବିଜୟ କୁମାର ଦଳବେହେରା, ବିଧାୟକ ନିଆଳି ଶ୍ରୀ ଛବି ମଲିକ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅରିନ୍ଦମ ଡାକୁଆ ଅତିଥିମାନଙ୍କୁ ସ୍ୱାଗତ ଜଣାଇଥିଲେ। ଏନ ଆର ଆର ଆଇ ନିର୍ଦେଶକ ଡକ୍ଟର ଅମରେଶ ନାୟକ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଅଶୋକ କୁମାର କରଙ୍କ ସମେତ ବହୁ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ। କଟକ ଜିଲ୍ଲାର ୧୪ ଟି ଯାକ ବ୍ଲକର ଶତାଧିକ ଚାଷୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏଠାରେ ସୂଚନାଯୋଗ୍ୟ ୨ ହେକଟର ପର୍ଯ୍ୟନ୍ତ ଚାଷଜମି ଥିବା କୃଷକମାନଙ୍କୁ ବାର୍ଷିକ ତିନିଟି କିସ୍ତିରେ ୬୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥାଏ।