ଓଡିଆ ସଂସ୍କୃତିର ନିଆରା ପରମ୍ପରା ସପ୍ତାପୂଜା |

31

କଟକ (ଉତ୍କଳ ନ୍ୟୁଜ ) ୧୫-୦୬-୨୦୨୪ : ଓଡିଆ ସଂସ୍କୃତିରେ ବାର ମାସର ତେର ପର୍ବ । ତନ୍ମଧ୍ୟରୁ ୩ ଦିନ ବ୍ୟାପୀ ରଜ ଉତ୍ସବ । ଏହି ରଜ ଉତ୍ସବ ମଧ୍ୟରେ ପୂରପଲ୍ଲୀରେ ନିଆରା ପରମ୍ପରା ସପ୍ତାପୂଜା । କଳିଯୁଗର ସାକ୍ଷାତ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୃଣ୍ମୟୀ ବା ଦାରୁ ମୂର୍ତ୍ତୀ ଗଢାଯାଇ ଗାଁ ଗଣ୍ଡାରେ ପୂଜାର୍ଚ୍ଚନା କରାଯାଇଥାଏ । କେତେକ ସ୍ଥଳରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସହ ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ମଧ୍ୟ ପୂଜାର୍ଚ୍ଚନା ମଧ୍ୟ ଚାଲିଛି । ଚାଷ କାମ ଆରମ୍ଭ ପୂର୍ବରୁ ଚାଷୀ ଭଗବାନଙ୍କ ଶରଣାପନ୍ନ ହେବା ନେଇ ଏକମାତ୍ର ମାଧ୍ୟମ ଗାଁ ଗଣ୍ଡାରେ ଏହି ସପ୍ତାପୂଜା । ଯାହା ଭକ୍ତଙ୍କ ମାନସିକ ପୂରଣ କରିବାରେ ସହାୟକ ହୋଇଥାଏ ବୋଲି ଶାସ୍ତ୍ର ମତ ରହିଥିବା ବେଳେ ଏହା ମଧ୍ୟ ପୂର୍ବ ପୁରୁଷରୁ ପ୍ରଚଳିତ ହୋଇ ଆସୁଥିବା ବିଶ୍ୱାସ ରହି ଆସୁଅଛି । ସପ୍ତାହଯାକ ପ୍ରଭୁ ଜଗନ୍ନାଥଙ୍କ ଭାଗବତ ପାରାୟଣ ଶ୍ରବଣ କରି ରଥକୁ ବିଜେ କରନ୍ତି ବୋଲି ମଧ୍ୟ ଶାସ୍ତ୍ର ମତ ରହିଛି । ଏହି ପରମ୍ପରା କେଉଁ ଆବାହମାନ କାଳରୁ ପ୍ରଚଳିତ ହୋଇ ଆସୁଅଛି । ହାଣ୍ଡଧୂଆ ଦିନ କଳସ ଅଭିଷେକ କରାଯିବା ସହ ବିଗ୍ରହ ପୂଜା ଆରମ୍ଭ ହୋଇଥାଏ । ପ୍ରତ୍ୟେହ ଭାଗବତ ପାରାୟଣ ସହ ଭଜନ ସଂଧ୍ୟା ଅନୁଷ୍ଠିତ ହେଉଅଛି ଏବଂ ସବୁଠି ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ରହିଛି । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିନ୍ଦୋଳ ପଞ୍ଚାୟତ ଅଧିନ ଇନ୍ଦିରା ନାୟକସାହିରେ ୧୯୭୫ ମସିହାରୁ ଏହି ପରମ୍ପରା ପ୍ରଚଳିତ ହୋଇ ଆସୁଅଛି । ଜଗନ୍ନାଥ ମନ୍ଦିର କମିଟିର ସଭାପତି ଜଗଦିଶ ପଣ୍ଡା, ସମ୍ପାଦକ ଗୋପବନ୍ଧୁ ସ୍ୱାଇଁଙ୍କ ସମେତ ଉମେଶ ଚନ୍ଦ୍ର ସ୍ୱାଇଁ, ଚକ୍ରଧର ବଳ, ପ୍ରାଣକୃଷ୍ଣ ରାଉଳ, ଅକ୍ଷୟ ନାୟକ, ନିରଞ୍ଜନ ନାୟକ, ପ୍ରଶାନ୍ତ ନାୟକ, ରବିନ୍ଦ୍ର ନାୟକ ଓ ବୁଦ୍ଧଦେବ ରାଉଳ ପ୍ରମୁଖ ଗ୍ରାମବାସୀ ପରିଚାଳନା କରୁଛନ୍ତି । ମଙ୍ଗଳପୁର ପଞ୍ଚାୟତ ଅଧିନ ସନ୍ଥପୁରା କାଚରାସାହିରେ ଏହି ପୂଜା ପରମ୍ପରା ପ୍ରାୟ ୧୦୨ ବର୍ଷର ପଦାର୍ପଣ କରିଛି । ପ୍ରଥମେ ଧୂଳିଆ ଘରେ ପୂଜା ପାଉଥିବା ପ୍ରଭୁଙ୍କର ଗତବର୍ଷ ଏକ ଭବ୍ୟ ମନ୍ଦିର ସ୍ଥାପିତ ହୋଇଛି । ମୁକୁନ୍ଦପୁର ପଞ୍ଚାୟତ କଞ୍ଚନପୁରରେ ୬୦ରୁ ଉର୍ଦ୍ଧ ବର୍ଷ ଧରି ଏହି ପରମ୍ପରା ଚାଲୁରହିଛି । କର୍ତ୍ତାଭାବେ ମଦନମୋହନ ବେହେରା, ପ୍ରଫୁଲ ପଣ୍ଡା, ହୃଷିକେଶ ପାଢୀ, ସହଦେବ ଦଳେଇ, ନିରଞ୍ଜନ ରାଉତ, ନିରଞ୍ଜନ ଦାସ, ବିଶ୍ୱନାଥ ସେନାପତି, ଶଶିକାନ୍ତ ପାଢୀ ପ୍ରମୁଖ ପରିଚାଳନା କରୁଛନ୍ତି । ବିଦ୍ୟାଧରପୁର କଣ୍ଟାବଣିଆରେ ବିଗତ ୩ ପୁରୁଷ ଧରି ସପ୍ତାପୂଜା ଚାଲୁଥିବା ବେଳେ କୁଣ୍ଡସାହିରେ ମଧ୍ୟ ଏହି ପୂଜା ପାଳିତ ହେଉଅଛି । ଏଠାରେ କେବଳ ଜଗନ୍ନାଥଙ୍କ ବିଗ୍ରହ ପୂଜା କରାଯାଇଥାଏ । ଦୈନିକ ଭାଗବତ ପାଠ, ବୈଠକ ଓ ପ୍ରଭୁଙ୍କ ଋତିନିତି ସହିତ ଭୋଗ ଲାଗିଥାଏ ଏବଂ ଦୈନିକ ପ୍ରସାଦ ସେବନ କରିଥାନ୍ତି ଶ୍ରଦ୍ଧାଳୁ ଭକ୍ତମାନେ । ୧୮୬୭ ମସିହାରୁ କୁବେରା ପଞ୍ଚାୟତ ଅଧିନ କୁବେରା ଗ୍ରାମର ଜଗନ୍ନାଥ ମନ୍ଦିରରେ ଏହି ପୂଜା ଯଥାବିଧିରେ ପାଳିତ ହୋଇ ଆସୁଅଛି । ଏଠାରେ ପୂଜା ୧୧ ଦିନ ଧରି ଚାଲିଥାଏ । ଏହି ପୀଠର ବହୁ ମାହାତ୍ମ ରହିଛି । କର୍ତ୍ତାଭାବେ କୃଷ୍ଣଚନ୍ଦ୍ର କର, ପୂଜକ ମଦନ ବହଳୀ ସାହୁ, ଶତୃଘ୍ନ ସାହୁ, ରମେଶ ବାରିକ, କମଳାକାନ୍ତ ବାରିକ, ବାଇଧର ନାଥ, ଯତିନ୍ଦ୍ର ରାଉତ, ଅକ୍ଷୟ ରାଉତ, ସାଇଶରଣ ବେହେରା, ସନାତନ ବେହେରା, ଗୟାଧର ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରୁଛନ୍ତି । ଦୈନିକ ପାଲା, ଦାସକାଠିଆ ସହିତ ଭଜନ ସଂଧ୍ୟା କାର୍ଯ୍ୟକ୍ରମ ରହିଛି । ତିହିଡି ଗାଁର ସପ୍ତାପୂଜା କେଉଁ ଆବାହମାନ କାଳରୁ ଚାଲୁଅଛି । ଏହି ପରମ୍ପରାରେ ଗଁ ଗଣ୍ଡାରେ ଆଧ୍ୟାତ୍ମିକ ପରିସର ସୃଷ୍ଟି ହୋଇଥିବା ବେଶ ବାରି ହୋଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |