ଆଖଣ୍ଡଳମଣିଙ୍କ ମନ୍ଦିରରେ ସରିଲା ଦେବଦମ୍ପତିଙ୍କ ବିବାହ, ବରଧରା ବରଣ ବରାନୁଗମନ ଶୋଭାଯାତ୍ରା କମ୍ପିଲା ଆରଡି ପୀଠ, ରାଜରାଜେଶ୍ବର ବେଶରେ ଦର୍ଶନ ଦେଲେ ବାବା।

158

କଟକ (ଉତ୍କଳ ନ୍ୟୁଜ ) ୧୧-୦୬-୨୦୨୪ : ଭଦ୍ରକ ଜିଲ୍ଲା ଆରଡି ପୀଠର ବାବା ଆଖଣ୍ଡଳମଣିଙ୍କ ଶିବବିବାହ ପାଇଁ ମଙ୍ଗଳବାର ଉତ୍ସବ ମୁଖର ହୋଇଥିଲା। ବିବାହ ପାଇଁ ବରପିତା ଓ କନ୍ଯାପିତାଙ୍କ ଘରେ ବନ୍ଧୁପରିଜନଙ୍କର ଭିଡ ଲାଗିଥିବା ବେଳେ ପୀଠର ସମସ୍ତଙ୍କ ଘରେ ଉଛୁଳି ପଡିଥିଲା କୋଳାହଳରେ । ବାବାଙ୍କ ମାନବୀୟ ଲିଳା ଭାବେ ମାତା ପାର୍ବତୀଙ୍କ ହାତ ଧରିବେ ମଧ୍ଯ ରାତ୍ରରେ। ଏଥିପାଇଁ ମନ୍ଦିରରେ ଦିନତମାମ ଚାଲିଥିଲା ସ୍ବତନ୍ତ୍ର ନୀତିକାନ୍ତି। ସକାଳ ୧୦ଟାରେ ବାବାଙ୍କୁ ବରଣ କରିବା ପାଇଁ ପାର୍ବତୀ ଭାଇ ସାଜିଥିବା ପବନପୁତ୍ର ହନୁମାନ ବରଧରା ବେଶରେ ଗମନ କରିଥିଲେ ବରପିତାଙ୍କ ଘରକୁ ବାଜା ବାଣ ରୋଷଣୀରେ ପ୍ରକମ୍ପିତ ହୋଇଥିଲା ଶୋଭାଯାତ୍ରା। ଏହି ଶୋଭାଯାତ୍ରାରେ ରାଜ୍ଯରୁ ବିଭିନ୍ନ ପ୍ରାନ୍ତରରୁ ଆସିଥିବା ବାଦ୍ଯ ଓ ନୃତ୍ଯଶିଳ୍ପି ଯୋଗ ଦେଇଥିଲେ। ଏଥସହିତ ଘଣ୍ଟବାଦ୍ଯ ଓ ସଂକିର୍ତ୍ତନ ମଣ୍ଡଳୀଙ୍କ ନୃତ୍ଯରେ ମୁଖରିତ ହୋଇଥିଲା ଶୋଭାଯାତ୍ରା । ସଂଧ୍ଯାରେ ବରାନୁଗମନ ଶୋଭାଯାତ୍ରାରେ ଢେଙ୍କାନାଳର ଦୁଲଦୁଲି ବାଦ୍ଯ, କଲିକତାର ମୟୁର ଚୂଳିଆ ବାଦ୍ଯ, କେନ୍ଦୁଝରର କଳସ ନୃତ୍ଯଙ୍କ ସହ ପ୍ରାୟ ୩୫ ପ୍ରକାର ପାରମ୍ପରିକ ବାଦ୍ଯ ସହ ନୃତ୍ଯଶିଳ୍ପୀ ଯୋଗେ ଦେଇଥିଲେ। ଅପରାହ୍ଣ ୪ଟାରେ ରାଜରାଜେଶ୍ବର ବେଶରେ ଦର୍ଶନ ଦେଇଥିଲେ ବାବା। ଅପରାହ୍ନରେ ଗ୍ରାମଦେବତୀଙ୍କ ପାଖରେ ଦିଅଁ ମଙ୍ଗୁଳା ସମ୍ପନ୍ନ ହେବା ପରେ ଚାଲିଥିଲା ବରାନୁଗମନ ଶୋଭାଯାତ୍ରା। ଲକ୍ଷଲକ୍ଷ ଭକ୍ତଙ୍କ ସହ ସେବାକାରୀଙ୍କ ଗହଣରେ ପାର୍ବତୀଙ୍କ ହାତ ଧରିବେ ବାବା। ବୁଧବାର ଶୀତଳଷଷ୍ଠୀ ତିଥିରେ ମନ୍ଦିରକୁ ଫେରିବେ ଦେବଦମ୍ପତି ବିବାହ ଉତ୍ସବରେ ଭଦ୍ରକ ଜିଲାପାଳ ତଥା ଶିବ ବିବାହ ଉତ୍ସବର ଅଧ୍ଯକ୍ଷ ସିଦ୍ଧେଶ୍ବର ବଳିରାମ ବନ୍ଦୋର, ଉପଜିଳାପାଳ ତଥା ମନ୍ଦିର ଟ୍ରଷ୍ଟି ମନୋଜ ପାତ୍ର ପ୍ରମୁଖ ଜିଲାର ସମସ୍ତ ଅଧିକାରୀ ବ୍ଲକ, ତହସିଲ ଅଧିକାରୀଙ୍କ ସହ ଶାନ୍ତିଶୃଙ୍ଖଳା ନିମନ୍ତେ ୬ ଜଣ ମ୍ଯାଜିଷ୍ଟ୍ରେଟ, ଜଣେ ଏଏସପିଙ୍କ ସହ ୪ଜଣ ଡିଏସପି, ଏସଡିପିଓ, ୬ ଜଣ ଇନସପେକ୍ଟର, ୧୫ ଜଣ ଅଫିସର, ୧୦ ପ୍ଲାଟୁନ ଫୋର୍ସ, ଟ୍ରାଫିକ ଫୋର୍ସ ସହ ଓଡ୍ରାଫ ଟିମ, ଅଗ୍ନିଶମ ବାହିନୀ, ବାବାମଣି ଡିଗ୍ରୀ ମହାବିଦ୍ଯାଳୟର ଏନେଏସ ଏସ ଛାତ୍ରଛାତ୍ରୀ, ସତ୍ଯସାଇ ସେବା ସଂଘଠନ, ବାବାମଣି ଫାଉଣ୍ଡେସନ, ପିରାହାଟ ପ୍ରଦେଶ ସେବା ସଂଗଠନ ସମସ୍ତ ସେବା ଯୋଗାଇଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |