କଟକ (ଉତ୍କଳ ନ୍ୟୁଜ ) ୮-୦୬-୨୦୨୪ ; ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡି ବ୍ଲକ ପୀରହାଟ ଥାନା ସାହାପୁର ପଞ୍ଚାୟତ ଅଧିନ ଝିଙ୍କିରିଆ ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଦେଖା ଦେଇଛି । ବିଗତ କିଛି ମାସ ହେଲା ଉଭୟ ପକ୍ଷଙ୍କ ମଧ୍ୟରେ ଜାଗାବାଡିକୁ ନେଇ ବିବାଦ ଲାଗି ରହିଥିଲା । ସେନେଇ ବହୁବାର ଆକ୍ରମଣ ଓ ପ୍ରତିଆକ୍ରମଣ ହୋଇଥିବା ଅଭିଯୋଗ ମଧ୍ୟ ହୋଇଥିଲା । ଗତ ୩ ଦିନ ତଳେ ଉଭୟ ପକ୍ଷ ମଧ୍ୟରେ ଗାଳିଗୁଲଜ ଓ ମାରପିଟ୍ ହୋଇଥିବାର ଅଭିଯୋଗ ହୋଇଥିଲା । ପୋଲିସର ହସ୍ତକ୍ଷେପରେ ବିଳମ୍ବ ହୋଇଥିବା ନେଇ ପୂନଶ୍ଚ ୭ ତାରିଖରେ ବଡ ଧରଣର ଗଣ୍ଡଗୋଳ ହୋଇଯାଇଛି । ବାଡି ଠେଙ୍ଗା ଓ ମାରଣାସ୍ତ୍ର ଜରିଆରେ ପରସ୍ପର ଜବାବ ଦେଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ପ୍ରଥମ ପକ୍ଷ ଜ୍ୟୋସ୍ନାରାଣୀ ମହାଳିକଙ୍କ ପକ୍ଷ ମଧ୍ୟରୁ ୨ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ୩ ଜଣ ଆହତ ହୋଇଥିବା ଅଭିଯୋଗ ହୋଇଛି । ସେହିପରି ଦ୍ୱୀତିୟ ପକ୍ଷ ଅକ୍ଷୟ ଦାସଙ୍କ ପକ୍ଷରୁ ୨ ଜଣ ଆହତ ହୋଇଥିବା ଅଭିଯୋଗ ହୋଇଛି । ଉଭୟ ପକ୍ଷଙ୍କ ଏତଲା କ୍ରମେ ପୋଲିସ ୨୫ ଜଣଙ୍କ ବିରୋଧରେ ୨ଟି ମାମଲା ରୁଜୁ କରିଛି । ଏଠାରେ ସୂଚନା ଥାଉକି, ଜାଗାବାଡି ବିବାଦକୁ ନେଇ ଉଭୟ ପକ୍ଷ ମଧ୍ୟରେ ତିକ୍ତତା ଓ ଗଣ୍ଡଗୋଳ ଲାଗି ରହିଥିବା ବେଳେ ୭ ତାରିଖରେ ନଳକୂପରୁ ପାଣି ନେବା ସମୟରେ ପୂର୍ବ ଶତୃତା ପ୍ରଦର୍ଶନ କରାଯାଇଥିବା ଉଭୟଙ୍କ ଏତଲାରୁ ବାରି ହୋଇଛି । ଜ୍ୟୋସ୍ନାରାଣୀ ମହାଳିକଙ୍କ ଏତଲା ମୁତାବକ, ୭ ତାରିଖ ଦିବା ପ୍ରାୟ ୧୦ ଘଟିକା ସମୟରେ କୋଇଲି ମହାଳିକ ନାମ୍ନୀ ଜଣେ ମହିଳା ଗାଁ ନଳକୂପକୁ ପାଣି ଆଣିବାକୁ ଯାଇଥିଲେ । ସେଠାରେ କେତେକ ପିଲାମାନେ ଭିଡ ଜମାଇଥିବା ବେଳେ ବାଲତିଏ ପାଣି ନେବାକୁ କୋଇଲି ସେମାନଙ୍କୁ କହିଥିଲେ । ସେଇଠୁ ଆରମ୍ଭ ହୋଇଥିଲା ବିବାଦ । ଅପରପକ୍ଷ କରୁଣାକର ଦାସ, ଅକ୍ଷୟ ଦାସ, ଭରତ ମହାଳିକଙ୍କ ସମେତ ୧୩ ଧାଇଁଆସି କୋଇଲିଙ୍କ ସମେତ ଧରିତ୍ରୀ ମହାଳିକ, ଜ୍ୟୋସ୍ନା ମହାଳିକ, ସୁଦାମ ମହାଳିକ ଓ ବୃଦ୍ଧା ସୁଜ ମହାଳିକଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସେହିପରି ଅକ୍ଷୟ ଦାସଙ୍କ ଏତଲା କ୍ରମେ ପୋଲିସ ଅନ୍ୟ ଏକ ମାମଲା ରୁଜୁ କରିଛି । ଜଣେ ଛୋଟ ପିଲା ନଳକୂପକୁ ପିଇବା ପାଣି ଆଣିବାକୁ ଯାଇଥିବା ବେଳେ ଅପରପକ୍ଷ ପାଣି ନେବାକୁ ବାରଣ କରିଥିଲେ । ପରେ ଏହି ପକ୍ଷ ପଚାରିବାରୁ ମାରପିଟ୍ ହୋଇଥିଲା । ଚୌଧୂରୀ ମହାଳିକ, ସୁଦାମ ମହାଳିକ ଓ ଚୈତନ୍ୟ ମହାଳିକ ପ୍ରମୁଖ ୧୨ ଜଣ ଆକ୍ରମଣ କରିଥିବା ଅଭିଯୋଗରେ ଦର୍ଶାଯାଇଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |