କଟକ (ଉତ୍କଳ ନ୍ୟୁଜ ) ୨୯-୦୫-୨୦୨୪ : ରାଜ୍ୟ ରାଜନୀତିରେ ଏଥର ଭଦ୍ରକ ଜିଲ୍ଲା ଧାମନଗର ନିର୍ବାଚନ ମଣ୍ଡଳୀ ବେଶ ଚର୍ଚ୍ଚାରେ । ପ୍ରଚାର ପ୍ରସାରରେ କଂଗ୍ରେସ ଦୁର୍ବଳ ଥିବାବେଳେ ବିଜେଡି ଓ ବିଜେପି ମଧ୍ୟରେ ଚାଲିଛି ରାଜନୈତିକ ବଳ କଷାକଷି । ୨୦୧୯ ନିର୍ବାଚନ ଓ ୨୦୨୨ ଉପନିର୍ବାଚନରେ ବିଜେପି ଯେପରି ସମର୍ଥନ ପାଇଥିଲା ତାହାଠାରୁ ଅଧିକ ଆଶାନେଇ କେନ୍ଦ୍ରମନ୍ତ୍ରୀ ଓ ବରିଷ୍ଠ ନେତାମାନଙ୍କ ତୁହାକୁ ତୁହା ଗସ୍ତ ହେଉଛି । ମାତ୍ର ବିଜେଡି ତୃଣମୂଳ ସ୍ତରରୁ ଭୋଟରଙ୍କ ଆସ୍ଥାଭାଜନ ହୋଇ ଚଳିତ ନିର୍ବାଚନ ବେଶ ସୁରୁଖୁରେ ପାର ହେବ ବୋଲି ଆକଳନ କରିଛି | ରାଜ୍ୟ ସରକାରଙ୍କ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ସାଙ୍ଗକୁ ମହିଳା ସ୍ୱାବଲମ୍ବୀ, ୫-ଟି, ଆମ ଓଡିଶା ନବୀନ ଓଡିଶା ଓ ଛାତ୍ରଛାତ୍ରୀ ବୃତ୍ତି ଆଦି ଭୋଟରଙ୍କୁ ବେଶ ଆକୃଷ୍ଟ କରିପାରିଛି । ଅନ୍ୟପଟେ ପ୍ରାର୍ଥି ସଞ୍ଜୟ ଦାସ ପେଷାରେ ଜଣେ ଡାକ୍ତର । ରୋଗୀ ସେବା କରୁଥିବା ବେଳେ ଦଳ ପକ୍ଷରୁ ଲୋକଙ୍କ ସେବା କରିବାକୁ ତାଙ୍କୁ ମିଳିଥିଲା ଗ୍ରୀନ୍ ସିଗନାଲ୍ । ଚାକିରୀ ଛାଡି ଜନସେବାରେ ମନ ଦେଇଥିଲେ । ଧାନନଗର ନିର୍ବାଚନ ମଣ୍ଡଳୀରେ ୩ଟି ବୃହତ୍ ମାଗଣାରେ ମେଗା ସ୍ୱାସ୍ଥ୍ୟ ମେଳା କରି ଲୋକଙ୍କ ହୃଦୟରେ ସ୍ଥାନ ପାଇଛନ୍ତି । ପରେ ଆମ ଓଡିଶା ନବୀନ ଓଡିଶାରେ ଜିଲ୍ଲା ସଂଯୋଜକ ଭାବେ କାର୍ଯ୍ୟକରି ଜିଲ୍ଲାର ସମସ୍ତ ବ୍ଲକର ମଠ, ମନ୍ଦିର, ମସଜିଦ୍ ଆଦିର ପୂନଃରୁଦ୍ଧାର ସହିତ ସ୍କୁଲ ଓ କଲେଜର ଭିତ୍ତିଭୂମିର ବିକାଶ କରାଇଥିଲେ। ସରକାରୀ ପ୍ରକଳ୍ପ ତଦାରଖ ସମୟରେ ପଞ୍ଚାୟତ ସ୍ତରୀୟ ନେତାଙ୍କ ଠାରୁ ତୃଣମୁଳ ସ୍ତରରେ କର୍ମୀମାନଙ୍କ ସହିତ ସୁସମ୍ପର୍କ ସ୍ଥାପନ କରିବାରେ ସକ୍ଷମ ହୋଇଥିଲେ । ଶେଷରେ ସବୁ କଳ୍ପନାର ଜଳ୍ପନାର ଅନ୍ତ ଘଟାଇ ଦଳ ପକ୍ଷରୁ ଟିକେଟ୍ ପାଇଲେ ଯାହାକୁ ନେଇ ବିଜେଡି ମହଲରେ ଖୁସିର ଲହରୀ ଖେଳି ଯାଇଥିଲା । ଏହାକୁ ପାଥେୟ କରି ପ୍ରାକ୍ତନ ବିଧାୟକ ବିଜୟ କୁମାର ନାୟକ ଓ ମୁକ୍ତିକାନ୍ତ ମଣ୍ଡଳ ତାଙ୍କ ଶୁଭମନାସୀ ପ୍ରଚାର କାର୍ଯ୍ୟକୁ ଆଗକୁ ନେଉଥିବା ବେଳେ ପ୍ରାକ୍ତନ ବିଧାୟକ ରାଜେନ୍ଦ୍ର କୁମାର ଦାସଙ୍କ ଆଗମନ ସଞ୍ଜୟଙ୍କ ବିଜୟର ବାନା ଉଡିବା ନିସନ୍ଦେହ ହୋଇଯାଇଛି । ରାଜେନ୍ଦ୍ର ଦାସ ୨୦୧୪ ମସିହାରେ ଧାମନଗର ବିଧାୟକ ଆସନ ଅଳଙ୍କୃତ କରିଥିଲେ । ନଦୀ ନାଳ ଭରା ଏହି ନିର୍ବାଚନ ମଣ୍ଡଳୀର ଉନ୍ନୟନ ମୂଳକ କାର୍ଯ୍ୟରେ ମୂଲଦୂଆ ପକାଇଥିଲେ । ପରେ ୨୦୧୯ ମସିହାରେ ମୁକ୍ତିକାନ୍ତ ମଣ୍ଡଳ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି କରିଥିଲେ ଏବଂ ୨୦୧୯ ମସିହାରେ ସାଂସଦ ମଞ୍ଜୁଲତା ମଣ୍ଡଳ ଜିଲ୍ଲା ସମେତ ଧାମନଗରର ଉନ୍ନତି ପ୍ରମୁଖ ଧ୍ୟାନ ଦେଇଥିଲେ। ଏହିସବୁ କାରଣରୁ ବିଜେଡି ପ୍ରତି ଲୋକଙ୍କ ଆସ୍ଥାଭାଜନ ହୋଇପାରିଛି ଏବଂ ନିର୍ବାଚନ ବୈତରଣୀ ପାର ହେବାରେ ବିରୋଧିଙ୍କ ବାଧାବିଘ୍ନ କାମ ଦେବନାହିଁ ବୋଲି କୁହାଯାଉଛି । ଅନ୍ୟପଟେ ୨୦୧୯ ମସିହାରେ ଏହି ଆସନଟି ବିଜେପି ହାତକୁ ଯାଇଥିଲା । ବିଧାୟକ ବିଷ୍ଣୁ ସେଠୀଙ୍କ ଦୋହାନ୍ତ ପରେ ୨୦୨୨ ମସିହାରେ ତାଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ଉକ୍ତ ଆସନକୁ ହାତେଇଥିଲେ । ୫ ବର୍ଷ ଯାକ ଏହି ନିର୍ବାଚନ ମଣ୍ଡଳୀର କୌଣସି ଉନ୍ନତି ହୋଇନଥିବା ବିଜେଡି ଆରୋପ କରିଛି ଏବଂ ଅଧିକାଂଶ ଭୋଟର ବିଜେଡି ପ୍ରତି ଆସ୍ଥାପ୍ରକଟ କରୁଥିବା କୁହାଯାଉଛି । ପ୍ରାକ୍ତନ ବିଧାୟକ ବିଜୟ କୁମାର ନାୟକ ଏହି ନିର୍ବାଚନ ମଣ୍ଡଳୀ ଅଧିନ ୧୩ ପଞ୍ଚାୟତରେ ପ୍ରଚାର କରୁଥିବା ବେଳେ ସମଗ୍ର ନିର୍ବାଚନ ମଣ୍ଡଳୀରରେ ପ୍ରଚାର ଚଳେଇଛନ୍ତି ରାଜେନ୍ଦ୍ର । ରାଜେନ୍ଦ୍ର ନିର୍ବାଚନ ମଣ୍ଡଳୀରେ ପାଣିପାଗ ସହିତ ଜଡିତ ଏବଂ ଭୋଟରଙ୍କ ମନ ଜିଣିବାରେ ସିଦ୍ଧହସ୍ତ । କେତେବେଳେ ଖୋଲା ଗାଡିତ କେତେବେଳେ ବାଇକ୍ ଯୋଗେ ପ୍ରଚାର କରୁଥିବା ବେଳେ ସଂପ୍ରତି ସାଇକେଲ ଓ ଟ୍ରଲି ଚଳାଇ ପ୍ରାର୍ଥି ସଞ୍ଜୟଙ୍କ ସପକ୍ଷରେ ଭୋଟ ଦେବାକୁ ନିବେଦନ କରୁଛନ୍ତି । ରାଜ୍ୟ ସରକାରଙ୍କ ପ୍ରଦତ୍ତ ସମସ୍ତ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଉଛନ୍ତି ଏବଂ ବିଧାୟକ ପ୍ରାର୍ଥିଙ୍କ ସପକ୍ଷରେ ମଧ୍ୟ ଜନମତ ସୃଷ୍ଟି କରିପାରୁଛନ୍ତି । ଯାହାକୁ ନେଇ ବହୁ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥି ଡାକ୍ତର ସଞ୍ଜୟ ଦାସ ବିଜୟର ତିଲକ ପିନ୍ଧିବେ ବୋଲି ଆଲୋଚନା ହେଉଛି । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |