ନବୀନ ପଟ୍ଟନାୟକଙ୍କ ଗସ୍ତ ପୂର୍ବରୁ କଂଗ୍ରେସ ର ବିଶାଳ ମହିଳା ସମାବେଶ |

162

କଟକ (ଉତ୍କଳ ନ୍ୟୁଜ ) ୧୮-୦୫-୨୦୨୪ : ନବୀନ ପଟ୍ଟନାୟକଙ୍କ ଗସ୍ତ ପୂର୍ବରୁ କଂଗ୍ରେସ ର ବିଶାଳ ମହିଳା ସମାବେଶ । ଆସନ୍ତା ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଦ୍ରକ ଜିଲ୍ଲା ଗସ୍ତରେ ଆସୁଛନ୍ତି । ଏହି ସମୟରେ ସେ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର କରିବା ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଥିବା ଜଣାପଡିଛି । ତେବେ ଏହା ପୂର୍ବରୁ କଂଗ୍ରେସ ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଇଛି । ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଚଳିତ ଥର ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ଅନ୍ୟ ପକ୍ଷରେ ପୂର୍ବତନ ସାଂସଦ ତଥା ଅନ୍ୟତମ ବରିଷ୍ଠ କଂଗ୍ରେସ ନେତା ଅନନ୍ତ ପ୍ରସାଦ ସେଠୀ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ଏହି ଅବସରରେ କଂଗ୍ରେସ ପକ୍ଷରୁ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବୟାଁବନାପୁର ପଂଚାୟତ ଅନ୍ତର୍ଗତ ଚନ୍ଦ୍ରଭାନୁପୁର ମହାଦେବ ମନ୍ଦିର ପଡ଼ିଆ ଠାରେ ଏକ ବିଶାଳ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶ ରେ ଉଭୟ ବିଧାୟକ ଏବଂ ସାଂସଦ ପ୍ରାର୍ଥୀ ଙ୍କ ସମେତ ବହୁ ବରିଷ୍ଠ ନେତା ତଥା ୧୦ ହଜାରରୁ ଉର୍ଦ୍ଧ୍ୱ ମହିଳା ଉପସ୍ଥିତ ଥିଲେ । ତେବେ କଂଗ୍ରେସ ଦଳ କ୍ଷମତାକୁ ଆସିଲେ ସ୍ଥାନୀୟ ଅଂଚର ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନା ଉପରେ କାର୍ଯ୍ୟ ଆରମ୍ଭ କରିବ ବୋଲି କହିବା ସହ ବିଜେଡି ଉପରେ ବର୍ଷିଥିଲେ । ଅନ୍ୟ ପକ୍ଷରେ ବିଶେଷ ଭାବରେ ମହିଳା ମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଭିନ୍ନ ଉନ୍ନୟନ ମୂଳକ ଯୋଜନା କଂଗ୍ରେସ ହାତକୁ ନେବ ବୋଲି ସ୍ପଷ୍ଟ କରିଛନ୍ତି ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ । ସମ୍ପ୍ରତି ମହିଳା ମାନଙ୍କ ଉପରେ ହେଉଥିବା ବିଭିନ୍ନ ପ୍ରକାର ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତୋଳନ କରିବା ପାଇଁ ଉପସ୍ଥିତ ମହିଳା ନେତୃତ୍ୱ ଉଦବୋଧନ ଦେଇଥିଲେ । ଜନ ସଂଖ୍ୟାର ଅଧା ପ୍ରତିଶତ ଯେହେତୁ ମହିଳା ଅଛନ୍ତି, ତେଣୁ ସମସ୍ତ ନିଯୁକ୍ତି କ୍ଷେତ୍ରରେ ମହିଳା ଙ୍କୁ ୫୦ ପ୍ରତିଶତ ଆରକ୍ଷଣ ପ୍ରଦାନ କରିବା ପାଇଁ କଂଗ୍ରେସ ସଂକଳ୍ପବଦ୍ଧ ବୋଲି କହିଥିଲେ । ଏଥିସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ରାଜନୈତିକ ଚାପରୁ ସମ୍ପୂର୍ଣ୍ଣ ମୁକ୍ତ କରିବା ପାଇଁ ମଧ୍ୟ କଂଗ୍ରେସ କାର୍ଯ୍ୟ କରିବା ସହିତ ସେମାନଙ୍କ ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଘୋଷଣା ପତ୍ରରେ ଦଳ ପକ୍ଷରୁ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି । ତେଣୁ ଆଗାମୀ ନିର୍ବାଚନରେ କଂଗ୍ରେସ କୁ ଆଶୀର୍ବାଦ କରିବା ପାଇଁ ଉଭୟ ବିଧାୟକ ଏବଂ ସଂସାଦ ପ୍ରାର୍ଥୀଙ୍କ ସମେତ ଅନ୍ୟାନ୍ୟ ଦଳୀୟ ନେତା ଅନୁଷ୍ଠିତ ଏହି ବିଶାଳ ମହିଳା ସମାବେଶରେ ନିବେଦନ କରିଥିଲେ । ତେବେ ଏହି ମହିଳା ସମାବେଶରେ ଯୋଗଦେବା ପାଇଁ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରୁ ମହିଳାମାନେ ଆସିଥିବା ଦେଖିବାକୁ ମିଳିଥିଲା । ଅନ୍ୟ ପକ୍ଷରେ ନବୀନଙ୍କ ଭଦ୍ରକ ଜିଲ୍ଲା ଗସ୍ତ ପୂର୍ବରୁ କଂଗ୍ରେସ ର ଏହି ବିଶାଳ ମହିଳା ସମାବେଶକୁ ନେଇ ଭଣ୍ଡାରିପୋଖରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ରାଜନୈତିକ ପାଣିପାଗ ବେଶ୍ ସରଗରମ୍ ହୋଇଯାଇଛି । ଭଦ୍ରକରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |