ଚାନ୍ଦବାଲିରେ ପଦ୍ମ ଛାଡି ଶଙ୍ଖ ଫୁଙ୍କିଲେ ବିଶ୍ୱକେଶରୀ, ଶଶିକାନ୍ତ ଓ ରାଜକିଶୋର |

283

କଟକ (ଉତ୍କଳ ନ୍ୟୁଜ ) ୧୭-୦୫-୨୦୨୪ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ମିଶ୍ରଣ ପର୍ବକୁ ନେଇ ଦିନକୁ ଦିନ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ବଳ କଷାକଷି ହେଉଛି । ଦୈନିକ କେଉଁଠି ନାଁ କେଉଁଠି ଉଭୟ ଦଳର ମିଶ୍ରଣ ପର୍ବ ହେଉଥିବା ବେଳେ ଶୁକ୍ରବାର ସଂଧ୍ୟାରେ ଉଭୟ ଦଳର ସମାନ୍ତରାଳ ମହାମିଶ୍ରଣ ପର୍ବ ଦେଖିବାକୁ ମିଳିଛି । ବିଜେପି ପକ୍ଷରୁ ଏହି ନିର୍ବାଚନ ମଣ୍ଡଳୀ ଅଧିନ ପୀରହାଟ ଜୋନରେ ସିନେ ତାରକା ସିନ୍ଧାନ୍ତ ମହାପାତ୍ରଙ୍କ ଉପସ୍ଥିତିରେ ବିଧାୟକ ପ୍ରାର୍ଥି ମନୋହନ ସାମଲ ଓ ସାଂସଦ ପ୍ରାର୍ଥି ଅଭିମନ୍ୟୁ ସେଠୀଙ୍କ ହାତମୁଠାକୁୁ ଟାଣ କରିବାକୁ ଶତାଧିକ କର୍ମୀ ଦଳରେ ସାମିଲ ହୋଇଥିବା ବେଳେ ଠିକ୍ ସେତିକିବେଳେ ଚାନ୍ଦବାଲିରେ ବିଜେଡି ପକ୍ଷରୁ ଆୟୋଜିତ ଏକ ବିଶାଳ ବାଇକ୍ ରାଲି ଓ ମହାମିଶ୍ରଣ ପର୍ବରେ ଶହଶହ କର୍ମୀଙ୍କ ଯୋଗଦାନ ରାଜନୈତିକ ପାଣିପାଗକୁ ବେଶ ଉଷ୍ମତା ଯୋଗାଇଥିଲା । ବିଜେପିର ଟାଣୁଆ ନେତା ଚାନ୍ଦବାଲିର ଲଢୁଆ ପୁଅ ବିଶ୍ୱକେଶରୀ ମହାନ୍ତି ଓ ପୀରହାଟ ଜୋନ ଅଧିନ ସାହାପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଶଶିକାନ୍ତ ବିଶ୍ୱାଳ ରାଜ୍ୟ ସରକାରଙ୍କ ପ୍ରତି ଆକୃଷ୍ଟ ହେବା ସହିତ ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟଙ୍କ ନୀତି ଆଦର୍ଶ ତଥା ବିକାଶ ମୂଳକ ସେବା ମନୋଭାବରେ ଅନୁପ୍ରାଣିତ ହୋଇ ଶତାଧିକ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି । ସେହିପରି ଭାଟପଡାର ସମିତି ସଭ୍ୟ ବିଜେପି ନେତା ରାଜକିଶୋର ସାହୁ ମଧ୍ୟ ବିଜେଡିରେ ଆନୁଷ୍ଠାନିକଭାବେ ଯୋଗ ଦେଇଛନ୍ତି । ବିଭିନ୍ନ ପଞ୍ଚାୟତରୁ ହଜାରେରୁ ଉର୍ଦ୍ଧ କର୍ମୀ ବିଜେଡିରେ ଯୋଗ ଦେଇଥିଲେ । ବିଧାୟକ ଶ୍ରୀ ରାୟ ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହିତ ଦଳୀୟ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିବା ସହିତ ଚାନ୍ଦବାଲିର ବିକାଶ ଧାରାକୁ ବଜାୟ ରଖିବା ଲାଗି ପଣ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଏକ ବାଇକ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ହଜାର ହଜାର କର୍ମୀଙ୍କ ସମାଗମରେ ସେମାନଙ୍କୁ ପାଛୋଟି ନିଆଯାଇଥିଲା । ବଜାର ପରିକ୍ରମା ସମୟରେ ବିଜେଡି ତାର ଦମ୍ ଦେଖାଇବା ସହିତ ବିରୋଧି ଦଳଙ୍କୁ ଏହି ବାଇକ୍ ଶୋଭାଯାତ୍ରା ଜରିଆରେ ତେରଚ୍ଛା ବାଣ ମାରିଥିଲେ । ବିଧାୟକଙ୍କ ୧୦ ବର୍ଷ କାର୍ଯ୍ୟକାଳରେ ଏହି ନିର୍ବାଚନ ମଣ୍ଡଳୀର ଏକ ପ୍ରକାର ଭୌଗଳିକ ସ୍ଥିତି ବଦଳିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନରେ ଏକ ବୈପବ୍ଳିକ ପରିବର୍ତ୍ତନ ଆସିଥିବା ବେଳେ ଚାନ୍ଦବାଲିରେ ଗ୍ରୀଡ୍ ସ୍ଥାପନ, ବାଂଶଡାରେ ସେତୁ ନିର୍ମାଣ ସହିତ ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ପ୍ରଶସ୍ତ୍ରି କରଣ କରାଯାଇଛି । ସେହିପରି ବହ ୁପ୍ରତୀକ୍ଷିତ ତିନିତର ସେତୁ ନିର୍ମଣାଧିନ ଥିବା ବେଳେ ଚାରିବାଟିଆ, ବାଲିଆପାଳ, ଧାନଖଣିଆ ଓ କଉଯୋଡିରେ ସେତୁ ନିର୍ମାଣ ଲାଗି ଟେଣ୍ଡର ସରଛି । ବିକାଶଧାରା ବଜାୟ ରଖିବା ଲାଗି ପୁଣି ଥରେ ବ୍ୟୋମକେଶ ରାୟଙ୍କୁ ବିଧାୟକ ଭାବେ ଏବଂ ଷଷ୍ଠ ଥର ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀଭାବେ ଜିତାଇବା ଲାଗି ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରିନ୍ସ ରାକେଶ ନାୟକ, ପ୍ରଫୁଲ ସାହୁ, ସେକ୍ ଫିରୋଜ୍‌, ଶରତ ସାହୁ, ଅଶୋକ ବଳ, ଦ୍ୱିଜବର ରାଉତ, ଅମୁଲ୍ୟ ମାଝୀ, ଖଗେଶ୍ୱର ବଳ, ପ୍ରତାପ ଧଳ, ରଞ୍ଜନ ସାହୁ, ବଳଭଦ୍ର ମାଠ, ମାନସ ସାହୁ, ମାନସ ରଞ୍ଜନ ନାୟକ ଓ ବ୍ରଜସୁନ୍ଦର ମହାନ୍ତି ପ୍ରମୁଖ ଆୟୋଜିତ ମହାମିଶ୍ରଣ ପର୍ବରେ ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |