ହରସିଂହପୁର ଓ ସାହାପୁର ପଞ୍ଚାୟତରେ ବିଜେଡିର କର୍ମୀ ସମ୍ମିଳନୀ |

145

କଟକ (ଉତ୍କଳ ନ୍ୟୁଜ ) ୦୩-୦୫-୨୦୨୪ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ତିହିଡ଼ି ବ୍ଲକ ହରସିଂହପୁର ଓ ସାହାପୁର ପଞ୍ଚାୟତରେ ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ହରସିଂହପୁର ପଞ୍ଚାୟତ କାଳିପଡ଼ିଆ ଠାରେ ପୂର୍ବତନ ସରପଞ୍ଚ ପ୍ରଫୁଲ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଧାୟକ ପ୍ରାର୍ଥୀ ଡ. ବ୍ୟୋମକେଶ ରାୟ ଯୋଗଦେଇ ପଞ୍ଚାୟତର ସାମଗ୍ରିକ ବିକାଶ ବିଜେଡି ସରକାରଙ୍କ ସମୟରେ କରାଯାଇଥିବା କହିଥିଲେ । ପଞ୍ଚାୟତରେ ଥିବା ସ୍କୁଲର ରୂପାନ୍ତରୀକରଣ ସହିତ ରାସ୍ତା, ପାନୀୟଜଳ, ବିଦ୍ୟୁତ, ଧର୍ମାନୁଷ୍ଠାନ ଇତ୍ୟାଦିର ବିକାଶ କରାଯାଇଛି । ଏଥିପାଇଁ ସାଧାରଣ ନିର୍ବାଚନରେ ଜନସାଧାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ନିବେଦନ କରିଥିଲେ । ଏହି ସଭାରେ ପୂର୍ବତନ ଚାନ୍ଦବାଲି ବ୍ଲକ ଅଧ୍ୟକ୍ଷ ନରେଶ ମାଝୀ, ୯ ପଞ୍ଚାୟତ ସଭାପତି ମାନସ ରଂଜନ ନାୟକ, ପୂର୍ବତନ ସରପଞ୍ଚ ଅମର କୁମାର ଦାସ, ସଭାପତି ଯଦୁନାଥ ପାଣିଗ୍ରାହୀ, ସମାଜସେବୀ କୃଷ୍ଣଚନ୍ଦ୍ର ମହାନ୍ତି ଯୋଗଦେଇ ବିରୋଧୀ ପ୍ରାର୍ଥୀ ପଞ୍ଚାୟତର ଉନ୍ନତି ନକରି ଭୋଟ ରାଜନୀତି କରୁଛନ୍ତି ବୋଲି କହିଥିବା ବେଳେ ଲୋକମାନେ ଏହାର ଉଚିତ ଜବାବ ଦେବେ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିରାଜ ପାଢ଼ୀ, ମସ୍ତାନ ସାହାଜୀ, କମଳାକାନ୍ତ ବେହେରା, ସଂଜୟ ଦାସ, ଚିତ୍ତରଂଜନ ଜେନା ପ୍ରମୁଖଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା କର୍ମୀ ଉପସ୍ଥିତ ଥିଲେ । ଏହି ଅବସରରେ ଅନ୍ୟଦଳ ଛାଡ଼ି ଜଗନ୍ନାଥ କର, ରମେଶ ଦାସ, ସୁବାସ ଦଳେଇ, କାଳନ୍ଦି ବେହେରା, ଜଗବନ୍ଧୁ ପରିଡ଼ା ପ୍ରମୁଖ ବିଜେଡିରେ ସାମିଲ ହୋଇଥିଲେ । ସେହିପରି ସାହାପୁର ବଜାରରେ ପୂର୍ବତନ ସରପଞ୍ଚ ବଳଭଦ୍ର ମାଠଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଚାନ୍ଦବାଲି ବିଧାୟକ ତଥା ବିଧାୟକ ପ୍ରାର୍ଥୀ ଡ. ବ୍ୟୋମକେଶ ରାୟ ଯୋଗଦେଇ ସାହାପୁର ପଞ୍ଚାୟତ ବିକାଶରେ ପଛେଇ ଯାଇଛି ବୋଲି କହିଥିଲେ । ଆଗାମୀ ଦିନରେ ଏହି ପଞ୍ଚାୟତର ବିକାଶର ଏକ ନମ୍ବର ପଞ୍ଚାୟତ କରାଯିବା ପାଇଁ ଅନୁଦାନ ଯୋଗାଇ ଦିଆଯିବ । ସେଥିପାଇଁ ବିଧାୟକ ଶ୍ରୀ ରାୟ ସମ୍ପୂର୍ଣ୍ଣ ଦାୟିତ୍ୱ ନେବା ସହିତ ଓଡ଼ିଶାର ପ୍ରଗତିରେ ସାହାପୁର ପଞ୍ଚାୟତକୁ ଯୋଡ଼ାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷ ନରେଶ ମାଝୀ, ମାନସ ରଂଜନ ନାୟକ, ଜିଲା ଯୁବ ବିଜେଡି ଉପସଭାପତି ଦେବେନ୍ଦ୍ର ମହାକୁଡ଼, ପଞ୍ଚାୟତ ଯୁବ ସଭାପତି ପ୍ରହ୍ଲାଦ ମହାକୁଡ଼ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ଦେଇଥିଲେ । ରବିନ୍ଦ୍ର ମହାକୁଡ଼, ପ୍ରତାପ ମହାକୁଡ଼, ସୁଧାଂଶୁ ଡାଙ୍ଗୁଆ, ଜୟରାମ ମହାକୁଡ଼, ପ୍ରମୋଦ ଡାଙ୍ଗୁଆ, ହୃଦାନନ୍ଦ ବେହେରା ପ୍ରମୁଖଙ୍କ ସମେତ ଶତାଧିକ ପୁରୁଷ ଓ ମହିଳା କର୍ମୀ ଉପସ୍ଥିତ ଥିଲେ । ତିହିଡିରୁ ସଞ୍ଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |